କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି ବା KIIT ବିରୋଧରେ ଅଭିଯୋଗର ଫର୍ଦ୍ଦ ବହୁ ଲମ୍ବା । ନେପାଳୀ ଛାତ୍ରୀଙ୍କ ମୃତ୍ୟୁକୁ ବିରୋଧ କରୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କୁ KIIT ବିଶ୍ବବିଦ୍ୟାଳୟ ଭିତରେ ମାଡ଼ ମାରି ବିଦା କରିବା ଘଟଣା ପରେ କିଟ୍ର ଅସଲ ମୁଖା ପୁଣି ପଦାକୁ ଆସିଛି । ରାଜଧାନୀର ଛାତି ଉପରେ କିଟ୍ ନାଁରେ ଶହ ଶହ ଏକର ଜମି ହଡ଼ପ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ରହିଛି ଲମ୍ବା ଅଭିଯୋଗ ଫର୍ଦ୍ଦ । କେବଳ କିଟ୍ ନୁହେଁ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଢାଲ କରି କେମିତି କିସ୍ ମାଧ୍ୟମରେ ନିଜ ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି ଅଚ୍ୟୁତ ତାହା ଏବେ ପଦାକୁ ଆସିଛି ।
Also Read
କିସ୍ ନେଇ ଅଚ୍ୟୁତଙ୍କ ମନ୍ତବ୍ୟ ଓ ପ୍ରକୃତ ତଥ୍ୟ କ'ଣ:
୧- କିସ୍ ଚଳାଇବା ପାଇଁ ଆମେ କୌଣସି ସରକାରୀ ପାଣ୍ଠି ଗ୍ରହଣ କରୁନାହୁଁ
ତଥ୍ୟ- କିସ୍ ପବ୍ଲିକ୍ ଫଣ୍ଡ ଦ୍ବାରା ତିଆରି ହୋଇଛି ଓ ପବ୍ଲିକ ପାଣ୍ଠିରେ ହିଁ ପରିଚାଳିତ ହେଉଛି । ଆଦିବାସୀ ସ୍କୁଲ ଓ ହଷ୍ଟେଲ ପରିଚାଳନା ପାଇଁ କିସ୍ ସରକାରଙ୍କଠାରୁ ମୋଟା ଅଙ୍କର ଅନୁଦାନ ନିଏ । ୩୨ ଏକର ସରକାରୀ ଜମି ଉପରେ ଛିଡ଼ା ହୋଇଛି କିସ୍ କ୍ୟାଂପସ । କିସ୍ ଭିତ୍ତିଭୂମି ବିକାଶ ପାଇଁ ୨୦୦୭-୦୮ରୁ ୨୦୧୧-୧୨ ମଧ୍ୟରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟଠାରୁ ୧୨ କୋଟି ଟଙ୍କା ନେଇଛନ୍ତି ଅଚ୍ୟୁତ । ୨୦୧୭-୧୮ ଓ ୨୦୧୮-୧୯ରେ ବିଭିନ୍ନ NGO ଠାରୁ ୨୧ କୋଟି ୪୨ ଲକ୍ଷ ଟଙ୍କା ଗ୍ରହଣ କରିଛି କିସ୍ । NGO ଠାରୁ ଏତେ ପରିମାଣର ପାଣ୍ଠି ନେବାରେ ଏହା ଦେଶରେ ସର୍ବାଧିକ । ଆଦିବାସୀ ଶିଶୁଙ୍କ ନାଁରେ ବିଭିନ୍ନ ରାଷ୍ଟ୍ରରୁ କିସ୍ ନେଇଛି ୨୦ କୋଟିର ବିଦେଶୀ ଅନୁଦାନ । ଆଦିବାସୀ ପିଲାଙ୍କ ମାଟ୍ରିକ ପରବର୍ତ୍ତୀ ଛାତ୍ରବୃତ୍ତି ବାବଦରେ ପ୍ରତିବର୍ଷ କିସ୍ ରାଜ୍ୟ ସରକାରଙ୍କ ଠାରୁ ୫ କୋଟି ଟଙ୍କା ପାଇଥାଏ ।
