ଫୁଲିବାରେ ଲାଗିଛି ସୁବର୍ଣ୍ଣରେଖା ନଦୀ । ଟପିଲାଣି ବିପଦ ସଙ୍କେତ । ବନ୍ୟା ଜଳ ଯୋଗୁଁ ତଳି ଅଞ୍ଚଳରେ ବଢ଼ିବାରେ ଲାଗିଛି ଆତଙ୍କ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀ ଫୁଲୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ବିଶେଷ କରି ନଦୀକୂଳିଆ ବାଉଁଶଖଣା ଓ ମାଟିଖଣା ଗାଁ ଲୋକଙ୍କ ଭିତରେ ଛନକା ପଶିଛି । ଭୋଗରାଇ ଓ ବାଲିଆପାଳ ବ୍ଲକର ଅନେକ ଅଂଚଳ ଜଳମଗ୍ନ ହୋଇଛି । ରାସ୍ତା ଉପରେ ପାଣି ଚାଲୁଥିବାବେଳେ ଅନେକ ଗାଁ ମଧ୍ୟ ପାଣି ଘେରରେ ରହିଛି ।
ଲୋକଙ୍କ କହିବା କଥା, ଏ ପର୍ଯ୍ୟନ୍ତ ବନ୍ୟା ସଂପର୍କରେ କୌଣସି ଆଗୁଆ ଖବର ଦିଆଯାଉ ନାହିଁ । ଚଳିତ ବର୍ଷ ସୁବର୍ଣ୍ଣରରେଖା ନଦୀରେ ପ୍ରବାହିତ ହେଉଛି ପ୍ରଥମ ବନ୍ୟାଜଳ । ଏହା ପ୍ରଭାବରେ ଭୋଗରାଇର ବିଭିନ୍ନ ତଳିଆ ଗାଁରେ ପାଣି ପଶିବା ଆରମ୍ଭ କରିଛି ।
Also Read
#ବନ୍ୟା_ସ୍ଥିତି: #ବାଲେଶ୍ବରରେ_ଛୁଟି_ବାତିଲ୍
— ଓଟିଭି (@otvkhabar) June 20, 2025
ବାଲେଶ୍ବର ଜିଲ୍ଲାରେ ଉପୁଜିଥିବା ବନ୍ୟା ସ୍ଥିତିକୁ ଦେଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍। ସୁବର୍ଣ୍ଣରେଖା ନଦୀରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ବାଲେଶ୍ବର ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।#SubarnarekhaRiver #Odisha #OTV #Balasore pic.twitter.com/4Bpldrrg0R
ଅଧିକ ପଢ଼ନ୍ତୁ: ଆମ୍ବୁଲାନ୍ସକୁ ବାଟ ଛାଡ଼ିଲା ପିଏମ୍ ମୋଦିଙ୍କ କାରକେଡ୍
ଅନ୍ୟପଟେ ଜଳ ସମ୍ପଦ ଅଧିକ୍ଷଣ ଯନ୍ତ୍ରୀ ସୁବର୍ଣ୍ଣରେଖା ନଦୀର ତଳିଆ ଅଞ୍ଚଳ ବୁଲି ଦେଖିଛନ୍ତି । JE, SDOମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ଦୁର୍ବଳ ନଦୀ ବନ୍ଧରେ ବାଲି ବସ୍ତା ପ୍ରସ୍ତୁତ କରି ରଖାଯାଇଛି । ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ କାଲି ରାତି ୧୦ଟା ସୁଦ୍ଧା ଏହା ୧୧.୨୨ ମିଟର ଟପି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ବାଲେଶ୍ବର ଜିଲ୍ଲାରେ ଉପୁଜିଥିବା ବନ୍ୟା ସ୍ଥିତିକୁ ଦେଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି । ସୁବର୍ଣ୍ଣରେଖା ନଦୀରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ବାଲେଶ୍ବର ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ତା’ସହ ଛୁଟିରେ ଥିବା ସମସ୍ତ କର୍ମଚାରୀଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କର୍ମଚାରୀ ଯେପରି ହେଡକ୍ବାର୍ଟର ଛାଡି କୁଆଡ଼େ ନଯାଆନ୍ତି, ସେନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।