Advertisment

Pravasi Bharatiya Divas 2025: ପ୍ରବାସୀଙ୍କ ପାଇଁ ମେଲିଛି ଓଡ଼ିଆ କଳା ଓ ସଂସ୍କୃତିର ପସରା, ସବୁଠି ଝଲସୁଛି ଉତ୍କର୍ଷ ଉତ୍କଳର ଛାପ

ନାଚୁଛି ଚଇତି ଘୋଡ଼ା... ବାଜୁଛି ବୀରବାଦ୍ୟ ଘୁମୁରା... ପରିବେଶକୁ ଦୁଲୁକାଉଛି ଦୁଲଦୁଲି...। ଓଡ଼ିଶା ମାଟିରେ ପାଦ ଦେଉ ଦେଉ, ନିଜ ପାଦକୁ ରୋକି ପାରୁନାହାନ୍ତି ଅତିଥି ।

author-image
Santosh Kumar Sahoo
undefined

ପ୍ରବାସୀ ମହାକୁମ୍ଭରେ ଓଡ଼ିଆ ଛୁଙ୍କ

ପ୍ରବାସୀ ଭାରତୀୟ ଦିବସ ସମାରୋହରେ ମହମହ ଓଡ଼ିଆ ଛୁଙ୍କ । ଏୟାରପୋର୍ଟରେ ଗ୍ରାଣ୍ଡ୍ ୱେଲକମ୍ ଠୁ ରାଜଧାନୀର ସୁସଜ୍ଜିତ ରାସ୍ତାଘାଟ, ଏବଂ ଜନତା ମୈଦାନରେ ଭବ୍ୟ ଆୟୋଜନ । ସବୁଠି ଓଡ଼ିଆ କଳା ସଂସ୍କୃତି ଓ ପମ୍ପରାରର ଝଲକ। ବିଦେଶରେ ରହୁଥିବା ଭାରତୀୟଙ୍କୁ ଓଡ଼ିଆ କଳା, ସଂସ୍କୃତି, ପରଂପରା ଓ ଇତିହାସ ସଂପର୍କରେ ସଚେତନ କରୁଛି ବିଭିନ୍ନ ଆକର୍ଷଣୀୟ ପାଭିଲିୟନ ଓ ପ୍ରଦର୍ଶନୀ । ଆଉ ତା ସହ ସ୍ବାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ, ପିଠା ଓ ମିଠାର ବି ଭରପୁର ମଜା ନେଉଛନ୍ତି ଅତିଥି ।