ଅଧିକ ପଢ଼ନ୍ତୁ: ‘ଫାଉଣ୍ଡର ସାମନ୍ତ କହିଥିଲେ, ମୁଁ ତୁମକୁ ଦେଖାଉଛି...ମୁଁ କ’ଣ କରିପାରେ’
ସେହିପରି ରାଜ୍ୟ ସରକାରଙ୍କ ଠାରୁ କିସ୍ ରିହାତି ଦରରେ ଚାଉଳ ପାଇଥାଏ । ୨୦୧୭ର ବିଧାନସଭା ତଥ୍ୟ ଅନୁଯାୟୀ କିସ୍ର ଆଦିବାସୀ ସ୍କୁଲର ୫ ହଜାର ପିଲାଙ୍କ ଲାଗି ରାଜ୍ୟ ସରକାର ପ୍ରତି ମାସରେ ୭୫ ଟନ୍ ଚାଉଳ ଯୋଗାଉଛନ୍ତି । ଅର୍ଥାତ ପ୍ରତିବର୍ଷ ରାଜ୍ୟ ସରକାର କିସ୍କୁ ଚାଉଳ ଦେବା ବାବଦରେ ଖର୍ଚ୍ଚ କରୁଛନ୍ତି ୨୨ କୋଟି ୫୦ ଲକ୍ଷ ଟଙ୍କା ।
୨- ଶିଶୁ ଅଧିକାର ସୁରକ୍ଷା ଆଇନର ଅନୁପାଳନ କରିଥାଏ କିସ୍
ପ୍ରକୃତ ତଥ୍ୟ - ଅଚ୍ୟୁତଙ୍କ ଦାବି ସଂପୂର୍ଣ୍ଣ ମିଛ। ହଷ୍ଟେଲର ଯାଂଚ ପାଇଁ କୌଣସି ସରକାରୀ ଅଧିକାରୀଙ୍କୁ ଅନୁମତି ମିଳିନଥାଏ । ଅନେକ ଦାବି ପରେ ଖୋର୍ଦ୍ଧା CWCଙ୍କ ପକ୍ଷରୁ ୨୦୧୭ରେ କିସ୍ କ୍ୟାଂପସ ଯାଂଚ ପରେ ଆସିଥିଲା ସାଂଘାତିକ ତଥ୍ୟ । CWC ରିପୋର୍ଟରେ ଆଦିବାସୀ ଶିଶୁଙ୍କ ଅଧିକାର ଉଲ୍ଲଂଘନ ନେଇ ତଥ୍ୟ । ୨୦୧୭ ସୁଦ୍ଧା ରାଜ୍ୟ ସରକାରଙ୍କ ଆଦିବାସୀ ବ୍ୟାପାର ବିଭାଗଠାରୁ ସ୍ବୀକୃତି ପାଇନଥିଲା କିସ୍ ଆଦିବାସୀ ସ୍କୁଲ ।
ସେହିପରି ପିଲାଙ୍କ ପାଇଁ ହଷ୍ଟେଲରେ ନଥିଲା ପର୍ଯ୍ୟାପ୍ତ ଶୌଚାଳୟ । ୪ ଶହ ପିଲାଙ୍କ ପାଇଁ ଥିଲେ ମାତ୍ର ୨ ଜଣ ସୁପରଭାଇଜର । ପିଲାଙ୍କୁ ପୋଷଣଯୁକ୍ତ ଖାଦ୍ୟ ଦିଆଯାଉନଥିଲା । ସକାଳ ଜଳଖିଆରେ କେବଳ ଚୂଡ଼ା ଓ ଚିନି ଦିଆଯାଉଥିଲା । ପିଲାଙ୍କ ଖାଦ୍ୟ ପାଇଁ କୌଣସି ମେନୁ ଚାର୍ଟ ମଧ୍ୟ ନଥିଲା । ଦିନକୁ ଦୁଇ ଥର ଦିଆଯାଉଥିବା ମିଲ୍ସ ଭିତରେ ଲମ୍ବା ଗ୍ୟାପ୍ ରହୁଥିଲା। ଫଳରେ ଶିଶୁ କୁପୋଷଣ ଓ ରକ୍ତହୀନତାର ଶିକାର ହେଉଛନ୍ତି ।