Odisha Govt On PESA Act: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପେସା ଆଇନ ଲାଗୁ ପୂର୍ବରୁ ନିଆଯିବ ଲୋକଙ୍କ ମତ

ପେସା ଆଇନ୍‌ ଲାଗୁ କରିବା ପୂର୍ବରୁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ରାଜ୍ୟ ସରକାର ।

‘ପେସା ଆଇନ ପାଇଁ ନିଆଯିବ ଲୋକଙ୍କ ମତ’

ପେସା ଆଇନ୍ ଲାଗୁ ପୂର୍ବରୁ ଲୋକଙ୍କ ମତ ନେବେ ରାଜ୍ୟ ସରକାର । ଲୋକଙ୍କ ମତ ନେବା ସହ କରିବେ ସଚେତନତା ସଭା । ଏନେଇ ଜନଜାତି ଗୌରବ ଦିବସରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପ୍ରତି ଗାଁରେ ଜନସଭା କରାଯିବ । ‘ପେସା’ କିପରି କାର୍ଯ୍ୟକାରୀ ହେବ ସେନେଇ ବିସ୍ତୁତ ଆଲୋଚନା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜନତା ମୈଦାନଠାରେ ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ଜନଜାତି ଗୌରବ ଦିବସ । ଏଥିରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ବିହାରରୁ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତି ରହି ଅଭିଭାଷଣ ରଖିଥିଲେ ।

ଅଧିକ ପଢ଼ନ୍ତୁ: Bali Jatra 2024 Traffic Advisory: ବାଲିଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା, ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ...

ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ଜନଜାତି ସଂପ୍ରଦାୟ ଓଡ଼ିଶାର ଶକ୍ତି ଓ ଆତ୍ମା । ପୂର୍ବରୁ ଆଦିବାସୀଙ୍କୁ ଅବହେଳିତ କରି ରଖାଯାଇଥିଲା । କିନ୍ତୁ ଏବେର ସରକାର ଆଦିବାସୀ ସଂସ୍କୃତିକୁ ସୁରକ୍ଷା ଦେବାକୁ ପ୍ରାଥମିକତା ଦେଉଛନ୍ତି । ଜନଜାତି ଗୌରବ ଦିବସରେ ୧୫ ଶହ ୩୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଙ୍ଗଲ ଅଧିକାର ସ୍ବୀକୃତ ଆଇନ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ହିତାଧିକାରୀ ଏହି ପୋର୍ଟାଲରେ ଜମି ପଟ୍ଟା ପାଇଁ ଆବେଦନ କରିପାରିବେ । ଜଙ୍ଗଲ ଆଇନ କାର୍ଯ୍ୟକାରିତାର ସ୍ଥିତି ନେଇ ମଧ୍ୟ ଜାଣିପାରିବେ ସରକାର । ପ୍ରଥମ ଥର ପାଇଁ ଅନଲାଇନରେ ଆବେଦନ କଲେ ଆଦିବାସୀ ହିତାଧିକାରୀ ଜମି ପଟ୍ଟା ପାଇବାର ସୁଯୋଗ ପାଇପାରିବେ । ଏହି ଅବସରରେ ଭୁବନେଶ୍ବର ଗୋଠପାଟଣାଠାରେ ଜନଜାତି ଐତିହ୍ୟ ଓ ସ୍ବାଭିମାନ ଭବନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେହିପରେ ଓଡ଼ିଶା ଜନଜାତି ସଂଗ୍ରହାଳୟ ସହ ରାଜ୍ୟରେ ୪୨୬ଟି ଆବାସିକ ବିଦ୍ୟାଳୟର ମଧ୍ୟ ଶିଳାନ୍ୟାସ କରିଛନ୍ତି ।

ସେପଟେ ଜନଜାତି ଗୌରବ ଦିବସରେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଏନ୍‌ଡିଏର ସୌଭାଗ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାର ସୌଭାଗ୍ୟ ମିଳିଲା । ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ବେଳେ ଶ୍ରୀମତୀ ମୁର୍ମୁ ଆଦିବାସୀଙ୍କ ଉନ୍ନତି ପାଇଁ କହୁଥିଲେ । ପଛୁଆ ଆଦିବାସୀଙ୍କ ଉନ୍ନତି ପାଇଁ ମୋ ସହ ଅନେକବାର କଥା ହୋଇଥିଲେ । ରାଷ୍ଟ୍ରପତି ହେବା ପରେ ତାଙ୍କ ଉଦ୍ୟମରେ ପିଏମ୍‌ ଜନମନ ଯୋଜନା ଆରମ୍ଭ ହୋଇଛି । ଶ୍ରୀମତୀ ମୁର୍ମୁଙ୍କ ପାଇଁ ଏବେ ପଛୁଆ ଆଦିବାସୀ ବର୍ଗଙ୍କ ବିକାଶ କରାଯାଉଛି ।

ଅଧିକ ପଢ଼ନ୍ତୁ: Paradeep Boita Bandana Utsav 2024: ‘ପାରାଦୀପ ହେଉଛି ପ୍ରଗତିର ମୁଖଶାଳା, ଡବଲ ଇଞ୍ଜିନ ସରକାର ଓଡ଼ିଶାର ବିକାଶକୁ ଦୁଇଗୁଣା କରିବ’: Mohan Majhi

ଏମିତିକି ଅଟଳ ବିହାରୀ ବାଜପେୟୀଙ୍କ କଥା ମନେ ପକାଇଥିଲେ ମୋଦି । ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଜନଜାତି ମନ୍ତ୍ରାଳୟ ହୋଇଥିଲା । ଏବେ ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ବଜେଟ ୧.୨୫ଲକ୍ଷ କୋଟି ଛୁଇଁଛି । ଆଦିବାସୀଙ୍କ ବିକାଶ ପାଇଁ ଏନ୍‌ଡିଏ ସରକାର ଅହରହ ଉଦ୍ୟମ କରୁଛି । ଆଜି ସବୁ କ୍ଷେତ୍ରରେ ଆଦିବାସୀ ଯୁବକଯୁବତୀ ଆଗକୁ ଆସିପାରିଛନ୍ତି । ବିଗତ ୧୦ ବର୍ଷରେ ୨ଟି ନୂଆ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ ହୋଇଛି ବୋଲି ମୋଦି କହିଥିଲେ ।