Advertisment

ନାଚୁଛି ଚଇତି ଘୋଡ଼ା... ବାଜୁଛି ବୀରବାଦ୍ୟ ଘୁମୁରା... ପରିବେଶକୁ ଦୁଲୁକାଉଛି ଦୁଲଦୁଲି...। ଓଡ଼ିଶା ମାଟିରେ ପାଦ ଦେଉ ଦେଉ, ନିଜ ପାଦକୁ ରୋକି ପାରୁନାହାନ୍ତି ଅତିଥି । ସମ୍ବଲପୁରୀ ନାଚ ତାଳେ ତାଳେ, ଅଣ୍ଟାକୁ ହଲାଇ ଝୁମୁଛନ୍ତି ପ୍ରବାସୀ ଭାରତୀୟ ଓ ବିଦେଶୀ ପର୍ଯ୍ୟଟକ । ଏୟାରପୋର୍ଟରୁ ବାହାରିବା ମାତ୍ରେ ଓଡ଼ିଆ ଠାଣିରେ ଅତିଥିଙ୍କୁ ବାହୁ ମେଲି ସ୍ବାଗତ କରୁଛି ଉତ୍କର୍ଷ କଳାର ଭୂମି ଉତ୍କଳ । ଭୁବନେଶ୍ବର ବିମାନବନ୍ଦର ଟର୍ମିନାଲରୁ ରାଜଧାନୀର ରାସ୍ତାଘାଟ। ପବନରେ ଦୋଳି ଖେଳୁଛି ରଙ୍ଗବେରଙ୍ଗର ଚାନ୍ଦୁଆ। ବାଟ କଢ଼ାଇ ନେଉଛି ଜନତାମୈଦାନ ଯାଏଁ । ଅତିଥି ଦେବୋ ଭବଃ । ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ଅଭ୍ୟାଗତମାନଙ୍କୁ ସସମ୍ମାନେ ସ୍ବାଗତ କରୁଛି ଏ ଯୋଡ଼ହସ୍ତ। ଶୋଭା ପାଉଛି ମହାପ୍ରଭୁ ଶ୍ରୀଜନ୍ନାଥଙ୍କ ବାଲୁକା ବିଗ୍ରହ। ପ୍ରଣିପାତ ମୁଦ୍ରାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୪ ଫୁଟ୍ ଉଚ୍ଚ ଏହି ଆକର୍ଷଣୀୟ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ପ୍ରବାସୀ ଭାରତୀୟଙ୍କ ଆଗରେ ଆମ କଳା ଓ ସଂସ୍କୃତିର ଗାଥା ବଖାଣୁଛି ଓଡ଼ିଶା ପାଭିଲିଅନ୍ ଓ ସ୍ବତନ୍ତ୍ର ପ୍ରଦର୍ଶନୀ। ରତ୍ନ ସିଂହାସନରେ ତିନି ଦିଅଁଙ୍କ ପୂଜାର୍ଚ୍ଚନା ଠାରୁ ଆରମ୍ଭ କରି ରଥଯାତ୍ରା, ଦୋଳଯାତ, ଆଉ ତା ସହ ପ୍ରଦର୍ଶିତ ହୋଇଛି ମାର୍ଗଶିର ମାଣବସା ଗୁରୁବାର, ଝୋଟି ଚିତା, ଓଡ଼ିଆଣୀଙ୍କ ଲକ୍ଷ୍ମୀପୁରାଣ ପାଠ। ଶୁଭୁଛି କେନ୍ଦେରା ଓ ଖଞ୍ଜଣି ଆଦି ଲୋକବାଦ୍ୟ। ଦେଖିବାକୁ ମିଳୁଛି ହସ୍ତତନ୍ତ, ହସ୍ତଶିଳ୍ପ, ଚିତ୍ରକଳା ଏବଂ କାଠ ଓ ପଥରର ସୂକ୍ଷ୍ମ କାରୁକାର୍ଯ୍ୟ। ଆଦିବାସୀ ପରଂପରା, ସାଧବ ପୁଅଙ୍କ ନୌବାଣିଜ୍ୟ ସହ ପାଇକ ବିଦ୍ରୋହ ଓ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ଯୋଗଦାନ କଥା ବି ସୂଚିତ ହୋଇଛି ପାଭିଲିୟନ କାନ୍ଥରେ।

Advertisment

ଅଧିକ ପଢ଼ନ୍ତୁ: କାହା ଛତ୍ରଛାୟାରେ ରହି ଦଲାଲି ଚଳାଇ ଆସୁଥିଲେ ହଂସିତା-ଅନୀଲ୍-ମନୋଜ-ସରୋଜ ?

ପ୍ରବାସୀ ଭାରତୀୟଙ୍କ ପାଇଁ ଅନ୍ୟତମ ଆକର୍ଷଣ ସାଜିଛି ରାମକଥା ପାଭିଲିଅନ। ରାମାୟଣରେ ବର୍ଣ୍ଣିତ ବିଭିନ୍ନ କଳାକୃତିରେ ସୁସଜ୍ଜିତ ହୋଇଛି ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ଏହି ଗ୍ୟାଲେରି। ପ୍ରଦର୍ଶିତ ହୋଇଛି ପ୍ରତିକୃତି, ଚିତ୍ରକଳା, ମୁଖା ଓ ଅନ୍ୟାନ୍ୟ ସାମଗ୍ରୀ । ତେବେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଗାଥା କଣ କେବଳ ଭାରତବର୍ଷରେ ସୀମିତ । ନା... ବିଦେଶରେ ବି କିଭଳି ରାମାୟଣ, ରାମଲୀଳା ଓ ସେସଂପର୍କିତ ପୌରାଣିକ କଥାବସ୍ତୁର ପ୍ରଚଳନ ରହିଛି, ତାହା ଦେଖିବାକୁ ମିଳୁଛି 'ବିଶ୍ବରୂପ ରାମ' ପ୍ରଦର୍ଶନୀରେ। ରାବଣ ହତ୍ତା, ରାମଧନୁ, ଚିତ୍ରକଳା, ଜଟାୟୁ କାଠମୂର୍ତ୍ତି ଆଦି ଅଣାଯାଇଛି ବାଲି, ଥାଇଲାଣ୍ଡ ଓ ତ୍ରିନିଦାଦ୍ ଆଦି ଦେଶରୁ ।

କେବଳ କଳା ସଂସ୍କୃତିରେ ମଜ୍ଜାଇବାକୁ ନୁହେଁ, ପ୍ରବାସୀ ଭାରତୀୟଙ୍କୁ ଦେଶୀ ସୁଆଦରେ ହଜାଇବାକୁ ବି ହୋଇଛି ଭବ୍ୟ ଆୟୋଜନ। ଓଡ଼ିଆ ତିଅଣର ବାସ୍ନାରେ ମହକୁଛି ଜନତା ମୈଦାନର ବିଶାଳ ଡାଇନିଂ ହଲ୍। ରଙ୍ଗବେରଙ୍ଗର ଫୁଲ ସହ ସଜା ହୋଇରହିଛି ଭଳି କି ଭଳି ଖାଦ୍ୟର ପସରା। ସାଦା ଭାତ ଓ ହେଙ୍ଗୁ ଖେଚିଡ଼ିରୁ ଆରମ୍ଭ କରି, ଭଜା ମୁଗ ଡାଲି, ଜହ୍ନିଆଳୁ ରାଇ, ଗୋଟି ପୋଟଳ, ଛୁଇଁ ଆଳୁ ତରକାରୀ, ଦହିମାଛ, ପତ୍ରପୋଡ଼ା, ବାଟିବସା ଏମିତି କେତେ କଣ। ତା ସହ ଦହିବରା ଆଳୁଦମ୍, ବରା ଘୁଗୁନି, ଘୁଗୁନି ଚାଟ୍... ରସଗୋଲା, ଛେନାପୋଡ଼, ଛେନା ଝିଲ୍ଲୀ... ମଣ୍ଡା ପିଠା, ପୋଡ଼ ପିଠା, ଚକୁଳି ପିଠା। ତା ସହ ମାଣ୍ଡିଆ ଭଳି ମିଲେଟ୍ ରୁ ତିଆରି ଖାଦ୍ୟ ବି ପରସା ଯାଉଛି ଅତିଥିଙ୍କୁ।...

ଓଡ଼ିଶାରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ହେଉଥିବା ବେଳେ, ଏହି ଅବସରରେ ସତେ ଯେମିତି ପ୍ରବାସୀ ଅତିଥିଙ୍କ ଆଗରେ ନିଜ ରହସ୍ୟ ଉନ୍ମୋଚିତ କରୁଛି ଇଣ୍ଡିଆଜ୍ ବେଷ୍ଟ୍ କେପ୍ଟ ସିକ୍ରେଟ ।

ଅଧିକ ପଢ଼ନ୍ତୁଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାକୁମ୍ଭ, ଜନତା ମଇଦାନରେ ଏକାଠି ହେଲେ ଭାରତୀୟ ବଂଶୋଦ୍ଭବ

Bhubaneswar Odia Cuisine
Advertisment
Advertisment