Advertisment

High School Teacher: ଦିନେ ଦୋକାନରେ ଚପଲ ବିକୁଥିଲେ, ଆଜି ସ୍ମାର୍ଟ ସ୍କୁଲ ଟିଚର

ଅସୁସ୍ଥତା କାରଣରୁ ବାପା ଘରକୁ ଫେରିଆସିବା ପରେ ପରିବାର କେମିତି ଚଳିବ? ସାନ ଦୁଇ ଭଉଣୀଙ୍କ ପାଠ ପଢ଼ା କେମିତି ହେବ? ପରିବାର ଚଳିବ କେମିତି? ଏମିତି ଯାବତିୟ ଜଞ୍ଜାଳ ଭିତରେ ଫଶିଗଲେ ଉତ୍ତମ। ସେଥିରୁ ମୁକୁଳିବା ପାଇଁ ଉତ୍ତମ ପାଠ ପଢ଼ା ସହିତ ପାର୍ଟ ଟାଇମ୍‌ କାମ କରିବାକୁ ନିଷ୍ପତ୍ତି ନେଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Balangir

Balangir

ଦାଦନଗଡ଼ରେ ପେଟର ଭୋକ ତାଙ୍କୁ ଟାଣି ନେଇଥିଲା ଚପଲ ଦୋକାନକୁ। ଆଉ ତାଙ୍କୁ ବନାଇ ଦେଇଥିଲା ଚପଲ ଦୋକାନର ବିକ୍ରେତା। ଲୋକ ଲଜ୍ଜା ହେଉ ବା ଆଭିଜାତ୍ୟ, କାହାକୁ ଖାତିର ନକରି ନିଜର କର୍ତ୍ତବ୍ୟ କରି ଚାଲିଥିଲେ ସ୍ନାତକୋତ୍ତର ପାସ୍‌ କରିଥିବା ଯୁବକ ଉତ୍ତମ କୁମ୍ଭାର। ନିଜର ଅଧ୍ୟବସାୟ ଓ କଠିନ ପରିଶ୍ରମ ଫଳରେ ଆଜି ସିଏ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ଆଉ ହୋଇଛନ୍ତି ସ୍ମାର୍ଟ ସ୍କୁଲ ଶିକ୍ଷକ। ହାଇସ୍କୁଲ ଶିକ୍ଷକ ଭାବେ ମୁଖ୍ୟମନ୍ତ୍ରୀଙ୍କଠାରୁ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି ବଲାଙ୍ଗିର ଜିଲ୍ଲାର ଉତ୍ତମ କୁମ୍ଭାର।

Advertisment

ଉତ୍ତମ କୁମ୍ଭାରଙ୍କ ପାଠ ପଢ଼ା ଆରମ୍ଭ ହୁଏ ବେଲପଡା ବ୍ଲକ୍‌ ଭରୁଆମୁଣ୍ଡା ଗାଁ ସ୍କୁଲରୁ। ପ୍ରାଥମିକ ଶିକ୍ଷା ପରେ ମୁଣ୍ଡାଗାଁ ହାଇସ୍କୁଲରେ ନାଁ ଲେଖାନ୍ତି। ଭଲ ପାଠ ପଢ଼ୁଥିବାରୁ ଭଲ ନମ୍ୱରରେ ହାଇସ୍କୁଲରେ ପରୀକ୍ଷା ପାସ୍‌ କରନ୍ତି। ପରେ ବେଲପଡା ପଞ୍ଚାୟତ ସମିତି କଲେଜରେ ଡିଗ୍ରୀ ହାସଲ କରିଥିଲେ। ତେବେ ବଲାଙ୍ଗିର ରାଜେନ୍ଦ୍ର କଲେଜରେ ପିଜି ପାଠ ପଢ଼ୁଥିବା ବେଳେ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଠିକ୍‌ ସେତିକି ବେଳେ ବାପା ଯୁବରାଜ ଦାଦନ ଖଟିବାକୁ ଯାଇ ଅସୁସ୍ଥ ହୋଇପଡ଼ିଲେ। ଆଉ କାମ କରିପାରିଲେ ନାହିଁ। ତେଣୁ ଘରକୁ ଫେରି ଆସିଲେ।

ଅଧିକ ପଢ଼ନ୍ତୁ: ନିରଞ୍ଜନଙ୍କ ଘରୁ ଚୋରି: ଧରାପଡ଼ିଲା ହାଇପ୍ରୋଫାଇଲ୍ ଚୋର

ଅସୁସ୍ଥତା କାରଣରୁ ବାପା ଘରକୁ ଫେରିଆସିବା ପରେ ପରିବାର କେମିତି ଚଳିବ? ସାନ ଦୁଇ ଭଉଣୀଙ୍କ ପାଠ ପଢ଼ା କେମିତି ହେବ? ପରିବାର ଚଳିବ କେମିତି? ଏମିତି ଯାବତିୟ ଜଞ୍ଜାଳ ଭିତରେ ଫଶିଗଲେ ଉତ୍ତମ। ସେଥିରୁ ମୁକୁଳିବା ପାଇଁ ଉତ୍ତମ ପାଠ ପଢ଼ା ସହିତ ପାର୍ଟ ଟାଇମ୍‌ କାମ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ବେଲପଡ଼ାରେ ଏକ ଚପଲ ଦୋକାନରେ କାମକଲେ। ଚପଲ ଦୋକାନରେ ଚାକିରି କରିବା ପରେ ଉତ୍ତମଙ୍କ ଦୈନନ୍ଦିନ କାର୍ଯ୍ୟ ଭୋର ୩ଟାରୁ ଆରମ୍ଭ ହୁଏ। ନିଜେ ପାଠ ପଢ଼ନ୍ତି। ନିତ୍ୟକର୍ମ ସାରିବା ପରେ ସକାଳ ୮ଟାରେ ଦୋକାନକୁ ଚାଲି ଯାଆନ୍ତି। ଦିନ ତମାମ ଦୋକାନରେ ବିକ୍ରି କରନ୍ତି। ଆଉ ରାତି ହେଲେ କ୍ଲାନ୍ତ ଶରୀର ଧରି ଫେରନ୍ତି ଉତ୍ତମ। ପୂରା ଦିନର କ୍ଲାନ୍ତିକୁ ବିଛଣାରେ ଶୁଆଇ ଦିଅନ୍ତି।

Advertisment

ଚପଲ ଦୋକାନରୁ ଉତ୍ତମଙ୍କୁ ପ୍ରତି ମାସ ଦରମା ଆକାରରେ ୫୦୦୦ ଟଙ୍କା ମିଳୁଥିଲା। ସେହି ଅର୍ଥରେ ନିଜେ ପାଠ ପଢ଼ିବା ସହିତ ଦୁଃଖ କଷ୍ଟରେ ସାନ ଦୁଇ ଭଉଣୀଙ୍କ ପାଠ ପଢ଼ା ଓ ଘର ଖର୍ଚ୍ଚ ଚଳାଉଥିଲେ ଉତ୍ତମ। ଅସୁସ୍ଥ ହୋଇଥିଲେ ମଧ୍ୟ ବାପା ଗାଁରେ କଷ୍ଟେମଷ୍ଟେ ଚାଷ କାମ କରୁଥିଲେ। ହେଲେ ପାଠ ପଢ଼ାଠାରୁ ଦୂରେଇ ଯାଇନଥିଲେ ଉତ୍ତମ। ପିଜି ପାସ୍‌ କରିବା ପରେ ଉତ୍ତମ ଇଗ୍ନୋରେ ବିଇଡି ପରୀକ୍ଷା ଦେଉଥିଲେ। ଆଉ ସଫଳତାର ସହ ପାସ୍‌ କରିଥିଲେ। ବିଇଡି ପାସ୍‌ କରିବା ପରେ ରାଜ୍ୟ ସରକାରଙ୍କ ହାଇସ୍କୁଲରେ ଶିକ୍ଷକ ଭାବେ ନିଯୁକ୍ତି ପାଇବା ପାଇଁ ଆବେଦନ କରିଥିଲେ। ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ମେଳାରେ ଉତ୍ତମଙ୍କୁ ନିଯୁକ୍ତି ମିଳିଛି। ସେ ଏବେ ହାଇସ୍କୁଲର ସ୍ମାର୍ଟ ଟିଚର ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ଖୋଲାଖୋଲି କହିଲେ ସନା...ବିଜେଡିରେ ରହିଛି, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛି

ଚପଲ ଦୋକାନରୁ ଶିକ୍ଷକତାର ଯାତ୍ରା ଭାରି ଯନ୍ତ୍ରଣାଦାୟକ ଥିଲା। ସେକଥା ମନେ ପକାଇ ଭାବପ୍ରବଣ ହୋଇପଡ଼ନ୍ତି ଉତ୍ତମ। କିନ୍ତୁ ସେ ଜୀବନର ସବୁ ଚ୍ୟାଲେଞ୍ଜକୁ ଗ୍ରହଣ କରିଥିବାରୁ ଆଜି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କଠାରୁ ନିଯୁକ୍ତିପତ୍ର ପାଇବା ପରେ ଆଜି ଉତ୍ତମ ଘରକୁ ଫେରିଛନ୍ତି। ବାପା, ମାଆ ଓ ଦୁଇ ଭଉଣୀଙ୍କ ଖୁସିର ଠିକଣା ନାହିଁ। ଦୁଇ ଭଉଣୀ ଭାଇ ଭାଇ ବୋଲି ଡାକି କୁଣ୍ଢାଇ ପକାଉଛନ୍ତି। ଆଉ ମାଆ ମୁଣ୍ଡରେ ବିଜୟ ତିଳକ ଲଗାଇ ବନ୍ଦାପନା କରି ପୁଅକୁ ଘର ଭିତରକୁ ପାଛୋଟି ନେଉଛନ୍ତି। ଆଉ ଉତ୍ତମ ଘରେ ପଶୁ ପଶୁ ଜନ୍ମଦାତ୍ରୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି।

(ରିପୋର୍ଟ- ପାଟଣାଗଡ଼ରୁ କରୁଣାକର ବୁଡେକ୍‌) 

Schools High School Balangir
Advertisment
Advertisment