ବଦଳିବ ଐତିହାସିକ ସହର ପୁରୀର ନକ୍ସା। ଚମକିବ ମହାପ୍ରଭୁଙ୍କ ଧାମ ଶ୍ରୀକ୍ଷେତ୍ରର ରଙ୍ଗ ଆଉ ରୂପ। କାରଣ ପୁରୀ ଆଉ ପୌରପାଳିକା ନୁହେଁ, ବରଂ ଏହି ପୁରୁଣା ସହର ହେବାକୁ ଯାଉଛି ମହାନଗର। ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ପୁରୀ ବାସିନ୍ଦାଙ୍କ ପାଇଁ ବଡ଼ ଭେଟିଦେଇଛନ୍ତି ସିଏମ୍ ମୋହନ ଚରଣ ମାଝୀ।
ସାମ୍ବାଦିକ ସମ୍ମିଳନୀରେ ଷଷ୍ଠ ମହାନଗର ନିଗମ ଭାବେ ପୁରୀ ପାଇଁ ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ଥାନୀୟ ସ୍ବାୟତ୍ତ ଶାସନ ପଦ୍ଧତିରେ ସଂସ୍କାର ଆଣିବା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ତଦାରଖ, ପୁନର୍ବିନ୍ୟାସ ଏବଂ ରକ୍ଷଣାବେକ୍ଷଣ ପାଇଁ ନୂତନ ଢାଞ୍ଚାର ଆବଶ୍ୟକତା ରହିଛି।
ତା’ସହ ବଢୁଥିବା ଜନସଂଖ୍ୟା ସହ ବର୍ଷ ତମାମ ଏହି ଧାର୍ମିକ ସହରକୁ ଆସୁଥିବା ଭକ୍ତ, ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ଗୁଣାତ୍ମକ ସୁବିଧା ପାଇଁ ମହାନଗର ନିଗମରେ ପରିଣତ କରିବାର ଆବଶ୍ୟକତା ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ପୁରୀ ସଦର ସହ ବ୍ରହ୍ମଗିରି ବ୍ଲକର ଆଖପାଖ ୭ରୁ ୮ଟି ପଞ୍ଚାୟତକୁ ସାମିଲ କରି ଗଠନ କରାଯିବ ମହାନଗର। ଏଥିପାଇଁ ଆସନ୍ତାକାଲିଠାରୁ ଆରମ୍ଭ ହେବ ସମସ୍ତ ପ୍ରକ୍ରିୟା।
Also Read
ଭବ୍ୟ ଆଉ ଦିବ୍ୟ ସହରର ପରିକଳ୍ପନା ସ୍ବରୂପ ପୁରୀ ଯେ କେବଳ ମହାନଗର ହେବ ତା’ନୁହେଁ। ପର୍ଯ୍ୟଟନ ଓ ପର୍ଯ୍ୟଟକଙ୍କୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର ବିଶ୍ବସ୍ତରୀୟ ଶ୍ରୀଜଗନ୍ନାଥ ମ୍ୟୁଜିୟମ୍, ଲାଇବ୍ରେରୀ ଏବଂ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବେ। ଯେଉଁଠି ଗୋଟିଏ ଛାତ ତଳେ ରହିବ ସବୁ ସୁବିଧା। ଯାହାର ଏକ ପ୍ରତୀକାତ୍ମକ ଭିଡ଼ିଓ ବି ଜାରି କରିଛନ୍ତି ରାଜ୍ୟ ସରକାର।
