Advertisment

Unused Paddy Cleaner: ଖତ ଖାଉଛି କୋଟିଏ ଟଙ୍କାର ଧାନ ସଫେଇ ମେସିନ୍, କିଣାଯାଇଥିଲା କାହିଁକି ?

ଭିତ୍ତିଭୂମି ନଥାଇ କୋଟି କୋଟି ଟଙ୍କାର ଯନ୍ତ୍ରପାତି ଆଣି ନଷ୍ଟ କରାଯାଉଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ବଜାର ନିୟନ୍ତ୍ରିତ କମିଟି କାର୍ଯ୍ୟାଳୟ ପରିସରରେ। ଧାନକୁ କମ୍ ସମୟରେ ସଫା କରି ଧାନର ମାନ ବଢ଼ାଇବାକୁ ଆସିଥିବା ୬ ଟି ମେସିନ୍ ପଡି ପଡି ଖତ ଖାଉଛି । ସଂପାଦକ କହିଛନ୍ତି, କେହି ନେଉ ନାହାଁନ୍ତି। ଚାଷୀ କହୁଛନ୍ତି, ମେସିନ୍ ଆସିଲେ ଆମେ ଏଫ୍ଏକ୍ୟୁ ମାନର ଧାନ ଦେଇ ପାରିବୁ।

author-image
Tapan Kumar Swain
ଅଦ୍ୟତନ ହୋଇଛି
ଖତ ଖାଉଛି ମେସିନ୍

ଖତ ଖାଉଛି ମେସିନ୍

ଉତ୍ତର ଓଡ଼ିଶାର ଭାତ ହାଣ୍ଡି ହେଉଛି ବାଲେଶ୍ଵର । ବାଲେଶ୍ଵର ଜିଲ୍ଲାରେ ବିଶେଷ କରି ଉତ୍ତର ବାଲେଶ୍ଵରରେ ବର୍ଷକୁ ୨ ଥର ଧାନ ଚାଷ ହୁଏ। ଆଉ ଅମଳ ପରେ ଚାଷୀ କିଛି ଧାନ ନିଜ ପାଇଁ ରଖନ୍ତି ଆଉ କିଛି ଧାନ ସରକାରଙ୍କୁ ଦେଇଥାନ୍ତି। ସରକାରଙ୍କୁ ଦେବାକୁ ହେଲେ ସଫାସୁତୁରା କରି ଧାନର ମାନ ଦେଖିବାକୁ ପଡିଥାଏ। କାରଣ ଅମଳ ସମୟରେ ଧାନ ସହ କୁଟା ଓ ଅଗାଡି ରହିଯାଇଥାଏ। ଧାନ କୁ ସଫା କରିବାକୁ ଚାଷୀ କେତେବେଳେ ଫ୍ୟାନ, ବିପରୀତ ଦିଗ ପବନ ବା କୁଲା ବ୍ୟବହାର କରି ଉଡେଇ ଥାଆନ୍ତି। ତେବେ ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ ଓ ମେ ୨୦୨୪ରେ ଦୁଇଟି ପର୍ଯ୍ୟାୟରେ ବଜାର ନିୟନ୍ତ୍ରିତ କମିଟି ୬ଟି ଆଡଆନ୍ସ ମୋବାଇଲ୍ ପ୍ୟାଡି କ୍ଲିନର୍ କିଣିଥିଲ।

Advertisment

ଆସିବା ଦିନଠାରୁ କାର୍ଯ୍ୟାଳୟ ପରିସରରେ କଳା ଜରି ତଳେ ରହିଛି ୬ଟି ମେସିନ୍। ଖରା ବର୍ଷାରେ ପଡି ପଡି କିଛି ତମ୍ବୁ ଚିରି ଗଲାଣି । ମେସିନର କିଛି କିଛି ଅଂଶରେ କଳଙ୍କି ଲାଗି ଗଲାଣି। ହେଲେ ଏ ଯାଏଁ ହେଇ ପାରୁନାହିଁ ବ୍ୟବହାର । ସରକାର ଚାଷୀଙ୍କ ଠାରୁ ଉନ୍ନତ ମାନର ଧାନ ନେବାକୁ ଚାହୁଁଥିବା ବେଳେ ଏ ମେସିନ୍ ହୋଇଥାନ୍ତା ଉପଯୋଗୀ। ଚାଷୀ କହୁଛନ୍ତି ମେସିନ୍ ଆସିଲେ ଆମେ ଉନ୍ନତ ମାନର ଧାନ ଦେବୁ।

