• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶ୍ରୀମନ୍ଦିରରେ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ପାଇଁ ହେବ ୬ ଲାଇନ ବିଶିଷ୍ଟ ରାମ୍ପ ବ୍ୟବସ୍ଥା । ଏହାଦ୍ୱାରା ଏହି ବର୍ଗର ଭକ୍ତ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପରିଚାଳନା କମିଟି ଏବଂ ଛତିଶା ନିଯୋଗଙ୍କ ସୁପାରିଶ ଆଧାରରେ ଶ୍ରୀମନ୍ଦିରର ନାଟ ମଣ୍ଡପରେ ପ୍ରସ୍ତାବିତ ଦର୍ଶନ ବ୍ୟବସ୍ଥା ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ । ଓ.ବି.ସି. ସିର ବରିଷ୍ଠ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ଏହି ଜରୁରୀ ବୈଠକରେ ପ୍ରସ୍ତାବିତ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା l

ASI ଓ ଶ୍ରୀମନ୍ଦିର ବୈଷୟିକ କମିଟି ସହିତ ପରାମର୍ଶ କରି ପ୍ରକଳ୍ପକୁ ଶୀଘ୍ର ଶେଷ କରିବା ପାଇଁ ଓ.ବି.ସି.ସିକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ l କାର୍ଯ୍ୟ ସମ୍ପାଦନ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଓ.ବି.ସି.ସିକୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ l

ମନ୍ଦିରର ଭିତର ହେଉ କି ବାହ୍ୟ ସୁରକ୍ଷା, ଏ ଦାୟିତ୍ୱ ସମ୍ଭାଳିବ ସ୍ୱତନ୍ତ୍ର ସୁରକ୍ଷା ବାଟାଲିଅନ୍ । ଯାହାର ନାଁ ରହିଛି ଶ୍ରୀମନ୍ଦିର ସ୍ପେଶାଲ ସିକ୍ୟୁରିଟି ବାଟାଲିଅନ୍ । ତେବେ ଏଥିରେ ସିଧା ନିଯୁକ୍ତି ଦିଆଯିବନି ବରଂ OSAPରୁ ଡେପୁଟେସନରେ କର୍ମଚାରୀ ଆସିବେ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଏମାନଙ୍କ ଦାୟିତ୍ୱ ଓ କାର୍ଯ୍ୟକାଳ କିଭଳି ରହିବ ସେ ନେଇ ବି ପ୍ରସ୍ତୁତ ହୋଇଛି ମୋଡାଲିଟି ।

ବାଟାଲିଅନ୍ ହେଡକ୍ୱାର୍ଟର ପୁରୀରେ ରହିବ, ତେବେ ୟୁନିଫର୍ମ ଓ ଲୋଗୋ ସମ୍ପର୍କରେ ପୋଲିସ ଡିଜି ନିଷ୍ପତ୍ତି ନେବେ । ଭିଡ଼ ନିୟନ୍ତ୍ରଣ ହେଉ କି ଶୃଙ୍ଖଳିତ ଦର୍ଶନ । ଆତଙ୍କବାଦୀ ଆକ୍ରମଣଠୁ ଅଗ୍ନିକାଣ୍ଡ ପରି ଅଘଟଣ । ଶ୍ରୀମନ୍ଦିରରେ ଏସବୁ ମୁକାବିଲା ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ବାଟାଲିୟନ । ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି- ଶ୍ରୀମନ୍ଦିର ଆମ ପରିଚୟ, ଏହାର ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା ବଡ଼ ଦାୟିତ୍ୱ ।

ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାଟାଲିଅନ ପାଇଁ ପୋଲିସ ବିଭାଗରୁ ହିଁ ଯବାନଙ୍କୁ ନିଆଯିବ । ସାଧାରଣ ବାଟାଲିୟନରେ ଯେତିକି ସୁରକ୍ଷାକର୍ମୀ ଓ ଅଫିସର ରହୁନ୍ତି ଏଥିରେ ମଧ୍ୟ ସେତିକି ରହିବେ । ସେହିପରି ଶ୍ରୀଜଗନ୍ନାଥ ଟେମ୍ପଲ ପୋଲିସ୍ ବା JTPରେ ଖାଲି ପଡ଼ିଥିବା ପଦବୀ ପୂରଣ ସହ ଅଧିକ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ପ୍ରେମିକା ସହ ସ୍ୱାମୀଙ୍କୁ କାବୁ କଲେ ପତ୍ନୀ...ନ୍ୟାୟ ପାଇଁ ଗୁହାରି

ବାସ୍ତବରେ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନର କ’ଣ ରହିବ ରୂପରେଖ ? ରହିବେ କେତେ ଅଧିକାରୀ ଓ କର୍ମଚାରୀ ? କ’ଣ ରହିବେ କାମ ? ସେନେଇ ବି ପ୍ରସ୍ତୁତ ହୋଇଛି ମୋଡାଲିଟିଜ୍ । ତଥ୍ୟ ଅନୁସାରେ ଏହି ସୁରକ୍ଷା ବାହିନୀ ପାଇଁ ହେବନି ସିଧା ନିଯୁକ୍ତି । ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସ୍ ବା OSAPରୁ ପୋଲିସ କର୍ମୀଙ୍କୁ ଡେପୁଟେସନରେ ଦିଆଯିବ ଦାୟିତ୍ୱ ।

ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ, ସିଭିଲ ପୋଲିସଙ୍କୁ ବି ଦାୟିତ୍ୱ ଦିଆଯିବ । ତେବେ ଡେପୁଟେସନରେ ଆସିଥିବା ପୋଲିସ କର୍ମୀଙ୍କ କାର୍ଯ୍ୟ ସମୟ ୩ ବର୍ଷ ରହିବ ଓ ଆବଶ୍ୟକ ସ୍ଥଳେ ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ ଭାର ବଢ଼ାଯାଇ ପାରିବ । କାର୍ଯ୍ୟଭାର ଅବଧି ସରିବା ପରେ ପୂର୍ବ ସ୍ଥାନକୁ ଫେରିଯିବେ ସଂପୃକ୍ତ ପୋଲିସ କର୍ମୀ । ଦାୟିତ୍ୱରେ ଥିବା ବେଳେ କାହାରି କାର୍ଯ୍ୟ ପ୍ରଦର୍ଶନ ଖରାପ ହେଲେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବ ।

ଜଣେ କମାଣ୍ଡାଣ୍ଟଙ୍କଠୁ ଆରମ୍ଭ କରି ଆର୍ମୋରଙ୍କ ପର୍ଯ୍ୟନ୍ତ ବାଟାଲିଅନରେ ମୋଟ୍ ୧୦୮୩ ଜଣ କର୍ମଚାରୀ ରହିବେ । ଯାହାଙ୍କ ମଧ୍ୟରେ ୭୨୦ ସିପାହୀ ଓ ୨୪୦ ହାବିଲଦାର ରହିବେ । ଇନ୍ସପେକ୍ଟର, ସବ-ଇନ୍ସପେକ୍ଟର ଓ ହାବିଲଦାର ପଦ ପାଇଁ ରାଜ୍ୟ ପୋଲସର ସଶସ୍ତ୍ର ବାହିନୀର ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ ଓ ଅନ୍ୟ ପଦବୀ ପାଇଁ ପୋଲିସର ବିଭିନ୍ନ ବିଭାଗରୁ ଡେପୁଟେସନରେ ଅଣାଯିବ ।

ପୁରୀ ଏସପି ଏହାର ମୁଖ୍ୟ ରହିବେ ଓ ସେଇପୁରୀରେ ହିଁ SSMSVର ମୁଖ୍ୟାଳୟ ରହିବ। ବାଟାଲିଅନରେ ନିଯୁକ୍ତ ଯବାନଙ୍କ ୟୁନିଫର୍ମ ଓ ଲୋଗୋ କିପରି ହେବ, ସେ ନିଷ୍ପତ୍ତି ପୋଲିସ ମହାନିର୍ଦ୍ଦେଶକ ନେବେ । ଜଗନ୍ନାଥ ମନ୍ଦିରର ସଂପୂର୍ଣ୍ଣ ସୁରକ୍ଷା ଦାୟିତ୍ୱରେ ରହିବେ ଏହି ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହିନୀ । ତାସହ ପରିକ୍ରମା ମାର୍ଗ, ବଡ଼ଦାଣ୍ଡ, ଶ୍ରୀମାର୍ଗ, ଜଗନ୍ନାଥ ବିହାର ଓ ଗୁଣ୍ଡିଚା ମନ୍ଦିର ଏବଂ ମାଉସୀ ମାଆ ମନ୍ଦିରର ସୁରକ୍ଷା ଭାର ବି ଏମାନଙ୍କ କାନ୍ଧରେ ରହିବ । ରଥଯାତ୍ରା ଓ ବାହୁଡ଼ା ଯାତ୍ରା ବେଳେ ରଥ ଓ ଭକ୍ତଙ୍କୁ ସୁରକ୍ଷା ଦେବେ ।

କୌଣସି ପ୍ରକାର ସଶସ୍ତ୍ର ଆକ୍ରମଣ ରୋକିବାକୁ NSG ତତ୍ତ୍ୱାବଧାନରେ ଏମାନେ ଅଭ୍ୟାସ କରିବେ । ବୋମା ଚିହ୍ନଟ ଓ ବମ୍ ଡିସପୋଜାଲ ନେଇ ତାଲିମ ନେବେ । ବାଟାଲିଅନକୁ ସବୁ ପ୍ରକାର ଉନ୍ନତ ଓ ଆଧୁନିକ ବୈଷୟିକ ଯନ୍ତ୍ରପାତି ଯୋଗାଇ ଦିଆଯିବ । ଗୁଇନ୍ଦା ବିଭାଗ, ଷ୍ଟେଟ ସ୍ପେଶାଲ ବ୍ରାଞ୍ଚ ସହ ଯୋଗାଯୋଗରେ ରହିବେ ।

ତେବେ ସ୍ପେଶାଲ ବାଟାଲିଅନ୍ ଯବାନ ଖାଲି ଶ୍ରୀମନ୍ଦିର ସୁରକ୍ଷା କଥା ବୁଝିଲେ ହେବନି, ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବା ସହ ଉତ୍ତମ ଆଚରଣ ମଧ୍ୟ ପ୍ରଦର୍ଶନ କରିବା ଜରୁରୀ ବୋଲି କହିଛନ୍ତି ଭକ୍ତ ଓ ସେବାୟତ । ଏବେ ଦେଖିବାର କଥା କେତେଶୀଘ୍ର ଶ୍ରୀମନ୍ଦିର ସୁରକ୍ଷାରେ ନିୟୋଜିତ ହେଉଛନ୍ତି ସ୍ୱତନ୍ତ୍ର ବାଟାଲିଅନ୍ ।

ଅଧିକ ପଢ଼ନ୍ତୁ: ସହର ସୌନ୍ଦର୍ଯ୍ୟକରଣରେ ନୂଆ ସରକାରଙ୍କ ଆଦିବାସୀ ପ୍ରୀତି

OTV is now on Whatsapp

Join and get latest news update delivered to you via whatsapp

Join Now