ମାଟି ଘରକୁ ଗୋବର ଲିପା ପିଣ୍ଡା । ପରିଷ୍କାର ପରିଚ୍ଛନ ଦାଣ୍ଡକୁ ଚିତ୍ର ବିଚିତ୍ର କାନ୍ଥ । ଇଏ କୌଣସି ମେଳା କିମ୍ୱା ପ୍ରଦର୍ଶନୀର ଦୃଶ୍ୟ ନୁହେଁ । ଏ ହେଉଛି ଓଡ଼ିଶାର ସବୁଠାରୁ ସ୍ୱଚ୍ଛ ବା ସୁନ୍ଦର ଗାଁର । ଯାହାର ସୁନ୍ଦରତାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରି ହେବନି । ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଭାତଛତ୍ର ପଂଚାୟତରେ ଥିବା ଏ ଚର୍ଚ୍ଚିତ ଗାଁର ନାଁ ହେଉଛି ବବେଇ ଯୋଡ଼ା । ପାଖାପାଖି ଶହେଟି ପରିବାର ଏଠାରେ ବସବାସ କରନ୍ତି । ଅଧିକାଂଶ ଘର ଏଠାରେ ମାଟି ଓ ଛପରରେ ତିଆରି ।
Also Read
ପ୍ରାକୃତିକ ରଙ୍ଗ ବ୍ୟବହାର କରି ଘର ସବୁକୁ ସୁନ୍ଦର ଭାବରେ ସଜାଇ ଥାଆନ୍ତି ଗ୍ରାମର ମହିଳା । ପ୍ରତ୍ୟେକ ଗ୍ରାମବାସୀ ଶୌଚାଳୟ ବ୍ୟବହାର କରିବା ସହିତ ମଇଳା ଅଦରକାରୀ ବସ୍ତୁକୁ ଏଣେ ତେଣେ ନପକାଇ ଡଷ୍ଟବିନରେ ପକାଇ ଥାଆନ୍ତି । ଫଳରେ ଗାଁ ରାସ୍ତା କି ଦାଣ୍ଡ କେବେ ଅପରିଷ୍କାର ହୁଏ ନାହିଁ । ତେବେ ଗ୍ରାମବାସୀଙ୍କ ମତରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହେବା ପୂର୍ବରୁ ଗ୍ରାମବାସୀ ଚିନ୍ତା କରି ଗାଁକୁ ସଫା ସୁତୁରା ରଖିଆସୁଛନ୍ତି ।
ଅଧିକ ପଢ଼ନ୍ତୁ: ରାଜା ଚକ୍ରଙ୍କୁ ଘାଣ୍ଟୁଛି EOW, ୨୦ ଗାଡ଼ି ଜବତ ଓ ୨୦୦ ଆକାଉଣ୍ଟ ଠାବ
ଏହି ଗାଁକୁ ପରିଷ୍କାର ପରିଚ୍ଛନ୍ନ କରିବାର ପ୍ରଥମ ପ୍ରୟାସ ଗାଁର ଶିକ୍ଷକ ମଧୁସୁଦନ ମାରାଣ୍ଡି କରିଥଲେ । ଯାହାକୁ ଗ୍ରାମବାସୀ ଆଜି ଯାଏଁ ପାଳନ କରୁଛନ୍ତି । ଏପରିକି ଆଜିର ଉଗ୍ର ଆଧୁନିକ ଯୁଗରେ ମଧ୍ୟ ନିଜର ପାରମ୍ପରିକ ରୀତିନୀତିକୁ ଜାବୁଡି ଧରି ରଖିଛନ୍ତି ଗ୍ରାମବାସୀ । ଏହା ସହିତ ପରିବେଶ ସୁରକ୍ଷା ଦେବାସହ ପରିଷ୍କାର ପରିଚ୍ଛନ୍ନତା ଉପରେ ସେମାନେ ଧ୍ୟାନ ଦିଅନ୍ତି। ଘରର କାନ୍ଥକୁ ବର୍ଷକୁ ଦୁଇଥର ବିଭିନ୍ନ ଚିତ୍ର ମାଧ୍ୟମରେ ରଙ୍ଗ କରାଯାଇଥାଏ । ପାହାଡିଆମାଟି, ଗଛର ଛାଲି, ଫୁଲ ଦ୍ଵାରା ପ୍ରାକୃତିକ ରଙ୍ଗ ତିଆରି କରି ତାକୁ ବ୍ୟବହାର କରାଯାଏ । ଗାଁ ଦେଖିବାକୁ ଏତେ ସୁନ୍ଦର ଯେ ପର୍ଯ୍ୟଟକ ମାନେ ମଧ୍ୟ ଏଠାକୁ ବୁଲିବାକୁ ଆସିଥାନ୍ତି । ଏ ସୁନ୍ଦର ଗ୍ରାମରେ ୨୦୦ରୁ ଅଧିକ ଆଲବମ୍, ସିରିଏଲ, ୟୁଟ୍ୟୁବ ଭିଡିଓ ସୁଟିଂ ହୋଇ ସାରିଲାଣି।
ତେବେ ଏହି ଗାଁର ମୁଖ୍ୟ ପର୍ବ ହେଉଛି ପର ପାତା । ଏହି ପର୍ବ ସମୟରେ ଝାଡ଼ଖଣ୍ଡ ,ପଶ୍ଚିମବଙ୍ଗରୁ ମଧ୍ୟ ବହୁ ଆଦିବାସୀ ଏଥିରେ ସାମିଲ ହେବାକୁ ଗାଁକୁ ଛୁଟି ଆସନ୍ତି । ଆଉ ପର୍ବ ପାଇଁ ସବୁ ଆୟୋଜନ ଓ ସାଜସଜ୍ଜା ଗାଁର ଯୁବକ ମାନେ ହିଁ କରନ୍ତି। ସେଥିପାଇଁ ଏଠାରେ ଏକ କ୍ଲବ ମଧ୍ୟ ଅଛି। ସତରେ ଗାଁକୁ ପରିଷ୍କାର ରଖିବାକୁ ଗ୍ରାମବାସୀଙ୍କ ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ ନିଶ୍ଚିତ ।