ଅଧିକ ପଢ଼ନ୍ତୁ : ରକ୍ତପରୀକ୍ଷା ନାଁରେ ଦୁର୍ନୀତି ଅଭିଯୋଗ, ଚୂନ ଲଗାଉଛି ଠିକା ସଂସ୍ଥା

୬ଟି ମେସିନର ମୂଲ୍ୟ ଏକ କୋଟି ୬୩ ଲକ୍ଷ ୨୦ ହଜାର ଟଙ୍କା। ଏହି ମେସିନରେ ଭ୍ରାମ୍ୟମାଣ ବ୍ୟବସ୍ଥା ଥିବାରୁ ଗୋଟିଏ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ଯାଇ ପାରିବ। ଘଣ୍ଟାକୁ ୨୦ କ୍ୱିଣ୍ଟାଲ ଧାନ ସଫା କରିବାର କ୍ଷମତା ରଖିଛି ଏହି ମେସିନ୍ । ଆଉ ଏହାକୁ ଚଲାଇବାକୁ ହେଲେ ଘଣ୍ଟାକୁ ୨୦ ଲିଟର ଡିଜେଲ ବା ୩ ଫେଜ୍ ଲାଇନର ଆବଶ୍ୟକତା ରହିଛି । ଦାମୀ ମେସିନର ମରାମତି ଖର୍ଚ୍ଚ ମଧ୍ୟ ଅଧିକ ରହିଛି । ସ୍ଵତନ୍ତ୍ର ତାଲିମପ୍ରାପ୍ତ ଯନ୍ତ୍ରୀଙ୍କର ମଧ୍ୟ ଆବଶ୍ୟକତା ରହିଛି। କିନ୍ତୁ ମେସିନ୍ ଆସିବା ଦିନଠାରୁ କୌଣସି ସୋସାଇଟି ବା ଚାଷୀ ଏତେ ଦାମୀ ମେସିନ୍ ନେବାକୁ ରାଜି ନୁହନ୍ତି । ଏତେ ବଡ ଓ ଖର୍ଚ୍ଚ ବହୁଳ ମେସିନ୍ ୟାର୍ଡରେ ହିଁ କାମ କରିପାରିବ । କିନ୍ତୁ ବାଲେଶ୍ଵରରେ ରହିଛି ଛୋଟ ଛୋଟ ଧାନ ସୋସାଇଟି। ଏଠାରେ ଚାଷୀ ଏହି ମେସିନ୍ ବ୍ୟବହାର କଲେ ଅଧିକ ଖର୍ଚ୍ଚାନ୍ତ ହେବେ ବୋଲି କହିଛନ୍ତି ଆର୍ ଏମ ସି ସଂପାଦକ । ଡି ଆର୍ ସି ଏସ କହିଛନ୍ତି ଚାଷୀ ଯଦି ହାତରୁ ପଇସା ଦେଇ ଏହାକୁ ବ୍ୟବହାର କରିବାକୁ ଚାହାନ୍ତି କରି ପାରିବେ।

Advertisment

ଏଠାରେ ପ୍ରଶ୍ନ ଉଠୁଛି ଯଦି ଭିତ୍ତିଭୂମି ନ ଥିଲା ବା ଏହି ମେସିନର ଆବଶ୍ୟକତା ବାଲେଶ୍ଵରରେ ନ ଥିଲା ତେବେ କାହିଁକି କିଣା ଯାଉଥିଲା ଏହି ମେସିନ୍ ? କାହିଁକି କୋଟିଏରୁ ଅଧିକ ଟଙ୍କା ନଷ୍ଟ କରାଯାଉଛି ? ଆଉ ଯଦି ଚାଷୀ ଏହି ମେସିନ୍ ବ୍ୟବହାର ନକରିବେ କ’ଣ ହେବ ଏହି ଦାମୀ ମେସିନ୍ ? ଅନ୍ୟ ସରକାରୀ ଯୋଜନା ଭଳି ଖତ ଖାଇ କବାଡି ବାଲା ହାତକୁ ଯିବନି ତ ଏହି ମେସିନ୍ ।

ଅଧିକ ପଢ଼ନ୍ତୁ : ବାଲେଶ୍ୱର ସବିରା ଷ୍ଟେସନରେ ନ୍ୟୁ ଜଲପାଇଗୁଡ଼ି-ଚେନ୍ନାଇ ଟ୍ରେନରୁ ଖସି ପଡ଼ିଲା ବ୍ୟାଟେରୀ ବକ୍ସ

Paddy Procurement Paddy Paddy Odisha RMC Machine
Advertisment
Advertisment