Advertisment

Puri Srimandir Witness Huge Rush: କାଲିଠୁ ପଞ୍ଚୁକ, ଆଜିଠୁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର; ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକରୁ ବ୍ୟାରିକେଡ୍ ନିର୍ମାଣ

କାଲିଠୁ ପଞ୍ଚୁକ । ହେଲେ ଆଜିଠୁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର । ସିଂହଦ୍ବାର ଆଗରେ ଢେର ସମୟ ବ୍ୟାରିକେଡରେ ଅପେକ୍ଷା ପରେ ଜଗା ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ ।

author-image
Sujit kumar Swain
ଅଦ୍ୟତନ ହୋଇଛି
undefined

Devotees Throng Puri Srimandir to Offer Prayers to Lord Jagannath

କାଲିଠୁ ପଞ୍ଚୁକ, ହେଲେ ଆଜିଠୁ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରେ ପ୍ରବଳ ଭିଡ଼। ଲକ୍ଷାଧିକ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏଥର ମାର୍କେଟ ଛକରୁ ନିର୍ମାଣ ହେଉଛି ବ୍ୟାରିକେଡ୍। 
ପଞ୍ଚୁକ ୫ଦିନ ପରିବର୍ତ୍ତେ ୪ଦିନ ପଡୁଥିବାରୁ ମନ୍ଦିର ଭିତରେ ଏ ସମୟରେ ଭିତରକାଠ ଦର୍ଶନ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ପ୍ରଶାସନ। ଭକ୍ତଙ୍କ ସୁରକ୍ଷାରେ ନିୟୋଜିତ ହେବେ ୩୮ ପ୍ଲାଟୁନ ଫୋର୍ସ। ତେଣେ ଆଜିଠୁ ସନ୍ଧ୍ୟା ପରିବର୍ତ୍ତେ ଅପରାହ୍ନରେ ସଂପନ୍ନ ହୋଇଛି ନୀଳଚକ୍ରରେ ଧ୍ବଜାବନ୍ଧା ନୀତି। 

Advertisment

କାଲିଠୁ ପଞ୍ଚୁକ । ହେଲେ ଆଜିଠୁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର । ସିଂହଦ୍ବାର ଆଗରେ ଢେର ସମୟ ବ୍ୟାରିକେଡରେ ଅପେକ୍ଷା ପରେ ଜଗା ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ । ଆଜି ଦିନ ତମାମ୍ ବି ଲାଗିଥିଲା ଗହଳି। ଏମିତିକି ବହୁ ଭକ୍ତ ଭୀଷଣ ଭିଡ଼ ଦେଖି ଦର୍ଶନ ନକରି ଫେରି ବି ଯାଇଛନ୍ତି । ତେଣେ ଭିଡକୁ ଡରି ହବିଷ୍ୟାଳି ବି ମନ୍ଦିର ଯାଉନାହାନ୍ତି। ଏଣେ ଏଥର ପଞ୍ଚୁକ ୫ଦିନ ପରିବର୍ତ୍ତେ ୪ଦିନରେ ସରୁ ଥିବାରୁ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତ ଆସିବାର ଆଗୁଆ ଠଉରେଇଛି ଜିଲ୍ଲା ପ୍ରଶାସନ। ସେଥିପାଇଁ ବଡ଼ଦାଣ୍ଡରେ ନିର୍ମାଣ ହୋଇଛି ୧ କିଲୋମିଟର ପାଖାପାଖି ଲମ୍ବା ବ୍ୟାରିକେଡ୍। ଖରାରୁ ରକ୍ଷା ପାଇବା ପାଇଁ ଉପରେ କପଡ଼ା ଟେଣ୍ଟ ବ୍ୟବସ୍ଥା ଅବଶ୍ୟ ହୋଇଛି, ତେବେ ଭକ୍ତଙ୍କୁ ବ୍ୟାରିକେଡରେ ଲାଇନ୍ ମାର୍କେଟ ଛକରୁ ଲଗାଇବାକୁ ପଡିବ। 

ଅଧିକ ପଢ଼ନ୍ତୁ: ଯୋଉ ଭାଇ ହାତରେ ଦିନେ ରାକ୍ଷୀ ବାନ୍ଧିଥିଲା, ଆଜି ତା’ରି ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗୁଛି

Advertisment

ପୁରୀ ଏସପିଙ୍କ ସୂଚନା ଅନୁସାରେ-ମାର୍କେଟ ଛକରୁ ଭକ୍ତ ବ୍ୟାରିକେଡରେ ପ୍ରବେଶ କରିବା ପରେ ପ୍ରଥମେ ଲମ୍ବା ଲାଇନରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଯାଏଁ ଆସିବେ। ସେଠୁ ପୁଣି ଦୋଳବେଦୀ କୋଣ ସମ୍ମୁଖରୁ ଆଉ ଏକ ଜିକ୍-ଜାକ୍ ବ୍ୟାରିକେଡ ଦେଇ ସିଂହଦ୍ବାର ପାଖରେ ପହଞ୍ଚିବେ। ସେଠୁ ଦଫା ଦଫାରେ ବାଇଶି ପାହାଚ ଦେଇ ସାତ ପାହାଚ ନିକଟକୁ ଯିବେ। ମନ୍ଦିର ଭିତରେ ପଶିଲେ ନାଟମଣ୍ଡପରେ ଗରୁଡ଼ ଖମ୍ବ ପାଖ ଦେଇ ବାହାର କାଠରୁ ଠାକୁରଙ୍କୁ ଦର୍ଶନ କରିବେ। ପଞ୍ଚୁକରେ ଭିତରକାଠ ଦର୍ଶନ ବନ୍ଦ ଲାଗି ନିଷ୍ପତ୍ତି ହୋଇଛି। ଦର୍ଶନ ସାରି ଭକ୍ତମାନେ ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାର ଦେଇ ପ୍ରସ୍ଥାନ କରିବେ। ସୁରକ୍ଷାରେ ୩୮ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ।

କାଲିଠୁ ମହାପଞ୍ଚୁକ ବ୍ରତ। ପ୍ରଥମ ଦିବସ ତଥା ହରି ଉତ୍ଥାପନ ଏକାଦଶୀରେ ମହାପ୍ରଭୁଙ୍କର ଅନୁଷ୍ଠିତ ହେବ ଠିଆକିଆ ବା ଲକ୍ଷ୍ମୀ- ନାରାୟଣ ବେଶ। ୧୩ ତାରିଖରେ 
ବାଙ୍କଚୂଡ଼ା ବେଶ, ୧୪ରେ ଡାଳିକିଆ ବା ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ ଶ୍ରୀଜିଉ। ହେଲେ ଏବର୍ଷ ତିଥି କ୍ଷୟ ଯାଉଥିବାରୁ ଦୁର୍ଲଭ ଆଡକିଆ ବା ଲକ୍ଷ୍ମୀ-ନୃସିଂହ ବେଶ କରାନଯାଇ ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣମୀ ଦିନ ସିଧା ଠାକୁରଙ୍କୁ ରାଜରାଜେଶ୍ବର ବା ସୁନାବେଶ କରାଯିବ। ତେବେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦେଖି ଭୋର ୪ଟାରୁ ଦ୍ବାର ଫିଟା ସହ ଶୃଙ୍ଖଳିତ ନୀତିକାନ୍ତିକୁ ଅଧିକ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ସେବକମାନେ ବି ସହଯୋଗ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି।

ସେପଟେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ କ୍ରମେ ଆଜିଠୁ ସଂଧ୍ୟା ପରିବର୍ତ୍ତେ ଅପରାହ୍ନରେ ହୋଇଛି ନୀଳଚକ୍ରରେ ଧ୍ବଜା ବନ୍ଧା ନୀତି। ସଂଧ୍ୟାରେ ଏ ନୀତି ଦେଖିବାକୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମନ୍ଦିର ବେଢାରେ ବସି ରହୁଥିବାରୁ ଅସୁବିଧା ହେଉଛି। ତେଣୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ନିର୍ଦ୍ଦେଶ ଅନୁପାଳ କରି ଦିନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ଚୂନରା ସେବକ ସଂପନ୍ନ କରିଛନ୍ତି ଧ୍ବଜା ବନ୍ଧା କାର୍ଯ୍ୟ।

Odisha News Srimandir Devotees Lord Jagannath Puri Srimandir
Advertisment
Advertisment