ଚର୍ଚ୍ଚାରେ ପଛୁଆ ଜିଲ୍ଲାର କୁବେର ବାବୁ । ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଜୟପୁର ବାସଭବନରୁ ପାଖାପାଖି ୨ କୋଟିର ନଗଦ ଟଙ୍କା ଦେଖି ଭିଜିଲାନ୍ସ ତାଜୁବ ହୋଇଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡରୁ କେବଳ ବିପୁଳ କ୍ୟାସ୍ ନୁହେଁ, ଆଲିସାନ୍ ବଙ୍ଗଳା ସହ ବଡ଼ ସହରରେ ବହୁ ଦାମୀ ପ୍ଲଟ୍ ଠାବ କରିଛନ୍ତି ଭିଜିଲାନ୍ସ ଅଧିକାରୀ । ଆକଳନ ସରି ନଥିବାରୁ ସଂପତ୍ତିର ତାଲିକା ଆହୁରି ଲମ୍ବିବାର ବି ସମ୍ଭାବନା ରହିଛି ।
ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାମ କରନ୍ତି , ଜଳସମ୍ପଦ ବିଭାଗର ପ୍ରୋଜେକ୍ଟ ଡିରେକ୍ଟର ଶାନ୍ତନୁ ମହପାତ୍ର । ରାଜ୍ୟର ଅନ୍ୟତମ ପଛୁଆ ଜିଲ୍ଲା ମାଲକାନଗିରିରେ ଚାକିରି କରୁଛନ୍ତି ଏହି ବାବୁ । କିନ୍ତୁ କୋରାପୁଟ ଜୟପୁର ପାୱାର ହାଉସ୍ କଲୋନି ସ୍ଥିତ ଆଲିସାନ୍ ବଙ୍ଗଳାରେ ଟଙ୍କା-ସୁନା ଓ ସୌଖୀନ ସାମଗ୍ରୀର ଯେମିତି ଭଣ୍ଡାର ଥିଲା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳିନ ୭ଟି ସ୍ଥାନରେ ରେଡରୁ କେବଳ ଶାନ୍ତନୁଙ୍କ ଏ ବାସଭବନରୁ ମିଳିଥିଲା ୬ଟି ଟଙ୍କାଭର୍ତ୍ତି ବ୍ୟାଗ୍ ସହ ବିପୁଳ ସୁନାଗହଣା । ବ୍ୟାଙ୍କଖାତା ଓ ଇନସ୍ୟୁରାନ୍ସ ସମେତ କାଗଜପତ୍ର ଘଣ୍ଟାଘଣ୍ଟିରୁ ଠାବ ହୋଇଥିଲା ଅଚଳାଚଳ ସଂପତ୍ତିର ସୁରାକ୍ । ମିଳିଥିବା ସୂଚନା ଅନୁଯାୟୀ ଖାନତଲାସିରୁ ଏପର୍ଯ୍ୟନ୍ତ ଶାନ୍ତନୁଙ୍କ ପାଖରୁ ନଗଦ କୋଟିଏ ୯୭ ଲକ୍ଷ ଟଙ୍କା ସହ ୩ ଶହ ଗ୍ରାମର ସୁନା, ଜୟପୁରରେ ୬ ହଜାର ସ୍କୋୟାରଫୁଟର ବହୁତଳ ପ୍ରାସାଦ, ଭୁବନେଶ୍ବର ଓ ଜୟପୁରରେ ୪ ଟି ଦାମୀ ପ୍ଲଟ୍ ଠାବ ହୋଇଛି । ଏଥିସହ ଭୁବନେଶ୍ବରରେ ଥିବା ଶାନ୍ତନୁଙ୍କ ସଂପର୍କୀୟଙ୍କ ଘର ଏବଂ ଏଇ ଲିଙ୍କରେ ମାଲକାନଗିରି ସ୍ଥିତ ଜଳଛାୟା ପ୍ରକଳ୍ପର ଅନ୍ୟ ତିନି କର୍ମଚାରୀ ମୋହନ ମଣ୍ଡଳ, ବିସନ ମଣ୍ଡଳ ଏବଂ ଅମୀୟ ସାହୁଙ୍କ ଘରେ ବି ରେଡ୍ କରିଛି ଭିଜିଲାନ୍ସ ।
Also Read
ଅଧିକ ପଢ଼ନ୍ତୁ: ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ସହର ଓ ଗାଁ ଭିତରେ ଦୂର ହେବ ପାର୍ଥକ୍ୟ
ତେବେ ବାବୁ ଶାନ୍ତନୁଙ୍କ ଘରୁ ପାଖାପାଖି ଦୁଇ କୋଟି ନଗଦ ଟଙ୍କା ଆସିଲା କୁଆଡୁ ? ଏହାର ଉତ୍ସ କ'ଣ? କୁହାଯାଉଛି ୨୦୨୧ ଅଗଷ୍ଟ ମାସରୁ ମାଲକାନଗିରି ଜଳଛାୟା ପ୍ରକଳ୍ପର ନିର୍ଦ୍ଦେଶକ ଭାବେ ଦାୟିତ୍ବ ନେବା ପରଠୁ ଏସବୁ ଶାନ୍ତନୁଙ୍କ ଅସତ୍ ଅର୍ଜନ । କାହିଁକିନା, ମାଲକାନଗିରିର ଚାଷୀଙ୍କ ପାଇଁ ଜଳଛାୟା ପ୍ରକଳ୍ପ ନାଁରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଯେଉଁ ଅର୍ଥ ଆସେ, ସେସବୁ କେବଳ କାଗଜପତ୍ରରେ ହୁଏ । ଟେଣ୍ଡର ମାଧ୍ୟମରେ ହେଉଥିବା କାମ ଭେଣ୍ଡରଙ୍କ ଆକାଉଣ୍ଟକୁ ଯିବା ପରେ ସେଠୁ ଏକ ବଡ଼ ଅଂଶ ସିଧାସଳଖ କ୍ୟାସ୍ ଆକାରରେ ଜଳଛାୟା ପିଡିଙ୍କ ପାଖକୁ ଯାଏ । ତେଣୁ ସେଇ ଉପାୟରେ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ଏଇ ଅର୍ଥ ରୋଜଗାର କରିଥିବା ଅଭିଯୋଗ ହୋଇଛି । ଆକଳନ ସରି ନଥିବାରୁ ଶାନ୍ତନୁଙ୍କଠୁ ଠାବ ସଂପତ୍ତିର ପରିମାଣ ଆହୁରି ବଢ଼ିପାରେ । ତେଣୁ ମାଲକାନଗିରିରେ ପାଖାପାଖି ସାଢେ ୩ ବର୍ଷ ଚାକିରିରେ ବାବୁଙ୍କ ପାଖରୁ ଏତେ ସଂପତ୍ତି ଜବତ କରି ଭିଜିଲାନ୍ସକୁ ତାଜୁବ୍ ହୋଇଥିବା ବେଳେ , ଏନେଇ ଶାନ୍ତନୁଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।