• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

କଥାରେ କଥାରେ ଲୋକେ କହନ୍ତି, କାନ୍ଥବାଡ଼ର ବି କାନ ଅଛି, ସେ କାଳେ ଶୁଣିନେବ; ତେଣୁ ହୁସିଆରି କଥା ହୁଅ ! ହେଲେ କାନ୍ଥବାଡ଼ କଥା ମଧ୍ୟ କହିପାରେ ଏବଂ ଏହାର ଅନେକ ପ୍ରମାଣ ଦେଇଛି ରାଜଧାନୀର ସୁଦୂର ପ୍ରସାରୀ କାନ୍ଥଚିତ୍ର! କେବେ ବିଶ୍ୱବ୍ୟାଧି ମହାମାରୀ କରୋନାର କଥା ତ ଆଉ କେବେ ହକି ବିଶ୍ୱକପ୍ କଥା l ଆଉ କେବେ ଓଡିଶା ସଂସ୍କୃତି, ପରମ୍ପରା ଓ ବରପୁତ୍ରମାନଙ୍କ କଥା କହୁଥିବା ଭୁବନେଶ୍ୱରର କାନ୍ଥବାଡ଼ ଏବେ ଆଦିବାସୀ ପରମ୍ପରାର କଥା କହୁଛି ।

ପୁଣି ସେହି ଉଷ୍ମ ପ୍ରସଙ୍ଗ ଉଜ୍ଜୀବିତ

ଓଡିଶାରେ ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଆସିଥିବା ସରକାରରେ ପରିବର୍ତ୍ତନ ଘଟିଛି। ଜଣେ ଓଡିଆ ଆଦିବାସୀ ପୁଅ ମୋହନ ଚରଣ ମାଝୀ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ସେ ରାଜ୍ୟର ନେତୃତ୍ୱ ନେଇଥିବା ରାଜଧାନୀର ନବଚିତ୍ରିତ କାନ୍ଥରୁ ବାରି ହେଉଛି । ମୋହନ ସରକାରରେ ବିଏମସି ଅଧୀନରେ ଯେଉଁ ସହର ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଚାଲିଛି ଏଥିରେ ସମଗ୍ର ରାଜଧାନୀର କାନ୍ଥବାଡ଼ ଆଦିବାସୀ ଚିତ୍ରକଳାରେ ପର୍ଯ୍ୟବେଶିତ l ତେବେ ସବୁଠାରୁ ବଡକଥା ହେଉଛି ଚିତ୍ରକରଙ୍କ ବଦଳରେ ଛାଂଚ ଓ ସ୍ପ୍ରେ-ମେସିନ ସାହାଯ୍ୟରେ ସହର କାନ୍ଥ ସୌନ୍ଦର୍ଯ୍ୟକରଣ କରାଯିବା ନେଇ ଯେଉଁ ଚର୍ଚ୍ଚା ହେଉଛି ଏଥିରେ ଓଡିଆ ଅସ୍ମିତାର ସେହି ଉଷ୍ମ ବିଷୟକୁ ଉଜ୍ଜିବିତ କରିଛି !

କାନ୍ଥଚିତ୍ରରେ ‘ଓଡ଼ିଆ ଅସ୍ମିତା’ର ଅଡୁଆ

୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସରକାରରେ ‘ଓଡିଶାରେ ଅଣଓଡ଼ିଆ ଅଫିସରଙ୍କ ଶାସନ’ କଥାକୁ ବିରୋଧୀ ଦଳ ରାଜନୈତିକ ପ୍ରସଙ୍ଗ ଭାବରେ ତୋଳିଧରିଥିବାବେଳେ ଓଡିଶାର ବରପୁତ୍ରଙ୍କୁ ସମ୍ବୋଧନ କ୍ଷେତ୍ରରେ ତ୍ରୁଟିପୂର୍ଣ୍ଣ ମନ୍ତବ୍ୟ ଏଥିପାଇଁ ଖୋରାକ ଯୋଗାଇଥିଲା । ମଂଚ ଉପରେ ବିଜେଡି ନେତା ସ୍ୱଭାବକବି ଗଙ୍ଗାଧର ମେହେରଙ୍କୁ ସନ୍ଥକବି କହିବା, ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କୁ ‘କଣ୍ଠକବି’ର ତ୍ରୁଟିପୂର୍ଣ୍ଣ ସମ୍ବୋଧନ ଅନେକଙ୍କୁ ବ୍ୟଥିତ କରିଥିବାବେଳେ ଏହାକୁ ନେଇ ରାଜନୀତି ଜୋରଧରିଥିଲା । ଓଡିଶାର ସ୍ୱାଭିମାନ ଓ ଓଡିଆ ଅସ୍ମିତା କଥା କହି ବିରୋଧୀ ଦଳମାନେ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ।

