/odishatv-khabar/media/post_attachments/uploadimage/library/16_9/16_9_0/IMAGE_1732980906.jpg)
Navy Day Countdown Begins
ପୁରୀରେ ନୌସେନା ଦିବସ ପାଳନ କାଉଣ୍ଟଡାଉନ୍। ଏଥିପାଇଁ ଜୋରସୋରରେ ଚାଲିଛି ଅଭ୍ୟାସ। ନୌସେନାର ଫାଇଟର ଜେଟ୍ ଓ ହେଲିକପ୍ଟର ରଣକୌଶଳ ଦେଖାଉଥିବା ବେଳେ ପହଞ୍ଚିଲାଣି ଓ୍ବାର ସିପ୍। ପର୍ଯ୍ୟଟନର ସହରରେ ଏବେ ଯୁଦ୍ଧର ଭ୍ରମ। ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା କରିବାକୁ କେତେ ସଜାଗ ଭାରତୀୟ ନୌସେନା ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ। ନୌସେନାର ଅପରେସନ୍ ଡେମୋଷ୍ଟ୍ରେସନ ଦେଖିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଘୁଁ ଘୁଁ ଗର୍ଜନ ସହ ଆକାଶ ଚିରୁଛି ଲଢୁଆ ବିମାନ। ଆଗରେ ଡୋନିୟର ଏୟାରକ୍ରାଫ୍ଟ । ପଛକୁ ପଛ ନୌସେନାର ଲଢୁଆ ଚେତକ ହେଲିକପ୍ଟର। ନେଭିର ସ୍ୱତନ୍ତ୍ର MS-60 ହେଲିକପ୍ଟରରୁ ମଝି ସମୁଦ୍ରରେ ପାୱାର ବୋଟକୁ ଓହ୍ଲାଇ ଅପରେସନ ପାଇଁ ସ୍ଥଳଭାଗକୁ ମାଡି ଆସୁଛନ୍ତି ଦୁର୍ଦ୍ଦଷ କମାଣ୍ଡୋ। ପାରାଚ୍ୟୁଟରେ ବି ଯୁଦ୍ଧ ବିମାନରୁ ଅବତରଣ କରୁଛନ୍ତି ଜଣକ ପରେ ଜଣେ ଯବାନ। ପ୍ରବଳ ପରାକ୍ରମ ସହ ଦୁଃସାହସିକ ଯୁଦ୍ଧକୌଶଳ ଦେଖାଉଛନ୍ତି ନୌଯବାନ। ୩ ଦିନ ପରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ପାଳନ ହେବ ନୌସେନା ଦିବସ। ଅପରେସନ୍ ଡେମୋ ପାଇଁ ଜୋରସୋରରେ ଚାଲିଛି ରିହର୍ସାଲ୍। ବେଳାଭୂମି ପାଲଟିଛି ଯୁଦ୍ଧ ଭୂମି। ଗୁରୁ ଗର୍ଜନ ସହ ପଇଁତରା ମାରୁଛି ଯୁଦ୍ଧ ଟ୍ୟାଙ୍କ। ବଙ୍କର ଭିତରେ ମକଡ୍ରିଲ କରୁଛନ୍ତି ନୌସେନାର ମାର୍କୋସ୍ କମାଣ୍ଡୋ। ଆଖି ସାମ୍ନାରେ ଭାରତୀୟ ନୌସେନାର ଯୁଦ୍ଧକୌଶଳକୁ ଦେଖି ଖୁସିରେ ଗଦ ଗଦ ହୋଇପଡୁଛନ୍ତି ପର୍ଯ୍ୟଟକ।
ଅଧିକ ପଢ଼ନ୍ତୁ: ବ୍ଲୁ ଫ୍ଲାଗ୍ ବିଚରେ ରଣଭୂମିର ଭ୍ରମ, ଶୁଭୁଛି ଯୁଦ୍ଧପୋତର ଗର୍ଜନ...ଆକାଶ ଚିରୁଛି ଲଢ଼ୁଆ ବିମାନ
ସେପଟେ ସମୁଦ୍ରର ବକ୍ଷକୁ ଚିରି ଆଗେଇ ଆସୁଛି ନୌସେନାର ଯୁଦ୍ଧ ଜାହାଜ। ଗୋଟିଏ କି ଦୁଇଟି ନୁହେଁ ୨୫ଟି ବିଶାଳ ଜାହାଜ। କୂଳକୁ ଶୁଭିଲାଣି ଯୁଦ୍ଧପୋତର ଗର୍ଜନ। ଗୋପାଳପୁର ଓ କୋଲକାତାରୁ ଆସିଥିବା ଜାହାଜ ଧିରେ ଧିରେ ପୁରୀ କୂଳ ନିକଟରେ ପହଁଚିଲେଣି। ଆସନ୍ତା ୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ନୌସେନାର ବୀରତ୍ବର ସାକ୍ଷୀ ସାଜିବେ ଯୁଦ୍ଧ ଜାହାଜ।
ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ନେଭି ଡେ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଥିବା ବେଳେ ଦେଖାଦେଇଛି ପକ୍ଷୀ ଭୟ। ଗତକାଲି ଅଭ୍ୟାସ ବେଳେ ପକ୍ଷୀ ମାଡ଼ରୁ ଅଳ୍ପକେ ବର୍ତ୍ତିଛି ହେଲିକପଟର। ନେଭି ଡେ ପାଳନ ବେଳେ ଯୁଦ୍ଧ ବିମାନ ସହ ବାର୍ଡ ହିଟ୍ ଆଶଙ୍କା କରି ବାହାରେ ଅଳିଆ ଆବର୍ଜନା ନପକାଇବାକୁ ପରାମର୍ଶ ଦେଇଛି ଉଭୟ ନୌସେନା ଏବଂ ପୁରୀ ପ୍ରଶାସନ। ବାହାରେ ଅଳିଆ ଆବର୍ଜନା ଓ ବଳକା ଖାଦ୍ୟ ପକାଇଲେ ପକ୍ଷୀମାନେ ସେଥିପ୍ରତି ଆକୃଷ୍ଟ ହୋଇ ଆସିବା ସମ୍ଭାବନା ରହିଛି। ଏଭଳି ହେଲେ ଏୟାର ସୋ'ରେ ବାଧା ଉପୁଜିପାରେ।
ଏପଟେ ବେଳାଭୂମିର ସାଂସ୍କୃତିକ ମଂଚରେ ଚାଲିଛି ଘନ ଘନ ଅଭ୍ୟାସ। ବ୍ୟାଣ୍ଡର ତାଳେ ତାଳେ ପରେଡରେ ବ୍ୟସ୍ତ ନୌସେନା ଯବାନ। ୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟର ଗାଥା ବହନ ସ୍ବରୂପ ଡିସେମ୍ବର ୪ ତାରିଖରେ ପ୍ରତିବର୍ଷ ନୌସେନା ଦିବସ ପାଳନ କରାଯାଉଛି। ଏଥର ଓଡ଼ିଶା ସାଜିବାକୁ ଯାଉଛି ନୌସେନା ପରାକ୍ରମର ମୂକସାକ୍ଷୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)