ରବିବାର ସକାଳେ ଉପମା ଘୁଗୁନି । ଦ୍ୱିପ୍ରହରରେ ଗରମ ଭାତ, ଡାଲି, ଚିକେନ୍ ତରକାରି, ଉପରବେଳିଆ ଚୁଡା ଭଜା, ମିକ୍ସଚର । ଆଉ ରାତିକୁ ଭାତ ଡାଲମା ସାଙ୍ଗକୁ ଖଟା । ସେମିତି ସୋମବାର ସକାଳୁ ଚୁଡ଼ା ଚିନି କଦଳୀ ଚକଟା । ଦ୍ୱିପ୍ରହରରେ ଭାତ ଡାଲି ମିକ୍ସ ତରକାରୀ, ଉପରବେଳିଆ ମୁଢ଼ି, ବୁଟସିଝା ଆଉ ରାତିକୁ ଗରତ ଭାତ ଡାଲମା ଭଜା । ଆମେ କେବଳ ରବିବାର ଆଉ ସୋମବାରର ଖାଦ୍ୟ ସାରଣୀ ପଢି ଆପଣଙ୍କୁ ଜଣାଇଲୁ । ସପ୍ତାହ ଯାକର ଜଣାଇଥିଲେ ଆପଣ ଭାବିଥାଆନ୍ତେ ଯାହା ହେଉ କୁନିକୁନି ପିଲାମାନଙ୍କୁ ଉତ୍ତମ ପୁଷ୍ଟିକର ଖାଦ୍ୟ ସବୁ ଯୋଗାଇ ଦିଆଯାଉଛି ।
Also Read
ଉପମା, ସୁଜି, ପାଉଁରୁଟି, ଫଳମୂଳ ଅଣ୍ଡା ଯାହା ଦେଖିବ ଏଠି ସବୁ କିଛି ପିଲାଙ୍କୁ ମିଳୁଛି । ହେଲେ କାଗଜ କଲମରେ ଛୁଆଙ୍କୁ ଯାହା ମିଳୁଛି ବାସ୍ତବରେ ତା’ର ଚିତ୍ର ପୂରା ଭିନ୍ନ । ଏଠି ଛୁଆଙ୍କୁ ମିଳୁଛି ବାସୀ ପଖାଳ ଓ ଗଲା ରାତିର ଗନ୍ଧିଆ ଚଣା ତରକାରୀ ଆଉ ତା ସାଙ୍ଗକୁ ଲୁଣ ଲଙ୍କା ଉଲିପିଆଜ ଅଣପାଣି । ଆଉ ଏହାକୁ ଖାଉଛନ୍ତି ଆମ ରାଜ୍ୟର ଦିବ୍ୟାଙ୍ଗ କୋମଳମତି ପିଲାଏ । ବର୍ଷ ବର୍ଷ ଧରି ଏଠି ଏମିତି ଚାଲିଛି । ପିଲାଏ ସିନା ଖାଉଛନ୍ତି ତାଙ୍କର କିନ୍ତୁ ଉତ୍ସାହ ନାହିଁ । ପାଟିକୁ ଭାତ ଗୁଣ୍ଡା ଯାଉନି । ଖାଦ୍ୟ ସାରଣୀର ଖାଦ୍ୟ ଆଉ ସେ ଖାଉଥିବା ଖାଦ୍ୟ ଭିତରେ ଆକାଶ ପାତାଳ ଫରକ ।
ଅଧିକ ପଢ଼ନ୍ତୁ: ନୂଆବର୍ଷରେ ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼, ବ୍ୟାରିକେଡ୍ ଭାଙ୍ଗିଲେ ଶ୍ରଦ୍ଧାଳୁ
କୁନିକୁନି ପିଲାଏ ସମସ୍ତେ ଦିବ୍ୟାଙ୍ଗ । କିଏ ଦୃଷ୍ଟିବାଧିତ ତ କିଏ ବାକଶକ୍ତିରୁ ବଞ୍ଚିତ ତ ଆଉ କିଏ ଦୁନିଆର କୋଳାହଳ କ’ଣ ଜାଣେ ନାହିଁ । ସେମାନେ ସମସ୍ତେ ନିଜ ଘର ଛାଡ଼ି ଆସି ଏଠାରେ ସ୍ୱତନ୍ତ୍ର ସୁବିଧାରେ ପାଠ ପଢ଼ିବେ ବୋଲି ଆଶ୍ରୟ ନେଇଛନ୍ତି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ନାରାୟଣପୁର ଗ୍ରାମର ଏକ ସ୍ୱତନ୍ତ୍ର ବିଦ୍ୟାଳୟ । ଏମାନେ ନିଜନିଜ ଢଙ୍ଗରେ ସ୍ୱତନ୍ତ୍ର ଭାବରେ ସକ୍ଷମ… କିଏ ଭଲ ଗୀତ ଗାଇବାକୁ ଚାହେଁ, କିଏ ନାଚିବାକୁ ଚାହେଁ ତ କିଏ ପଢିବାକୁ ଚାହେଁ । କିଏ ଜାଣେ ଏମାନେ ବଡ଼ ହେଲେ ଆଗକୁ କେତେ ପ୍ରତିଭାବାନ୍ ନ ହେବେ? ହେଲେ ଆମ ବ୍ୟବସ୍ଥା ଏମାନଙ୍କ ପାଇଁ ପଙ୍ଗୁ ହୋଇଯାଇଛି । ଏମାନଙ୍କ ପାଇଁ ଆସୁଥିବା ସବୁ ଟଙ୍କା ଖାଉଛି କିଏ ?
ଅଧିକ ପଢ଼ନ୍ତୁ: ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ଫୁଟିଲା ଗୁଳି, ବୁଲିଲା ଛୁରୀ
ଯେଉଁଠି ଦିବ୍ୟାଙ୍ଗ ପିଲାମାନଙ୍କୁ ଖାଇବାକୁ ଭଲରେ ମୁଠେ ଦିଆଯାଇ ପାରୁନି, ସେଠି ଭଙ୍ଗା ଶ୍ରେଣୀ ଗୃହ, ଅକାମୀ ସିସିଟିଭି, ନଥିବା ବିଶ୍ରାମ କକ୍ଷ କଥା ପଚାରେ କିଏ । ଏଠି ପିଲାମାନେ ପଢନ୍ତି ଯେଉଁଠି, ଶୁଅନ୍ତି ସେଇଠି । ନାଁକୁ ମାତ୍ର ଆବାସିକ ହେଲେ ଏଠି କିଛି ନାହିଁ । ଶିକ୍ଷକ ଅଭାବ, ଭିତ୍ତିଭୂମି ଅଭାବ। ଏଠି କିଛି ନାହିଁ। ଏ ଦିବ୍ୟାଙ୍ଗ ପିଲାମାନଙ୍କୁ ସତେ ଯେମିତି ଭଗବାନ ଭରସା ।