ବାଜିଲା ଖବର, ଆକାଉଣ୍ଟରେ କ୍ରେଡିଟ ହେଲା ୮୦ ହଜାର । ଅନଲାଇନରେ ଲୁଟିଥିଲେ, ଚେକ୍ ମାଧ୍ୟମରେ ଟଙ୍କା ଫେରାଇଲେ । କଷ୍ଟ ଅର୍ଜିତ ଧନ ଫେରି ପାଇଲେ ଦାଦନ ଶ୍ରମିକ । ବିପଦରେ ବ୍ୟାଙ୍କ ହାତ ଛାଡିଦେଇଥିବା ବେଳେ,ସାଙ୍ଗରେ ଛିଡା ହୋଇଥିବାରୁ ଓଟିଭିକୁ ଧନ୍ୟବାଦ ଦେଲେ ।
Also Read
୨୬ ଡିସେମ୍ବର ୨୦୨୪। ଚାନ୍ଦବାଲି ଥାନା ଅନ୍ତର୍ଗତ ବିଜୟନଗର ଗାଁର ପଦ୍ମଲୋଚନ ସାହାଣୀଙ୍କ ୨ଟି ଆକାଉଣ୍ଟରୁ ହଠାତ କଟିଯାଇଥିଲା ୮୫ ହଜାର ଟଙ୍କା । ପ୍ରଥମେ କରେଣ୍ଟ ଆକାଉଣ୍ଟରୁ ୭୦୦, ପରେ ୪୧ ହଜାର ଏବଂ ୩୯ ହଜାର ଏବଂ ଅନ୍ୟ ସେଭିଂ ଆକାଉଣ୍ଟରୁ କଟି ଯାଇଥିଲା ୪ ହଜାର ୩ ଶହ । ଯାହାକୁ ଦେଖି ପଦ୍ମଲୋଚନଙ୍କ ପାଦତଳୁ ମାଟି ଖସିଯାଇଥିଲା । ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଓ ବ୍ୟାଙ୍କକୁ ମଧ୍ୟ ଠକେଇ ବିଷୟରେ ଜଣାଇଥିଲେ । ହେଲେ ବ୍ୟାଙ୍କ ସାହାଯ୍ୟ କ’ଣ କରିବ ସବୁ ଦୋଷ ତାଙ୍କ ଉପରେ ଲଦିଦେଇଥିଲା । ବ୍ୟାଙ୍କଠୁ ଥାନା ଦଉଡ଼ି ଦଉଡ଼ି ନ୍ୟାୟ ପାଇଁ ନୟାନ୍ତ ହୋଇ ପଡ଼ିଥିଲେ ପଦ୍ମଲୋଚନ । ଶେଷରେ ଓଟିଭି ତାଙ୍କ ବିପଦ ବେଳର ବନ୍ଧୁ ସାଜିଥିଲା ।
ଅଧିକ ପଢ଼ନ୍ତୁ: ଖୋଲିବ ବହୁଚର୍ଚ୍ଚିତ ଋଷି ହତ୍ୟାକାଣ୍ଡର ଫାଇଲ୍ ! ଅଡୁଆରେ ଅନନ୍ତ ଜେନା
ଖବର ପ୍ରସାରଣ ପରେ ଡରିଯାଇଥିଲେ ସାଇବର ଫ୍ରଡ୍ । ଅନଲାଇନରେ ପଦ୍ମଲୋଚନଙ୍କ ଠାରୁ ୮୫ ହଜାର ଟଙ୍କା ଲୁଟିଥିବା ବେଳେ ଏକା ଥରକେ ଚେକ୍ ମାଧ୍ୟମରେ ୮୦ ହଜାର ୭ ଶହ ଟଙ୍କା ଫେରାଇଥିଲେ । ତେବେ କିଏ ତାଙ୍କ ଆକାଉଣ୍ଟରୁ ଟଙ୍କା ନେଲା ଏବଂ କେମିତି ଫେରିଲା ତାକୁ ନେଇ ଏବେ ଦ୍ୱନ୍ଦରେ ପଦ୍ମଲୋଚନ। ଏହାର ତଦନ୍ତ ସେ ଦାବି କରିଛନ୍ତି । ଏହା ସହ ବାକି ଥିବା ୪୩୦୦ ଟଙ୍କା ଫେରସ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।
ଏଠି ପ୍ରଶ୍ନ ଉଠୁଛି ପଦ୍ମଲୋଚନଙ୍କ ଟଙ୍କା କିଏ ଲୁଟିନେଇଥିଲା ? କାହିଁକି ଏହାକୁ ଫେରସ୍ତ କଲା ? ସବୁଠାରୁ ବଡ଼କଥା ହେଉଛି ଅସୁବିଧା ସମୟରେ ଗ୍ରାହଙ୍କୁ ସାହାଯ୍ୟ ବଦଳରେ ବ୍ୟାଙ୍କ କାହିଁକି ତାଙ୍କ ଉପରେ ଦୋଷ ଲଦିଦେଲା ? ଏହା ଏବେ ତଦନ୍ତ ସାପେକ୍ଷ ।