ସେହିଭଳି ସହର ସୌନ୍ଦର୍ଯ୍ୟକରଣରେ ବିଭିନ୍ନ ସ୍ଥାନରେ ବିକୃତ ଓ ତ୍ରୁଟି ସବୁ ସାମ୍ନାକୁ ଆସିଥିଲା । ଡଃ. ହରେକୃର୍ଷ୍ଣ ମହତାବଙ୍କ ବଦଳରେ ‘ଡଃ. ହରେକୃର୍ଷ୍ଣ ମହାନ୍ତି’ ଲେଖାଯିବା, କରୋନା ସଚେତନତାକୁ ନେଇ ନୟାପଲ୍ଲୀ କାନ୍ଥରେ ଅଶ୍ଳୀଳ ଚିତ୍ର, ପ୍ରଥମ ଓଡିଆ ସିନେମା ‘ସୀତାବିବାହ’ ଚିତ୍ରରେ ତ୍ରୁଟି ଏଭଳି ଅନେକ ବିଷୟକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାକୁ କେନ୍ଦ୍ରକରି ବିରୋଧୀ ବିଜେପି ଓ କଂଗ୍ରେସ ତତ୍କାଳୀନ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । “ବିଜେଡି କେବଳ ଭୋଟ ରାଜନୀତି କରେ, ବରପୁତ୍ରଙ୍କୁ ଏ ସରକାର ସମ୍ମାନ ଦେଇ ଜାଣିନାହିଁ, ଓଡିଶାରେ ଅଣଓଡିଆ ଶାସନ ଚାଲୁଛି...” ବିଜେଡି ସରକାରକୁ ଏଭଳି ଅନେକ କଡା ମନ୍ତବ୍ୟର ସାମ୍ନା କରିବାକୁ ପଡିଥିଲା ।

ଛାଂଚରେ କାନ୍ଥଚିତ୍ରର ଚର୍ଚ୍ଚା

ଓଡିଆ ଅସ୍ମିତାକୁ ନେଇ ବିଜେଡି ସରକାର ଯେଭଳି ଅଡୁଆ ଓ ଅପଦସ୍ତର ସମ୍ମୁଖିନ ହୋଇଥିଲେ ତାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନର ସରକାର ଏକ୍ଷେତ୍ରରେ ସତର୍କତା ଅବଲମ୍ବନ କରୁଥିବା ଜଣାପଡୁଛି । ଓଡିଆ ଅସ୍ମିତା ବିଷୟରେ କୌଣସି ରିସ୍କ ନନେଇ ଛାଂଚ ଓ ସ୍ପ୍ରେମେସିନ ସାହାଯ୍ୟରେ ରାଜଧାନୀର ପ୍ରମୁଖ କାନ୍ଥବାଡ଼ ସବୁକୁ ଚିତ୍ରକରାଯାଉଛି ବୋଲି ଧାରଣା ସୃଷ୍ଟି ହୋଇଛି ।

