ବର୍ଷ ୨୦୨୫କୁ ସ୍ୱାଗତ କରିବା ପାଇଁ ଧୁମଧାମରେ ଚାଲିଥିଲା ସେଲିବ୍ରେସନ୍ । ଜିରୋ ନାଇଟ୍ରେ ମସଗୁଲ ଥିଲେ ସମସ୍ତେ । ଗୀତର ତାଳେ ତାଳେ ଝୁମୁଥିଲେ ସମସ୍ତେ । କିନ୍ତୁ ଠିକ୍ ଏତିକି ବେଳେ ଫୁଟିଥିଲା ଗୁଳି, ହୋଇଥିଲା ଅତର୍କିତ ଛୁରାମାଡ଼ । କେହି କିଛି ବୁଝିବା ପୂର୍ବରୁ ଛୁରାମାଡ଼ରେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଜିରୋ ନାଇଟ୍ରେ ଏମିତି ଏକ ସାଂଘାତିକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଗଣ୍ଡପାଲ୍ଲୀ ଓଡ଼ିଆରପି କଲୋନୀରେ ।
Also Read
ଅଧିକ ପଢ଼ନ୍ତୁ: ରାଜ୍ୟ ଭିଜିଲାନ୍ସ ନାଁରେ ନୂଆ ରେକର୍ଡ; ୬ ମାସରେ ଧରାପଡ଼ିଛନ୍ତି ୫୦ କ୍ଲାସ୍ ୱାନ୍ ଅଫିସର୍...
ସୂଚନା ଅନୁସାରେ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଗତକାଲି ବିଳମ୍ବିତ ରାତିରେ ଗଣ୍ଡାପଲ୍ଲୀ ଓଡିଆରପି କଲୋନୀସ୍ଥିତ ଭଡ଼ା ଘରେ କିଛି ଯୁବକ ପାର୍ଟି କରୁଥିଲେ । ଠିକ୍ ଏହି ସମୟରେ ଘଟଣାସ୍ଥଳରେ କିଛି ଯୁବକ ଆସି ପହଞ୍ଚିଥିଲେ । ଉଭୟ ପକ୍ଷ ମଧ୍ୟରେ କିଛି ସମୟ ବଚସା ହୋଇଥିଲା । ତେବେ ଏହା ଉଗ୍ର ରୂପ ଧାରଣ କରିବାରୁ ଘଟଣାସ୍ଥଳରେ ଗୁଳିମାଡ଼ ହେବା ସହ ଛୁରାମାଡ଼ ମଧ୍ୟ ହୋଇଥିଲା । ତେବେ ଏହି ଛୁରାମାଡ଼ରେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁଳିମାଡ଼ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ୪ ଜଣ ଗୁରୁତରଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ୪ ଜଣଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ପ୍ରେମ ବ୍ୟାପାରକୁ ନେଇ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ସେପଟେ ଗୁଳିକାଣ୍ଡ ଭିଆଇ ଥିବା କିଛି ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ ରମ୍ଭା ପୋଲିସ୍ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ।