ନୂଆବର୍ଷରେ କାଳିଆ ଦର୍ଶନ ପାଇଁ ପ୍ରବଳ ଭିଡ଼ ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ବିଗିଡ଼ିବା ପରେ ବ୍ୟାରିକେଡ୍ ଭାଙ୍ଗି ଯାଇଛି । ସିଂହଦ୍ବାର ସମ୍ମୁଖରେ ଥିବା ବ୍ୟାରିକେଡକୁ ଭକ୍ତମାନେ ଭାଙ୍ଗି ଦେଇଛନ୍ତି । ନୂଆବର୍ଷ ଅବସରରେ ଆଜି ସକାଳୁ ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଜନସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ । ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ବାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଚାଲିଛି ।
Also Read
ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଏହା ସତ୍ତ୍ବେ ଆଜି ଏମିତି ଅଘଟଣର ଖବର ସାମ୍ନାକୁ ଆସୁଛି । ନୂଆବର୍ଷରେ ଅସମ୍ଭାଳ ଭିଡ଼କୁ ଲକ୍ଷ୍ୟ କରି ପୁରୀରେ ୬୦ ପ୍ଲାଟୁନ ଫୋର୍ସ ଓ ୩୫୦ ଅଧିକାରୀ ମୁତୟନ ହୋଇଛନ୍ତି । ଏହାସତ୍ତ୍ୱେ ଏପରି ସ୍ଥିତି ଉପୁଜିବାରୁ ପୁଲିସ୍ ମୁତୟନକୁ ଆହୁରି କଡ଼ାକଡ଼ି କରାଯାଇଛି।
ତେବେ ନୂଆ ବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ । ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ କରାଇବାକୁ ପ୍ରସ୍ତୁତ ରହିଛନ୍ତି ପୋଲିସର ସ୍ବତନ୍ତ୍ର ଟିମ୍ ଓ ଭଲ୍ୟୁଣ୍ଟିଅର। ନୂଆବର୍ଷ ପାଇଁ ମାର୍କେଟ ଛକଠାରୁ ନୋ ଭେହିକିଲ୍ ଜୋନ୍ କରାଯାଇଛି । ଭୁବନେଶ୍ବର, କୋଣାର୍କ ଓ ବ୍ରହ୍ମଗିରି ପଟରୁ ଆସୁଥିବା ଗାଡ଼ି ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରିଛି ପ୍ରଶାସନ। ୨୪ ଘଣ୍ଟିଆ ଇଣ୍ଟିଗ୍ରେଟେଡ ବା ସମନ୍ୱିତ କଣ୍ଟ୍ରୋଲ ରୁମ୍ ତୟାର ରହିଛି। ବେଳାଭୂମିରେ ବି ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ତୀକ୍ଷଣ ନଜର ରହିଛି ।