/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740846089.jpg)
Sankhamedi
ଓଡ଼ିଆ କହୁଛନ୍ତି। ଓଡ଼ିଶା ସରକାରଙ୍କ ପ୍ରାୟ ସୁବିଧା ପାଉଛନ୍ତି। ଓଡ଼ିଶାର ଭୋଟର ଓ ଆଧାରକାର୍ଡ ଅଛି। କିନ୍ତୁ ଖାତା ଖତିଆନ ରେକର୍ଡରେ ଏମାନେ ଓଡ଼ିଶାର ନୁହଁନ୍ତି। ମିଳିପାରୁନି ଓଡ଼ିଶା ସରକାରଙ୍କ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର। ଯାହାଫଳରେ ନିଜ ଭବିଷ୍ୟତକୁ ନେଇ ଅନ୍ଧାରରେ ଲୋକେ। ବର୍ଷବର୍ଷ ଧରି ଏଭଳି ଅନିଶ୍ଚିତତା ଭିତରେ ଜୀବନ ବିତାଉଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ତଥା ପଶ୍ଚିମବଙ୍ଗ ସୀମାନ୍ତ ଶଂଖାମେଦୀ ଗାଁର ଲୋକେ।
ପଶ୍ଚିମବଙ୍ଗ ସୀମାନ୍ତ ଗାଁ ଶଙ୍ଖାମେଦୀରେ ରହୁଛନ୍ତି ୧୫୦ ଓଡ଼ିଆ ପରିବାର। ଓଡ଼ିଆ ସ୍କୁଲ ଅଛି, ଓଡ଼ିଆ ଭୋଟର୍ ମଧ୍ୟ ଅଛନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ଗାଁ ଲୋକଙ୍କୁ ରାସନକାର୍ଡ ଓ ଆଧାରକାର୍ଡ ମିଳିଛି। ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ପାଇଖାନା, ପ୍ରତି ଘରକୁ ରାଜୀବ ଜ୍ୟୋତି ଯୋଜନାରେ ବିଜୁଳି ସଂଯୋଗ ଦିଆଯାଇଛି। କିନ୍ତୁ ସବୁ ଥାଇବି ଅନିଶ୍ଚିତତା ଭିତରେ ଘାଣ୍ଟି ହେଉଛନ୍ତି ଲୋକେ। କାରଣ ଓଡ଼ିଆ ହୋଇବି ଏମାନେ ଓଡ଼ିଶାର ନୁହଁନ୍ତି। ଓଡ଼ିଶା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଏମାନେ ହିତାଧିକାରୀ ସତ, କିନ୍ତୁ ରାଜସ୍ୱ ବିଭାଗ ରେକର୍ଡରେ ଏମାନେ ଓଡ଼ିଶାର ନୁହଁନ୍ତି। ଯାହାଫଳରେ ଏଠି ଲୋକଙ୍କୁ ଓଡ଼ିଶା ସରକାରଙ୍କ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଓ ପକ୍କାଘର ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି। ଗୋଟିଏ ପଟେ ଲୋକେ ଓଡ଼ିଶାରେ ରହିବାକୁ ଚାହୁଁଥିବା ବେଳେ, ଅନ୍ୟପଟେ ପଶ୍ଚିମବଙ୍ଗ ସରକାର ଏହି ଗାଁକୁ ନିଜପଟକୁ ନେବାକୁ ଚେଷ୍ଟା ଚଳାଇଥିବା କୁହାଯାଉଛି। ଏଭଳି ଟଣାଓଟରା ଭିତରେ ଅଣନିଃଶ୍ୱାସୀ ଶଂଖାମେଦୀ ଲୋକେ।
ଅଧିକ ପଢ଼ନ୍ତୁ: ୯ ମାସରେ IPS ସ୍ତରରେ ୨ଥର ଅଦଳବଦଳ; ଅପରାଧ ନିୟନ୍ତ୍ରଣରେ ଫେଲ୍ ନା ସଶକ୍ତ ଉଦ୍ୟମ?
କେବଳ ଯେ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ମିଳୁନି ତା’ ନୁହେଁ, ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅବହେଳାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଗାଁରେ ଥିବା ଓଡ଼ିଆ ସ୍କୁଲରେ କେବଳ ପଞ୍ଚମ ଶ୍ରେଣୀ ଯାଏ ଥିବାରୁ, ତା’ପରେ ପାଠ ପଢିବା ପାଇଁ ପିଲାଙ୍କୁ ବେଙ୍ଗଲ ମୁହାଁ ହେବାକୁ ପଡ଼ୁଛି। ଏପରିକି ଗାଁର ଯୁବକଙ୍କୁ ଓଡ଼ିଶାରେ କାମ ମିଳୁନଥିବାରୁ ସେମାନେ ବେଙ୍ଗଲକୁ କାମ କରିବାକୁ ପଳାଇ ଯାଉଛନ୍ତି।
୧୯୮୩ ମସିହାରୁ ଅର୍ଥାତ୍ ୪୨ ବର୍ଷ ହେଲା ସମବାୟ ସମିତିରୁ ୠଣ ମିଳୁନି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଶଂଖାମେଦୀ ବାସୀ। ତେଣେ ଗାଁର ସମସ୍ୟା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଯିଏ ଏଠିକାର ସ୍ଥାୟୀ ବାସିନ୍ଦା, ସେମାନଙ୍କୁ ରାଜସ୍ୱ ବିଭାଗ ତଦନ୍ତ କରି ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର ଯୋଗାଇବେ। ପଡୋଶୀ ରାଜ୍ୟ ସହ ଥିବା ବିବାଦ ମଧ୍ୟ ଶୀଘ୍ର ସମାଧାନ ପାଇଁ ଆଲୋଚନା ଚାଲିଥିବା ସେ ଭରସା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)