ନବ ଦାସ ହତ୍ୟାକାଣ୍ଡକୁ ୨ ବର୍ଷ ପୂରିଛି । ହେଲେ ଏବେ ବି ହତ୍ୟାକାଣ୍ଡ ରହସ୍ୟାବୃତ । ନେତାଙ୍କଠୁ ଆରମ୍ଭ କରି ଜନତା । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଗୋପାଳ ଆଢୁଆଳରେ ପ୍ରକୃତ ଦୋଷୀ ଖସି ଯାଇଛି କି ? ବିଜେପି, କଂଗ୍ରେସ ସେତେବେଳର କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇ ଥିବା ବେଳେ ବିଜେଡି କହିଛି CBIକୁ ତଦନ୍ତ ଲାଗି ଲିଖିତ ଅଭିଯୋଗର ଆବଶ୍ୟକତା ନାହିଁ । ସରକାର ଚାହିଁଲେ ଦେଇପାରିବେ । ଏହାଭିତରେ ଝିଅ ଦୀପାଳି ଦାସ କହିଛନ୍ତି CBI ତଦନ୍ତ ଲାଗି ଖୁବଶୀଘ୍ର ଲିଖିତ ଭାବେ ସରକାରଙ୍କୁ ଜଣାଇବି ।
Also Read
ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀରେ ବି ନବ ଦାସ ହତ୍ୟାକୁ ନେଇ ଅସମାହିତ ପ୍ରଶ୍ନ । କ'ଣ ସତରେ ଗୋପାଳ ଏକମାତ୍ର ଅଭିଯୁକ୍ତ ? ନା ରିମୋଟ୍ କଣ୍ଟ୍ରୋଲ୍ ଥିଲା ଆଉ କାହା ହାତରେ ? ଯାହାଙ୍କ ନିର୍ଦ୍ଦେଶରେ ସେ ଘଟାଇଥିଲା ହତ୍ୟାକାଣ୍ଡ ? କିଏ ସେ ମାଷ୍ଟର ମାଇଣ୍ଡ ? କ୍ରାଇମବ୍ରାଞ୍ଚ ତଦନ୍ତରେ ଗୋପାଳ ଦାସ ଏକମାତ୍ର ଅଭିଯୁକ୍ତ ହୋଇଥିବା ବେଳେ ସାଧାରଣରେ କିନ୍ତୁ ସନ୍ଦେହ ଯେ ଏହା ଏକ ପ୍ରି ପ୍ଲାନଡ ମର୍ଡର । ଯାହାକୁ ଭିନ୍ନ ଦିଗ ଦେଇ ଚାପି ଦିଆଯାଇଛି !
ଅଧିକ ପଢ଼ନ୍ତୁ: ଶ୍ରୀଜଗନ୍ନାଥଙ୍କ ଜମି ଉପରେ ମାଫିଆଙ୍କ ଆଖି
ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ତଥା ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା ନା ବ୍ୟାବସାୟିକ ଶତ୍ରୁତାର ପରିଣତି । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠିବା ପରେ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ସିବିଆଇ ତଦନ୍ତ ଦାବି କରିଥିଲେ । ଆଉ ଆଜି ନବଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକୀରେ କହିଛନ୍ତି ବାପାଙ୍କ ହତ୍ୟାକାରୀକୁ ଧରିବା ପାଇଁ ସିବିଆଇ ତଦନ୍ତ ଲାଗି ସରକାରଙ୍କୁ ସପ୍ତାହେ ଦୁଇ ସପ୍ତାହେ ଭିତରେ ଲିଖିତ ଭାବେ ଜଣାଇବି ।
ସେପଟେ ଶ୍ରାଦ୍ଧ ଦିବସରେ ବି ରାଜନୈତିକ ବୟାନ ବାଜି କମିନି । ଭୁବନେଶ୍ବରରେ ଆୟୋଜିତ ନବକିଶୋର ଫାଉଣ୍ଡେସନ ପକ୍ଷରୁ ସ୍ମୃତି ଚାରଣ ଉତ୍ସବରେ ଅନେକ ରାଜନେତା ଓ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଏଥିରେ ଯୋଗ ଦେଇ ହତ୍ୟାକାଣ୍ଡକୁ ନେଇ ସାଂଘାତିକ ବୟାନ ଦେଇଛନ୍ତି । କହିଛନ୍ତି, ହତ୍ୟା ପଛରେ ଜଣେ ଆଇପିଏସ୍, ଜଣେ ଆଇଏଏସ୍ ଓ ଦୁଇ ରାଜନେତାଙ୍କ ହାତ ଅଛି । କୌଣସି ଶତ୍ରୁତା ନଥାଇ କାହିଁକି ଗୋପାଳ ହତ୍ୟାକଲା ? ଗୁଳି ବାଜିଥିବା ସାର୍ଟ, ଗୁଳି ଗଲା କୁଆଡେ ? ତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି । ସେହିପରି ରାଜସ୍ବ ମନ୍ତ୍ରୀ କହିଛନ୍ତି ନବ ଦାସଙ୍କ ହତ୍ୟାକାଣ୍ଡ ଗୋଟିଏ ସ୍କ୍ରିପ୍ଟ । ଯେଉଁମାନେ ତଦନ୍ତ କରୁଥିଲେ ସେମାନଙ୍କ ଆଚରଣ ଉଚ୍ଚାରଣ କହୁଥିଲା ଯେ ସେମାନେ ତଦନ୍ତକୁ ଦିଗହରା କରୁଛନ୍ତି । ଯେଉଁ ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି ତା’ର ବିଚାରରେ କୌଣସି ମୂଲ୍ୟ ନାହିଁ ।
ସେପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ବ୍ୟାବସାୟିକ ଶତ୍ରୁତା ଦିଗକୁ ପୁଣିଥରେ ଇଙ୍ଗିତ କରିଛନ୍ତି । କୋଲ୍ ଏରିଆ ଛାଡିବା ପାଇଁ ସ୍ବର୍ଗତ ନବ ଦାସଙ୍କୁ ତତ୍କାଳୀନ ଝାରସୁଗୁଡା ଏସ୍ପି ଓ ଜିଲ୍ଲାପାଳ କହୁଥିବା କହି ବିଜେଡି ସରକାର ସମୟର ତଦନ୍ତ ପ୍ରକ୍ରିୟାକୁ ଟାର୍ଗେଟ କରିଛନ୍ତି ସାଲୁଜା । କିନ୍ତୁ ବିଜେଡିର ଯୁକ୍ତି ହତ୍ୟାକାଣ୍ଡ ତଦନ୍ତରେ ଯଦି ସନ୍ଦେହ ଅଛି ତାହାଲେ ସରକାର ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ । ଏବେ ଦେଖିବାର କଥା ସ୍ବର୍ଗତ ନବ ଦାସଙ୍କ ପରିବାର ପକ୍ଷରୁ କେବେ ଲିଖିତ ଭାବେ ସିବିଆଇ ତଦନ୍ତ ଲାଗି ସରକାରଙ୍କୁ ଅବଗତ କରାଯାଉଛି । ଆଉ ତାପରେ ସରକାର କି ପଦକ୍ଷେପ ନେଉଛନ୍ତି ।