• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ହାତୀଙ୍କ ପାଇଁ ଛୋଟ ପଡ଼ିଲାଣି ଓଡ଼ିଶା । ଆମର ଏଠି ଜଙ୍ଗଲର କ୍ଷମତାଠୁ ବାସ କରୁଛନ୍ତି ୪୦୦ ଅଧିକ ହାତୀ । ଖାଦ୍ୟ ଅଭାବରୁ ସେମାନେ ଜନବସତିମୁହାଁ ହେଉଛନ୍ତି, ପୋଷଣ ଅଭାବରୁ ରୋଗ ସଂକ୍ରମଣରେ ବି ମରୁଛନ୍ତି । ରାଜ୍ୟରେ ଅଧିକ ହାତୀ ମୃତ୍ୟୁ କାରଣ ପଛର ଏ ଗୁମର ଖୋଲିଛନ୍ତି ଖୋଦ୍ ବନ୍ୟପ୍ରାଣୀ ପିସିସିଏଫ୍ । ତେବେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଯୁକ୍ତି, ଜଙ୍ଗଲରେ ଖାଦ୍ୟପେୟ ବ୍ୟବସ୍ଥା ସହ ନୂଆ କରିଡର ତିଆରି କରି ରାଜ୍ୟର ହାତୀ କ୍ଷମତା ବଢ଼ାଇବାକୁ ପଡ଼ିବ ।

ଗଜରାଜଙ୍କ ପାଇଁ ଜାଗା ଅଭାବ । ଆମ ଜଙ୍ଗଲରେ ଯେତିକି ହାତୀ ରହିବା କଥା, ଅଛନ୍ତି ତା’ଠୁ ୪୦୦ ଅଧିକ । ବଢ଼ୁଛି ହାତୀ-ମଣିଷ ଲଢ଼େଇ, ଯାଉଛି ଜୀବନ । ରାଜ୍ୟରେ ଚଳିତ ବର୍ଷ ଅସ୍ୱାଭାବିକ ଭାବେ ହୋଇଥିବା ହାତୀ ମୃତ୍ୟୁର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିକଟରେ ଜଙ୍ଗଲ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏଭଳି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ।

ସେ କହିଛନ୍ତି, ବେଙ୍ଗାଳୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସେସର ଏସିଆନ ଏଲିଫ୍ୟାଣ୍ଟ କନଜରଭେସନ ସେଣ୍ଟର ଷ୍ଟଡି କହୁଛି, ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ । କିନ୍ତୁ ଏବେ ରାଜ୍ୟରେ ୨୧ ଶହ ଅର୍ଥାତ୍ ୪୦୦ ଅଧିକ ହାତୀ ଅଛନ୍ତି । ଖାଦ୍ୟ ଅନ୍ୱେଷଣରେ ସେମାନେ ଜନବସତିମୁହାଁ ହେଉଛନ୍ତି । ବଢୁଛି ହାତୀ-ମଣିଷ ଲଢ଼େଇ ।

ଜଙ୍ଗଲରେ ଖାଦ୍ୟପେୟ ଅଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ବି କମୁଛି । ରୋଗ ସଂକ୍ରମଣରେ ବହୁ ହାତୀ ଛୁଆ ଓ ରୋଗିଣା ହାତୀଙ୍କ ମୃତ୍ୟୁ ହେଉଛି । ବନ୍ୟପ୍ରାଣୀ ପିସିସିଏଫ୍ ଆହୁରି ମଧ୍ୟ କହିଛନ୍ତି, ଏବେ ଓଡ଼ିଶା ଜଙ୍ଗଲକୁ ଝାଡ଼ଖଣ୍ଡ ଓ ଛତିଶଗଡ଼ିରୁ ବି ହାତୀ ଆସୁଛନ୍ତି । ହାତୀଙ୍କ ବାସ୍ତବ ସଂଖ୍ୟା ଜାଣିବାକୁ ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି ଚାଲିବ ହାତୀ ଗଣନା ।

ପୂର୍ଣ୍ଣମୀ ରାତିରେ ସେମାନଙ୍କର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ଗଣନା କରାଯିବ । ଏମିତିକି ଅଧିକ ହାତୀ ଥିବା କିଛି ଜଙ୍ଗଲରୁ କେତେକ ହାତୀକୁ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା ଥିବା ସେ କହିଛନ୍ତି । ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଯୁକ୍ତି, ହାତୀ ସଂଖ୍ୟା ଅଧିକ ଅଛନ୍ତି, ତେବେ ଅଧିକ ହାତୀ ଥିବାରୁ ସେମାନଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇ ହେବନି ।

ସରକାରଙ୍କୁ ଜଙ୍ଗଲୀ ହାତୀଙ୍କ ପାଇଁ ବାସସ୍ଥଳୀ କ୍ଷମତା ବଢ଼ାଇବାକୁ ପଡ଼ିବ । ସେହିପରି ହାତୀଙ୍କ ପାଇଁ ପୂର୍ବରୁ ଥିବା କରିଡରଗୁଡ଼ିକ ନଷ୍ଟ ହୋଇଗଲାଣି । ସେମାନଙ୍କ ଲାଗି ନୂଆ କରିଡର ସୃଷ୍ଟି କରିବାକୁ ହେବ । ତେବେ ବନ ବିଭାଗ ତଥ୍ୟ କହୁଛି, ଗତ ୮ ବର୍ଷରେ ରାଜ୍ୟରେ ୬୩୪ଟି ହାତୀର ଜୀବନ ଯାଇଛି । ବର୍ଷକୁ ବର୍ଷ ହାତୀ ମୃତ୍ୟୁ କମୁଛି । ଚଳିତ ବର୍ଷ ଏବେ ସୁଦ୍ଧା ୬୦ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶିକାରୀ ତଥା ବିଷକ୍ରିୟା ଯୋଗୁ ଗୋଟିଏ ବି ହାତୀର ଜୀବନ ଯାଇନି ।

ତେବେ ବିଦ୍ୟୁତ ଆଘାତରେ ୨୧ଟି ହାତୀ, ଟ୍ରେନ୍ ଦୁର୍ଘଟଣାରେ ୩ଟି, ରୋଗ ଯୋଗୁ ୧୩ଟି ହାତୀର ମୃତ୍ୟୁ ହୋଇଥିବା ବେଳେ ୧୯ଟି ହାତୀର ସ୍ୱାଭାବିକ ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟ କହୁଛି ।

OTV is now on Whatsapp

Join and get latest news update delivered to you via whatsapp

Join Now