ମାଲକାନଗିରି ଜିଲ୍ଲାର ଆଦିମ ଜନଜାତି ବଣ୍ଡାଙ୍କ ଭରସା ପାଲଟିଛି ଚୁଆ ପାଣି । ଦିନେ କି ଦୁଇ ଦିନ ନୁହେଁ ବର୍ଷ ବର୍ଷ ଧରି ଖରା ହେଉ ବା ଶୀତ ପିଉଛନ୍ତି ସେହି ଗୋଳିଆ ଚୁଆ ପାଣି । କେବଳ ମଣିଷ ନୁହେଁ ପଶୁପକ୍ଷୀ ମଧ୍ୟ ସେହି ଗୋଟିଏ ସ୍ଥାନର ଚୁଆ ପାଣି ଉପରେ ଭରସା କରନ୍ତି । ଏନେଇ ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦୁଇ ଦୁଇ ଥର ଅଭିଯୋଗ କରିବା ପରେ ମଧ୍ୟ ଘାଟିର ତାଗାବେଡା ଗ୍ରାମକୁ ମିଳିପାରିଲା ନାହିଁ ଗୋଟିଏ ବି ନଳକୂପ ।
ସାରା ଓଡ଼ିଶା ତାତିର ତାଉରେ ଜୁଝି ହେଉଛି । ଆଉ ସେପଟେ, ପାହାଡ଼ ସେପାଖ ଗାଁରେ ଲୋକେ, ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି । ପ୍ରକୃତି କୋଳରେ ରହିଛନ୍ତି କିନ୍ତୁ ପ୍ରଶାସନର ଉଦାସିନତା ଓ ହତାଦର ସହୁଛନ୍ତି । ସେଥିପାଇଁ ତ ଆଜି ବି ସେମାନେ ସ୍ବଚ୍ଛ ପାଣି ମୁନ୍ଦେ ପାଇ ପାରୁନାହାନ୍ତି । କରିବେ ତ କରିବେ କଣ, ଅଳିଆ ପାଣିକୁ ଚୁଆରୁ ଛାଣି ପିଇବାକୁ ବାଧ୍ୟ ହେଉଛନ୍ତି ।
Also Read
ଗୁହାରୀ କରିଛନ୍ତି କିନ୍ତୁ ଜିଲ୍ଲା ପ୍ରଶାସନ ଏହି ବଣ୍ଡା ଘାଟିର ଆଦିମ ଜନଜାତିଙ୍କୁ ସତେ ଯେମିତି ଅନାଦର କରୁଛନ୍ତି । ଏମିତି କିଛି ଏମାନଙ୍କ ଆଖିରୁ ବାରି ହୋଇ ପଡୁଛି । ମାଲକାନଗିରି ବଣ୍ଡା ଘାଟିର ତାଗାବେଡା ଗାଁର ଲୋକେ ନିଜ ମୁହଁରେ ବଖାଣିଛନ୍ତି ଜଳ ଯନ୍ତ୍ରଣାର ବ୍ୟଥା । ସମସ୍ୟା ଆଜିକାର ନୁହେଁ ବର୍ଷ ବର୍ଷର । କି ଖରା କି ବର୍ଷା ବର୍ଷକ ବାରମାସ ସ୍ବଚ୍ଛ ଜଳ ଟୋପେ ଏମାନଙ୍କ ପାଇଁ ସତେ ଯେମିତି ସାତ ସପନ।
ସରକାର ଆସିଛି ଯାଇଛି, ନେତା ଆସିଛନ୍ତି ଯାଇଛନ୍ତି । ହେଲେ ସମସ୍ୟାର ସମାଧାନ ହୋଇପାରିନି । ଏପରିକି ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ ହୋଇଛି କିନ୍ତି ସମାଧାନ ଶୂନ । ସେପଟେ ଏହି ଚୁଆ ପାଣି ପାଇ ବଣ୍ଡା ଜନଜାତିର ଲୋକେ ନାନାଦି ରୋଗରେ ପଡ଼ୁଛନ୍ତି ।
ଅନ୍ୟପଟେ ଗାଁରେ ଲାଗି ରହିଥିବା ଜଳ ସମସ୍ୟାକୁ ନେଇ ପ୍ରଶାସନ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରୁନି । ଗାଁରେ ନଳକୂପ ଖୋଳିବା ପାଇଁ ରାସ୍ତା ନଥିବା ବେଳେ ବେଳେ ଏବେ ଏବେ ଏହାର ନିର୍ମାଣ ସରିଛି । ଖୁବ୍ଶୀଘ୍ର ରାସ୍ତା ସମସ୍ୟାର ସମାଧାନ ଭଳି ଖୁବ୍ଶୀଘ୍ର ଜଳ ଯନ୍ତ୍ରଣାର ଲାଘବ ହେବ ବୋଲି ପ୍ରତିଶ୍ରୁତି ଦେଇଛି ଜିଲ୍ଲା ଜଳ ଓ ପରିମଳ ବିଭାଗ । ଏବେ ଦେଖିବାର କଥା ପ୍ରଶାସନ କେବେ ଖୋଳୁଛି ନଳକୂପ ଆଉ କେବେ ବିଶୁଦ୍ଧ ପାନୀୟ ଜଳ ପାଉଛନ୍ତି ଉପାନ୍ତର ଆଦିବାସୀ ।
ଅଧିକ ପଢ଼ନ୍ତୁ: କାଲିଠୁ ସକାଳୁଆ ସ୍କୁଲ୍, ସାଢ଼େ ୧୦ରେ ସରିବ କ୍ଲାସ୍

OTV is now on Whatsapp
ପ୍ରତି ମୁହୂର୍ତ୍ତରେ ଖବରର ଅପଡେଟ୍ ପାଇଁ ଫଲୋ କରନ୍ତୁ ଓଟିଭିର ହ୍ଵାଟ୍ସଅପ ଚ୍ୟାନେଲ୍ କୁ
Join Now