/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747750811.jpg)
Puri YouTuber Priyanka Senapati in Trouble
ପାକିସ୍ତାନୀ ଜାସୁସ୍ ଜ୍ୟୋତି ମାଲହୋତ୍ରା ସ୍କାନରରେ ଥିଲା କି ପୁରୀ ଓ ଶ୍ରୀମନ୍ଦିର ? ଶତ୍ରୁ ଦେଶକୁ ପୁରୀ ସହରର କୌଣସି ତଥ୍ୟ ଲିକ୍ କରିଛି କି ଗୁପ୍ତଚରୀ ଅଭିଯୋଗରେ ଗିରଫ ଏହି ହରିୟାଣା ଟ୍ରାଭେଲ୍ ବ୍ଲଗର୍ ? ଏ ତମାମ୍ ଦିଗ ସାଙ୍ଗକୁ ପୁରୀର ୟୁଟ୍ୟୁବର୍ ପ୍ରିୟଙ୍କା ସେନାପତିଙ୍କ ସହ ଲିଙ୍କ୍, କୌଣସି ସନ୍ଦିଗ୍ଧ ସଂପୃକ୍ତି ଓ ଆର୍ଥିକ କାରବାର ବି ପୋଲିସର ତଦନ୍ତାଧୀନ ରହିଛି। ଗୋଟିଏ ପଟେ ଜ୍ୟୋତି ମାଲହୋତ୍ରାର ଗୁପ୍ତଚରୀ ଗୁମର ଭେଦିବାକୁ NIA ଓ IB ଜୋରଦାର କସରତ କରୁଥିବା ବେଳେ, ଏପଟେ ଜ୍ୟୋତି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଥିଲା କି ନାହିଁ, ତାକୁ ନେଇ ବି ଶଙ୍କା ବଢ଼ିଛି।
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଥିଲା କି ପାକ୍ ଜାସୁସ୍ ଜ୍ୟୋତି ? ପାକିସ୍ତାନୀ ହ୍ୟାଣ୍ଡଲର୍ କୁ ଦେଇଥିଲା କି ଶ୍ରୀମନ୍ଦିରର ଡ୍ରୋନ୍ ଫୁଟେଜ୍ ? ଜ୍ୟୋତି ମାଲହୋତ୍ରାକୁ ସହଯୋଗ କରିଥିଲେ କି ପୁରୀ ଝିଅ ପ୍ରିୟଙ୍କା ? ଏକାଠି ଶ୍ରୀମନ୍ଦିର ଦର୍ଶନ କରିଥିଲେ, ଏକାଠି କ୍ୟାବରେ ପୁରୀ ସହର ବୁଲିଥିଲେ, ଏକାଠି ହୋଟେଲରେ ଖାଇଥିଲେ...ହରିୟାଣା ହିସାରର ଜ୍ୟୋତି ମାଲହୋତ୍ରା ଓ ପୁରୀର ପ୍ରିୟଙ୍କା ସେନାପତି। ଦୁଇ ଟ୍ରାଭେଲ୍ ବ୍ଲଗର୍ କେଉଁ କେଉଁ ସ୍ଥାନ ବୁଲିଥିଲେ ଓ ସେଠାରେ କଣସବୁ କରିଥିଲେ, ତାର ଟିକିନିଖି ତଦନ୍ତ କରୁଛି ପୁରୀ ପୋଲିସ।
ଅଧିକ ପଢନ୍ତୁ: ପାକିସ୍ତାନର ପୋଲ୍ ଖୋଲିବ ସର୍ବଦଳୀୟ ଟିମ୍, ସାମିଲ ହେବାକୁ ମନାକଲେ ୟୁସୁଫ
ତେବେ ଆଗକୁ ରଥଯାତ୍ରା ଥିବାରୁ, ପୁରୀ ସଂପର୍କିତ କୌଣସି ଗୁପ୍ତ ତଥ୍ୟ ଜ୍ୟୋତି ପାକିସ୍ତାନକୁ ଲିକ୍ କରିଛି କି ନାହିଁ, ତାକୁ ନେଇ ଶଙ୍କା ବଢ଼ିଛି। ଏସବୁ ଭିତରେ ସାମ୍ନାକୁ ଆସିଛି ଆହୁରି କିଛି ଚାଞ୍ଚଲ୍ୟକର ଖବର। ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ୨୦୨୩ରେ ଗିରଫ ହୋଇଥିଲେ ପଶ୍ଚିମବଙ୍ଗ ୟୁଟ୍ୟୁବର୍ ଅନିମେଶ ଚକ୍ରବର୍ତ୍ତୀ। ସେତେବେଳେ ଅନିମେଶଙ୍କ ସହ ସଂପର୍କରେ ଥିବାରୁ ପ୍ରିୟଙ୍କାଙ୍କୁ ବି ପୋଲିସ ପଚରାଉଚରା କରିଥିଲା ବୋଲି ସୂଚନା ମିଳିଛି। ତେବେ ଗତବର୍ଷ ପ୍ରିୟଙ୍କାଙ୍କ ସହ ପୁରୀ ବୁଲିଥିବା ଜ୍ୟୋତି ମାଲହୋତ୍ରା ବି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଥିଲା କି ନାହିଁ ଏବଂ ଏଥିରେ ପ୍ରିୟଙ୍କାଙ୍କର କୌଣସି ହାତ ରହିଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ହେଲେ ଏଦିଗରେ ବି ପୋଲିସ ତଦନ୍ତ କରୁଥିବା ସ୍ପଷ୍ଟ କରିଛନ୍ତି ପୁରୀ SP।
