/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750435846.jpg)
ମୁଣ୍ଡିଆ ମାରିଲେ ମୋଦି
ଲକ୍ଷପତି ଦିଦିଙ୍କୁ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନତା ମୈଦାନ ସଭାରେ ସମ୍ମାନ ଗ୍ରହଣ କରିବାକୁ ଆସିଥିବା ଝାରସୁଗୁଡ଼ାର ଲକ୍ଷପତି ଦିଦି ଲୁସା ଗଣିକ୍ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ମୁଣ୍ଡିଆ ମାରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ମୁଣ୍ଡ ନୁଆଁଇ ପ୍ରତି ନମସ୍କାର ଜଣାଇଥିଲେ । ଖାଲି ସେତିକି ନୁହେଁ, ତାଙ୍କୁ ପୁରସ୍କୃତ କରିବା ପରେ ତାଙ୍କ ସହ ଷ୍ଟେଜ୍ ଉପରେ ହିଁ କିଛି ସମୟ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି । ଲୁସା ଗଣିକ ଝାରସୁଗୁଡ଼ା ଲଖନପୁର କୁମ୍ଭାରବାଙ୍ଗ ପଞ୍ଚାୟତର ବାସିନ୍ଦା । ସେ କୁକୁଡ଼ା ପାଳନ ଏବଂ କୃଷି ଦ୍ବାରା ବାର୍ଷିକ ୧୨ ଲକ୍ଷ ୫୫ ହଜାର ଆୟ କରି ମହା ଲକ୍ଷପତି ଦିଦି ଭାବେ ପୁରସ୍କୃତ ହୋଇଛନ୍ତି । ସେହିପରି ସଞ୍ଜୁ ସ୍ବାଇଁ ନାମକ ରଘୁରାଜପୁରର ଜଣେ ଲକ୍ଷପତି ଦିଦି, ପ୍ରଧାନମନ୍ତ୍ରୀଙ୍କୁ ଏକ ପଟ୍ଟଚିତ୍ର ଉପହାର ଦେଇଥିଲେ ।
ସେପଟେ ଓଡ଼ିଶା ଗସ୍ତରେ ଆସି ନିଜ ସମ୍ବୋଧନରେ ବଡ଼ ବୟାନ ରଖିଛନ୍ତି ପିଏମ୍ ମୋଦି । ଓଡ଼ିଶା ଆସିବା ପାଇଁ ଆମେରିକା ଗଲେନି ପ୍ରଧାନମନ୍ତ୍ରୀ ମୋଦି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକୁ ମନା କରିଦେଲେ । ଆମେରିକାଠୁ ଅଧିକ ଜରୁରୀ ଜଗନ୍ନାଥ ଧାମ ଯିବା ବୋଲି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମ ଯୋଗ ଦେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଏ କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ କାନାଡ଼ା ଗସ୍ତରେ ଥିଲାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋତେ ଫୋନ କରି ୱାସିଂଟନ ଆସିବାକୁ ସାଦର ନିମନ୍ତ୍ରଣ କରିଥିଲେ । କାନାଡା ଆସିଛନ୍ତି, ୱାସିଂଟନ ହୋଇ ଯିବେ । ସାଙ୍ଗ ହୋଇ ଖାଇବା, କଥା ହେବା କହିଥିଲେ । ହେଲେ ଓଡ଼ିଶା ଆସିବାର ଥିଲା ବୋଲି ମୁଁ ଟ୍ରମ୍ପଙ୍କୁ ମନା କଲି । ମୋତେ ଜଗନ୍ନାଥ ଧାମରୁ ନିମନ୍ତ୍ରଣ ଅଛି । ମହାପ୍ରଭୁଙ୍କ ମାଟି ଯିବା ଜରୁରୀ ବୋଲି ତାଙ୍କୁ କହିଲି । ମହାପ୍ରଭୁ ମୋତେ ଏଠାକୁ ଟାଣି ଆଣିଛନ୍ତି ବୋଲି ସମ୍ବୋଧନରେ କହିଛନ୍ତି ମୋଦି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)