ନୂଆ ସରକାରଙ୍କ ସହର ସୌନ୍ଦର୍ଯ୍ୟକରଣ ଓଡିଶାରେ ମୋହନ ମାଝୀଙ୍କ ନେତୃତ୍ବାଧୀନ ବିଜେପି ସରକାର କ୍ଷମତକୁ ଆସିବା ପରେ ପ୍ରଥମଥର ପାଇଁ ଡିଜିପି-ଆଇଜିପି ସମ୍ମିଳନୀ, ନୌସେନା ଦିବସ ସମାରୋହ ଭଳି ଜାତୀୟସ୍ତରର ବଡ଼ ବଡ଼ କାର୍ଯ୍ୟକ୍ରମ ସବୁ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ଆଗାମୀ ଜାନୁଆରୀ ୮ରୁ ୧୦ ତାରିଖ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ସମ୍ମିଳନୀର ଭବ୍ୟ ଆୟୋଜନ ଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ସୌନ୍ଦର୍ଯ୍ୟକରଣ କରାଯାଉଛି । ନୂଆ ସରକାର କ୍ଷମତାକୁ ଆସିବାର ବିଗତ ୫ ମାସ ମଧ୍ୟରେ ରାଜ୍ୟକୁ ନୂଆ ଲୁକ୍ ଦେବାରେ ଲାଗିଥିବାବେଳେ ସହରର ସୌନ୍ଦର୍ଯ୍ୟକରଣରେ ରାଜଧାନୀ କାନ୍ଥଗୁଡିକର ଚିତ୍ରରେ ପରିବର୍ତ୍ତନ ଘଟୁଛି। ତେବେ ଚିତ୍ରଶିଳ୍ପୀଙ୍କ ବଦଳରେ କାନ୍ଥରେ ଛାଞ୍ଚ ପକାଇ ସ୍ପ୍ରେ ମେସିନ ସାହାଯ୍ୟରେ ଆଦିବାସୀଙ୍କ ପାରମ୍ପରିକ ଚିତ୍ର ଆଙ୍କିବା ଚର୍ଚ୍ଚାର ବିଷୟ ହୋଇଛି l

ଚିତ୍ରଶିଳ୍ପୀଙ୍କୁ ରୋଜଗାରର ସୁଯୋଗ

ନବୀନ ସରକାରଙ୍କ ସମୟରେ ୨୦୨୨ରେ ଓଡ଼ିଶାରେ ହକି ବିଶ୍ୱ କପ ଆୟୋଜନ ହୋଇଥିଲା l ଏହି ପରିପ୍ରେକ୍ଷୀରେ ଓଡିଶା ଲଳିତକଳା ଏକାଡେମୀ ତରଫରୁ ଭୁବନେଶ୍ୱର ପ୍ରାୟ ୨୮ଟି ଜୋନରେ ପାଖାପାଖି ୧୫ଶହରୁ ଅଧିକ ଚିତ୍ରଶିଳ୍ପୀ ସେମାନଙ୍କର କଳାକୃତିର ଝଲକ ରାଜଧାନୀର କାନ୍ଥବାଡ଼, ଓଭରବ୍ରିଜ, ପାଚେରୀ ଆଦିରେ ପ୍ରସ୍ଫୁଟିତ କରିବାର ସୁଯୋଗ ପାଇଥିଲେ l ସେହିଭଳି ମହାମାରୀ କରୋନାର ଭୟାବହ ଚିତ୍ରକୁ ସହରର କାନ୍ଥବାଡ଼ ଆଦିରେ ଆଙ୍କି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟିକରିଥିଲେ । ଓଡିଶାର କଳା ସଂସ୍କୃତି ପରମ୍ପରାର ପ୍ରତିଛବିକୁ ତୁଳିରେ ଜୀବନ୍ତ ତୋଳିବା କ୍ଷେତ୍ରରେ, ନିଜର ନିଖୁଣ ଚିତ୍ରକଳାର ଚମତ୍କାରୀତା ଦେଖାଇବା ସହିତ ରାଜ୍ୟର ହଜାର ହଜାର ଯୁବ ଚିତ୍ରଶିଳ୍ପୀ ରୋଜଗାର ପାଇଥିଲେ । କଟକରୁ କୋରାପୁଟ, ରାଜଧାନୀରୁ ରାଉରକେଲା ବିଭିନ୍ନ ସହରରେ ସୌନ୍ଦର୍ଯ୍ୟକରଣ କ୍ଷେତ୍ରରେ ଏହି ଯୁବଶିଳ୍ପୀଙ୍କ ମଧ୍ୟରେ ଏକ ଉତ୍ସାହ ସୃଷ୍ଟି କରିଥିଲା

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

OTV is now on Whatsapp

Join and get latest news update delivered to you via whatsapp

Join Now