ପୁରୀର ଜଗନ୍ନାଥ ବଲ୍ଲଭ ଭକ୍ତ ନିବାସ, ରୁମ୍ ନମ୍ବର ୨୦୩। ୨୦୨୪ ସେପ୍ଟେମ୍ବରରେ ପୁରୀ ଆସି ରୁମ୍ ନମ୍ବର ୨୦୩ରେ ରହିଥିଲା ଜ୍ୟୋତି। ୩ ଦିନ ରହିବା ପାଇଁ ଯୋଜନା ଥିଲା, କିନ୍ତୁ ୨୧ ଓ ୨୨ ତାରିଖରେ ରହି ଫେରିଯାଇଥିଲା। ଜ୍ୟୋତିର ମାଆ ବି ସାଥିରେ ଆସିଥିଲେ ବୋଲି କହିଛନ୍ତି ଭକ୍ତନିବାସର ମ୍ୟାନେଜର। ପୋଲିସ ଜଗନ୍ନାଥ ବଲ୍ଲଭ ଭକ୍ତନିବାସକୁ ଯାଇ ତଦନ୍ତ କରିଥିବା ବେଳେ, ଘଟଣାକୁ ୬ ମାସ ବିତିଯାଇଥିବାରୁ ତାର କୌଣସି ସିସିଟିଭି ଫୁଟେଜ ନଥିବା ସୂଚନା ମିଳିଛି। ସେପଟେ ପ୍ରିୟଙ୍କାଙ୍କୁ ଘନ ଘନ ପଚରାଉଚରା ଜାରି ରଖିଛି ସ୍ବତନ୍ତ୍ର ପୋଲିସ ଟିମ୍। ତଦନ୍ତ ନସରିବା ଯାଏଁ ତାଙ୍କୁ ପୁରୀ ବାହାରକୁ ନଯିବା ପାଇଁ କୁହାଯାଇଛି। ସେପଟେ ପ୍ରିୟଙ୍କା ଓ ତାଙ୍କ ପରିବାରବର୍ଗଙ୍କ ସହ ଜ୍ୟୋତି କିମ୍ବା ଅନ୍ୟ କାହାର ସନ୍ଦିଗ୍ଧ ଆର୍ଥିକ କାରବାର ହୋଇଛି କି ନାହିଁ, ତାହା ଜାଣିବାକୁ ବ୍ୟାଙ୍କ୍ ଟ୍ରାଞ୍ଜାକ୍ସନ୍ ବି ପୋଲିସ ସ୍କାନରରେ ଅଛି।
ପାକିସ୍ତାନୀ ଗୁଇନ୍ଦା ଅପରେଟିଭ୍-PIO ଲିଙ୍କରେ ଜ୍ୟୋତି ମାଲହୋତ୍ରା ଗିରଫ ହୋଇଥିବା ବେଳେ, NIA ଓ IB ଫୋକସରେ ରହିଛି ତାର ପାକିସ୍ତାନ ଓ ଚୀନ ଗସ୍ତ। ଟ୍ରାଭେଲ୍ ଡିଟେଲ୍ସ ଓ ଫାଇନାନ୍ସିଆଲ୍ ଟ୍ରାଞ୍ଜାକ୍ସନ ବି ଛାନଭିନ୍ କରାଯାଉଛି। ସେପଟେ ଚାଞ୍ଚଲ୍ୟ ସୃଷ୍ଟି କରିଛି ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଜ୍ୟୋତିର ଆଉ ଏକ ସନ୍ଦେହଜନକ ଭିଡିଓ। ପହଲଗାମ ନରସଂହାର ପରେ ପାକିସ୍ତାନ ହାଇକମିଶନରେ ସେଲିବ୍ରେସନ ପାଇଁ କେକ୍ ନେଇ ଯାଉଥିବା ଜଣେ ବ୍ୟକ୍ତି ସହ, ଅନ୍ୟ ଏକ ଇଭେଣ୍ଟରେ ଜ୍ୟୋତି ମାଲହୋତ୍ରାର ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଯାହାକି ପାକିସ୍ତାନ ପାଇଁ ଜାସୁସୀ ରହସ୍ୟକୁ ଆହୁରି ଘନୀଭୂତ କରୁଛି। ପାକିସ୍ତାନ ପାଇଁ ଗୁପ୍ତଚରୀ ଅଭିଯୋଗରେ, ଗତ ୨ ସପ୍ତାହ ଭିତରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୧୪ ଜଣଙ୍କୁ ଗିରଫ କରାଗଲାଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)