ଶ୍ରୀଜଗନ୍ନାଥ ସଂଗ୍ରହାଳୟରେ ଜଗନ୍ନାଥ ସଂସ୍କୃତି ଏବଂ ଇତିହାସ ଯଥା, ଏହାର ପୌରାଣିକ ମହତ୍ତ୍ବ, ନୀଳମାଧବଙ୍କଠାରୁ ମନ୍ଦିର ନିର୍ମାଣର ଇତିହାସ, ବିଗ୍ରହ ପ୍ରତିଷ୍ଠା, କାଞ୍ଚି ବିଜୟ, ଯାନିଯାତ୍ରା, ମନ୍ଦିର ରୀତିନୀତି, ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଭାବାବେଗ ଆଦିର ଚିତ୍ରକଳା, ପ୍ରତିମୂର୍ତ୍ତି, ପଟ୍ଟଚିତ୍ର ପ୍ରଦର୍ଶିତ ହେବ।
ସେହିପରି ପୁସ୍ତକାଗାରରେ ଜଗନ୍ନାଥ ସଂସ୍କୃତି ସହିତ ଓଡିଆ ସଂସ୍କୃତି ଓ ପରମ୍ପରା ସମ୍ବନ୍ଧୀୟ ପୁସ୍ତକ ଏବଂ ଇ-ଲାଇବ୍ରେରୀର ସୁବିଧା ଉପଲବ୍ଧ ହେବ। ପରିସରରେ ପ୍ରାୟ ୩୦୦ ଆସନ ବିଶିଷ୍ଟ ଏକ ଅଡଟୋରିୟମ ବି ନିର୍ମାଣ ହେବ। ଯେଉଁଠି ପ୍ରତିଦିନ ଲାଇଟ ଓ ସାଉଣ୍ଡ ଶୋ’ ଚାଲିବ। ତା’ ଛଡା ଏକ ମୁକ୍ତାକାଶ ରଙ୍ଗମଞ୍ଚ ବି ନିର୍ମିତ ହେବ।
୨୦୧୧ ଜନଗଣନା ଅନୁଯାୟୀ, ୨ ଲକ୍ଷ ୭୦ ହଜାର ଜନସଂଖ୍ୟା ବିଶିଷ୍ଟ ପୁରୀ ସହରରେ ଏବେ ଅଛି ୩୨ଟି ୱାର୍ଡ। ଏହି ଧାର୍ମିକ ଏବଂ ପର୍ଯ୍ୟଟନ ସହରର କ୍ରମେ କଳେବର ବି ବୃଦ୍ଧି ପାଉଛି। ତେଣୁ ମହାନଗର ହେଲେ ୱାର୍ଡ ସଂଖ୍ୟା ତ ବଢ଼ିବ, ତା’ସହ ପ୍ରାଥମିକ ସ୍ବାସ୍ଥ୍ୟ ସେବା, ପରିମଳ, ଶିକ୍ଷା, ପାନୀୟ ଜଳ ସୁବିଧା, ଉପକଣ୍ଠ ଗାଁ ଗୁଡ଼ିକର କଳା ଓ ସଂସ୍କୃତିର ବିକାଶ ଏବଂ ଆର୍ଥିକ ମାନଦଣ୍ଡରେ ସୁଧାର ଆସିବ।
ପୂର୍ବରୁ ଟ୍ବିନସିଟି ସହ ପୁରୀକୁ ମିଶାଇ ଟ୍ରାଇ ସିଟି ଯୋଜନା କରିଛନ୍ତି ସରକାର। ଏବେ ମହାନଗର ଘୋଷଣା ପରେ ବେଶ୍ ଖୁସି ପୁରୀ ବାସିନ୍ଦା। ଶ୍ରୀମନ୍ଦିର ଓ ବେଳାଭୂମି ଭିତରେ ସୀମିତ ପୁରୀରେ କୌଣସି ମନୋରଂଜନ କିମ୍ବା ପର୍ଯ୍ୟଟନର ଭିତ୍ତିଭୂମି ନାହିଁ। ଏବେ 2036 ସୁଦ୍ଧା ମୋହନ ସରକାର ପୁରୀକୁ ଦେଶର ମୁଖ୍ୟ ଧର୍ମୀୟ ଏବଂ ପର୍ଯ୍ୟଟନ ସ୍ଥଳରେ ପରିଣତ ପାଇଁ ଲକ୍ଷ୍ୟ ରଖିଛନ୍ତି।