ସାବାଡ୍ ହେବେ ବାଲି ମାଫିଆ । ଚୋରା ଚାଲଣରେ ଲାଗିବ ରୋକ୍ । ବାଲି ଚୋରା ଚାଲାଣ ରୋକିବ ନୂଆ ସରକାରଙ୍କ ନୂଆ ଏସ୍ଓପି । ବାଲି ଖାଦାନରେ ଲାଗିବ ସିସିଟିଭି । ବ୍ଲକ୍ ହାତରେ ରହିବ ବାଲି ଘାଟ ଦାୟିତ୍ୱ । ଚୋରି ଜଗିବେ ଗ୍ରାମ ପଞ୍ଚାୟତ ଏବଂ ସରପଞ୍ଚ ।
ବିଡିଓ ଦେବେ ରିଲିଜ୍ ଅର୍ଡର, ଆଉ ତହସିଲଦାରଙ୍କ ନେତୃତ୍ୱରେ ଗଠନହେବ ସ୍କ୍ୱାର୍ଡ । ଏମିତି କିଛି କଡ଼ା ନିର୍ଦ୍ଦେଶାବଳୀ ସହ ନୂଆ ଏସ୍ଓପି ଜାରି କରିଛି ଖଣି ବିଭାଗ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ କମିଟି ଗଠନ ହେବ । ଏସପି, ଡିଏଫଓ, ଏଡିଏମଙ୍କ ସହ ୧୨ଜଣ ଏହାର ସଦସ୍ୟ ରହିବେ ।
Also Read
ବିଡିଓ ଆକଳନ ରିପୋର୍ଟ ଜିଲ୍ଲାସ୍ତରୀୟ କମିଟି ଆଗରେ ରଖିବେ । କମିଟି ସୋର୍ସ ଚିହ୍ନଟ କରିବେ । ଏହାର ସୀମା ପିଲର୍ ଦ୍ୱାରା ଆବଦ୍ଧ କରାଯିବ । ସେହି ଉତ୍ସ ପାଞ୍ଚ ବର୍ଷ ପାଇଁ ବିଡିଓଙ୍କ ମାର୍ଫତରେ ରହିବ । ହିତାଧିକାରୀଙ୍କୁ ବାଲି ରିଲିଜ ଅର୍ଡର ଦେବେ ବିଡିଓ । ଯେଉଁ ସଂସ୍ଥା ଲିଜ୍ ନେବ ସେ ସମସ୍ତ ଫି ଏକା ସଙ୍ଗେ ଦେବ । ପରିଚାଳନା ପାଇଁ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ଏକ କମିଟି ରହିବ । ଏହି କମିଟି ୨ ଜଣ ଗାର୍ଡ ଏବଂ ଜଣେ ଆକାଉଣ୍ଟାଣ୍ଟ ନିୟୋଜିତ କରିବ । ସେମାନଙ୍କୁ ମାସିକ ଦରମା ପଞ୍ଚାୟତିରାଜ ବିଭାଗ ଦେବ ।
ବେଆଇନ ଚୋରାଚାଲାଣ ପାଇଁ ତହସିଲଦାରଙ୍କ ନେତୃତ୍ୱରେ ଏକ ସ୍କ୍ୱାର୍ଡ ଗଠନହେବ । ନୂଆ ଏସ୍ଓପି ଦ୍ୱାରା ଚୋରାଚାଲାଣ ରୋକିବା ସହ ରାଜସ୍ୱ ବୃଦ୍ଧି ହେବ ବୋଲି କହିଛନ୍ତି ମନ୍ତ୍ରୀ । ବାଲି ଚୋରାଚାଲାଣ ନେଇ ନିତି ରାଜ୍ୟର କୋଣ ଅନୁକୋଣରୁ ଅଭିଯୋଗ ଆସୁଛି । ଏମିତି କି ନିକଟରେ ବିଧାନସଭାରେ ଆସିଥିବା ଉତ୍ତର ବି ବାଲି ଲୁଟ୍ର ସାଂଘାତିକ ତଥ୍ୟ ସାମ୍ନାକୁ ଆସିଥିଲା ।
ବାଲି ଚୋରିରୁ ଗତ ୧୧ ମାସରେ ୪୦ କୋଟି ୭୩ ଲକ୍ଷ ଟଙ୍କା ଫାଇନ ଆଦାୟ କରିଛନ୍ତି ରାଜ୍ୟ ସରକାର । ୩୧୨୩ଟି ଚଢ଼ାଉକରି ୩ ହଜାର ୮୯୫ ଗାଡ଼ି ସିଜ୍ କରିଛନ୍ତି । ଆଉ ୨୦୨୧ରୁ ୨୦୨୩ ମଧ୍ୟରେ ୧୯୫ କୋଟି ୨୭ ଲକ୍ଷ ଟଙ୍କା ଫାଇନ ଆଦାୟ ହୋଇଛି । ତେବେ ନୂଆ ଏସ୍ଓପି ବାଲି ଚୋରାଚାଲାଣ ରୋକିବ ବୋଲି ଲୋକେ ଆଶାବାଦୀ ଅଛନ୍ତି । ତେବେ ନୂଆ ଏସ୍ଓପି ବାଲି ଚୋରା ଚାଲାଣ ରୋକିବାରେ କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା ।