• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମହାବଳ ବଂଶ ବଢ଼ାଇବାକୁ ଶିମିଳିପାଳ ଆସିଥିଲେ ବାଘୁଣୀ ଯମୁନା ଆଉ ଜିନତ୍ । କିନ୍ତୁ ଜିନତ୍ ଏବେ ଝାଡ଼ଖଣ୍ଡରେ, ଆଉ ଯମୁନା କୁଲଡ଼ିହାରେ। ଏମିତିକି ଜିନତ୍ ୪ ଦିନ ହେଲା ନ ଖାଇ ଦୁର୍ବଳ ହୋଇଯାଇଥିବା କହିଛନ୍ତି ଜଙ୍ଗଲ ମନ୍ତ୍ରୀ । ଏମିତି ସ୍ଥିତିରେ ମହାରାଷ୍ଟ୍ରରୁ ଆସିଥିବା ଏ ଦୁଇ ବାଘୁଣୀ ଆଗକୁ ଶିମିଳିପାଳ ଫେରିବେ ନା ନାହିଁ, ତା’କୁ ନେଇ ଦେଖାଦେଲାଣି ଆଶଙ୍କା ।

ଭୋକିଲା ପେଟରେ ବୁଲୁଛି ବାଘୁଣୀ ଜିନତ୍ । ୪ ଦିନ ହେଲା କିଛି ଖାଇନି । ଚାଲିବାକୁ ବି ଜୁ’ ପାଉନି । ଏଭଳି ସ୍ଥିତିରେ ଝାଡ଼ଖଣ୍ଡରୁ କିଭଳି ଓଡ଼ିଶା ଫେରିବ ଜିନତ୍, ଚିନ୍ତାରେ ବନ ବିଭାଗ । କାରଣ, ନଖାଇ ନପିଇ ଦୁର୍ବଳ ହୋଇ ପଡ଼ିଥିବା ଏ ମରାଠା ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବା ଘାତକ ହୋଇପାରେ । ଖୋଦ୍ ଜଙ୍ଗଲ ମନ୍ତ୍ରୀଙ୍କ ଏମିତି ବୟାନ ପରେ ଡିସେମ୍ବର ୧୦ରୁ ଶିମିଳିପାଳ ଛାଡ଼ିଥିବା ଜିନତର ଘର ବାହୁଡ଼ା ଏବେ ଅନିଶ୍ଚିତତାରେ । ତେବେ ମନ୍ତ୍ରୀ ପୁଣି କହିଛନ୍ତି, ଜିନତ୍ ଉପରେ ତୀକ୍ଷଣ ନଜର ରଖାଯାଇଛି । ଓଡ଼ିଶା ବନ ବିଭାଗର ସ୍ବତନ୍ତ୍ର ଟିମ୍ ଝାଡ଼ଖଣ୍ଡରେ ରହି, ବାଘୁଣୀକୁ ମନିଟର କରୁଛି । ତା’କୁ ଶିମିଳିପାଳ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି।

ଅଧିକ ପଢ଼ନ୍ତୁ: ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ

ଇନ୍ ବ୍ରିଡିଂ ରୋକିବା ସହ ମହାବଳ ବଂଶ ବିସ୍ତାର ଲାଗି ମହାରାଷ୍ଟ୍ର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ପ୍ରଥମେ ବାଘୁଣୀ ଯମୁନା ଓ ପରେ ପରେ ଜିନତକୁ ଶିମିଳିପାଳ ଅଣାଯାଇଥିଲା । ପ୍ରଥମେ ବାଘୁଣୀ ଜିନତ୍ ଝାଡ଼ଖଣ୍ଡ ଚାଲିଯାଇଥିଲା, ଆଉ ଏବେ ଯମୁନା ବି ଶିମିଳିପାଳ ଛାଡ଼ି କୁଲଡିହା ଅଭୟାରଣ୍ୟରେ । ହେଲେ ଦୁଇ ବାଘୁଣୀ ଶିମିଳିପାଳ ଛାଡ଼ିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ, କାହିଁକି ଶିମିଳିପାଳରୁ ମୁହଁ ଫେରାଇ ନେଉଛନ୍ତି ?

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ, ଶିମିଳିପାଳରେ ପୂର୍ବରୁ ଅନେକ ମହାବଳ ଅଛନ୍ତି । ଖାଦ୍ୟର ବି ଅଭାବ ନାହିଁ । କିନ୍ତୁ ହୁଏତ, ମହାରାଷ୍ଟ୍ରରୁ ଏ ଦୁଇ ବାଘୁଣୀ ଆସିବା ପରେ ଇଲାକାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଲଢ଼େଇ ହୋଇଥାଇପାରେ । ଅଥବା ନିଜସ୍ବ ଟେରିଟୋରି ତିଆରି ପାଇଁ ସେମାନେ ଶିମିଳିପାଳ ଛାଡ଼ି ଥାଇପାରନ୍ତି । ଯଦି ଏଭଳି ହୋଇଥାଏ, ସେମାନଙ୍କର ଶିମିଳିପାଳ ଫେରିବାର ସମ୍ଭାବନା ଯଥେଷ୍ଟ ରହିଛି। ଅନ୍ୟପଟେ ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଜଙ୍ଗଲରୁ ଜଙ୍ଗଲ ବୁଲିବା ମହାବଳଙ୍କ ପାଇଁ ଏକ ସ୍ବାଭାବିକ ପ୍ରକ୍ରିୟା । ଯମୁନା ଓଡ଼ିଶା ସୀମା ଭିତରେ ରହିଛି । ଜିନତ୍ ବି ଧୀରେ ଧୀରେ ଶିମିଳିପାଳ ମୁହାଁ ହେଲାଣି ।

ରେଡିଓ କଲାର ଜରିଆରେ ବନ ବିଭାଗର ରାଡାରରେ ଅଛନ୍ତି ଉଭୟ ଜିନତ୍ ଓ ଯମୁନା । ହେଲେ ଆଗକୁ ସେମାନେ ଶିମିଳିପାଳ ଫେରିବେ, ନା ଅନ୍ୟ କେଉଁ ଜଙ୍ଗଲକୁ ନିଜର ନୂଆ ବାସସ୍ଥଳୀ କରିବେ, ତାହା ଏବେ ବଡ଼ ପ୍ରଶ୍ନ ।

ଅଧିକ ପଢ଼ନ୍ତୁ: IAS ବିଷ୍ଣୁପଦ ସେଠୀ କେଉଁଠି ? CBI ସମନ ପରଠୁ ଅଦୃଶ୍ୟ

  • Reported by:
  • GAUTAM PANDA , KAPILENDRA PRADHAN , SOUMYA RANJAN SAHOO

OTV is now on Whatsapp

Join and get latest news update delivered to you via whatsapp

Join Now