Subhadra Yojana: କାଲି ମିଳିବ ୧୮ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା, ଯାଜପୁରରେ ଚତୁର୍ଥ ପର୍ଯ୍ୟାୟ କିସ୍ତି ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ

ଆସନ୍ତାକାଲି ଆଉ ୧୮ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରିବେ ।

କାଲି ପୁଣି ସୁଭଦ୍ରା ଟଙ୍କା

କାଲି ମିଳିବ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ପ୍ରାୟ ୧୮ ଲକ୍ଷ ମହିଳାଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ NPCIରେ ଅସୁବିଧା ଯୋଗୁଁ ବଞ୍ଚିତ ହେଲେ ମାର୍ଚ୍ଚ ୮ରେ ଟଙ୍କା ମିଳିଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରଭାତୀ । ସେପଟେ ପର୍ଯ୍ୟାୟ ପରେ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳୁଥିଲେ ବି ଅନେକ ଆବେଦନକାରୀ ଏହା ନପାଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ତାସହ ଆସନ୍ତାକାଲି ସେମାନଙ୍କୁ ଟଙ୍କା ମିଳିଯିବ ବୋଲି ଆଶା ବି ରଖିଛନ୍ତି ।

ଆସନ୍ତାକାଲି ଆଉ ୧୮ ଲକ୍ଷରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ଯାଜପୁରରେ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପ୍ରଦାନ କରିବେ । ଏହି ପର୍ଯ୍ୟାୟ ଟଙ୍କା ପ୍ରଦାନ ପରେ ମୋଟ ସୁଭଦ୍ରା ଟଙ୍କା ପାଇଥିବା ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିବ ବୋଲି ଆଜି ସମ୍ବଲପୁରରେ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେଉଁମାନେ NPCIରେ ଅସୁବିଧା ଯୋଗୁଁ ଟଙ୍କା ପାଇବାରୁ ବଞ୍ଚିତ ହେବେ, ସେମାନଙ୍କୁ ମାର୍ଚ୍ଚ ୮ ରେ ସହାୟତା ପ୍ରଦାନ କରାଯିବ । NPCIରେ ଅସୁବିଧା ନେଇ ୩ ଲକ୍ଷ ୩୮ ହଜାର ମହିଳାଙ୍କ ସୁଭଦ୍ରା ଟଙ୍କା ଅଟକିଥିଲା । ସରକାର ହିତାଧିକାରୀଙ୍କୁ ବ୍ୟାଙ୍କ ଯିବାକୁ କହିବା ପରେ ୬୮ ହଜାର ହିତାଧିକାରୀଙ୍କର ଡକ୍ୟୁମେଣ୍ଟ କ୍ଲିୟର ହୋଇଛି । ବାକି ହିତାଧିକାରୀ NPCI କ୍ଲିୟର କଲେ ଆସନ୍ତା ମାର୍ଚ୍ଚ ୮ରେ ଉଭୟ ପ୍ରଥମ ଓ ଦ୍ବିତୀୟ କିସ୍ତି ଟଙ୍କା ପାଇବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତାକାଲି ଯାଜପୁର ବ୍ୟାସନଗର ଚାନ୍ଦମା ପଡ଼ିଆରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ବାଣ୍ଟିବା ଲାଗି ହୋଇଛି ବ୍ୟାପକ ଆୟୋଜନ । ମୁଖ୍ୟମନ୍ତ୍ରୀ ଯାଜପୁରର ବ୍ୟାସନଗର, କୋରେଇ ଓ ଜିଲ୍ଲା ସଦର ମହକୁମା ସମେତ ବିଭିନ୍ନ ସ୍ଥାନ ପାଇଁ ୮ଟି ପ୍ରକଳ୍ପର ଶୁଭ ଉଦଘାଟନ ମଧ୍ୟ କରିବେ ।

ଅଧିକ ପଢ଼ନ୍ତୁ: ବାରବାଟୀ ଦିନିକିଆ: ସୁରକ୍ଷା ପାଇଁ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ, ଷ୍ଟାଡିୟମ ଭିତରକୁ ବୋତଲ ମନା

ଗୋଟିଏ ପଟେ ଫେଜ୍ ବାଇ ଫେଜ୍ ସୁଭଦ୍ରା ପ୍ରଥମ କିସ୍ତି ଟଙ୍କା ମିଳି ଚାଲିଛି । ହେଲେ ଅନେକ ଆବେଦନକାରୀ ଟଙ୍କା ନପାଇ ନିରାଶ ହୋଇ ବସିଛନ୍ତି । ଏଇ ଯେମିତି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍ କୁସୁନପୁର ଗାଁର ମହିଳା ଲିଜା ଘଡ଼େଇ ଓ ପୂର୍ଣ୍ଣିମା ଘଡ଼େଇଙ୍କ ସହ ଅନ୍ୟଜଣେ ମହିଳା । ସବୁ ଆବଶ୍ୟକ ଡକ୍ୟୁମେଣ୍ଟ ଦେଇ ଆବେଦନ କରିଥିଲେ ମଧ୍ୟ ଟଙ୍କା ଆସୁନାହିଁ । ଯେତେଥର ଟଙ୍କା ମିଳୁଛି, ସେମାନେ ବ୍ୟାଙ୍କକୁ ଯାଇ ନାସ୍ତିବାଣୀ ଶୁଣି ଫେରୁଛନ୍ତି ।

ତେବେ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ମିଳୁଥିବା ଶୁଣିବା ପରେ ସେମାନେ ମଧ୍ୟ ଏହି ପର୍ଯ୍ୟାୟରେ ସହାୟତା ମିଳିବ ବୋଲି ଆଶା ରଖିଛନ୍ତି । ଗତବର୍ଷ ସେପଟେମ୍ବର ୧୭ରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ କରିଥିଲେ ମୋହନ ସରକାର । ସେବେଠୁ ତିନିଟି ଫେଜ୍ ରେ ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ମିଳୁଛି । ଆସନ୍ତାକାଲି ସୁଦ୍ଧା ପ୍ରଥମ କିସ୍ତି ପାଇଥିବା ହିତାଧିକାରୀଙ୍କ ସଂଖ୍ୟା ୯୮ ଲକ୍ଷ ଟପିଯିବ ।

ଅଧିକ ପଢ଼ନ୍ତୁ: ବାରବାଟୀ ଦିନିକିଆ: ଭୁବନେଶ୍ୱରରେ ପହଞ୍ଚିଲେ ଇଣ୍ଡିଆ-ଇଂଲଣ୍ଡ ଖେଳାଳି