ଆଜି ହେବ ଶ୍ରୀମନ୍ଦିରରେ ବନକଲାଗି ନୀତି । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବେ ଦତ୍ତ ମହାପାତ୍ର ସେବାୟତ । ଏଥିଲାଗି ଶ୍ରୀମନ୍ଦିରରେ ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ବନକଲାଗି ନୀତି ପାଇଁ ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ବଢୁଛି ଖରାର ପ୍ରକୋପ, ପ୍ରଥମ ଥର ପାଇଁ ତାତି ଛୁଇଁଲା ୩୯ ଡିଗ୍ରୀ
ସେହିପରି ବନକଲାଗି ନୀତି ପାଇଁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ମଧ୍ୟ ବନ୍ଦ ରହିବ । ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୁର, କଇଥଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରି ଶ୍ରୀଜୀଉଙ୍କ ଶ୍ରୀମୁଖ ଶୃଙ୍ଖାର କରିବାର ପରମ୍ପରା ରହିଛି ।
ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟ୍ସ କୁହେ ମହାପ୍ରଭୁଙ୍କର ଏହି ଶ୍ରୀଅଙ୍ଗ ଲାଗି ସେବାର ସୁଯୋଗ ପାଇଛନ୍ତି ଦତ୍ତମହାପାତ୍ର ସେବକ । ଏହା ବଂଶାନୁକ୍ରମିକ ସେବା ଓ ସିଧା ରତ୍ନବେଦୀ ଉପରେ ଚଢ଼ି ଠାକୁରମାନଙ୍କୁ ଆକର୍ଷଣୀୟ ରୂପ ଦେବାର ସୁଯୋଗ । ବନକଲାଗିରେ ମୁଖ୍ୟତଃ ଚାରି ପ୍ରକାର ପ୍ରାକୃତିକ ରଙ୍ଗ ବ୍ୟବହାର ହୋଇଥାଏ, ଯାହା ହେଲା କଳା, ଧଳା, ନାଲି ଓ ହଳଦିଆ ।
ଏଥିପାଇଁ ଦରକାର ପଡୁଥିବା ସାମଗ୍ରୀଗୁଡ଼ିକ ହେଲା କଜ୍ଜ୍ବଳ, ହିଙ୍ଗୁଳ, ହରିତାଳ, କସ୍ତୁରୀ, ଚନ୍ଦନ, କର୍ପୂର, କେଶର ଓ ଘୋରା ଶଙ୍ଖ । ଏଥିରୁ ଅଧିକାଂଶ ବନଜାତ ଦ୍ରବ୍ୟ । ହିଙ୍ଗୁଳକୁ ହଳଦିଆ ରଙ୍ଗ ଭାବେ ବ୍ୟବହାର ହେଉଥିବାବେଳେ ହରିତାଳ ଲାଲ ରଙ୍ଗ ପାଇଁ ଦରକାର । ବଳଭଦ୍ରଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ଅତି ଦରକାରୀ ଧଳା ରଙ୍ଗ ମୁଖ୍ୟତଃ ଘୋରା ହୋଇଥିବା ଦକ୍ଷିଣାବର୍ତ୍ତୀ ଶଙ୍ଖରୁ ସଂଗୃହୀତ ହୋଇଥାଏ ।
ସେହିପରି କଳାଠାକୁର ଜଗନ୍ନାଥଙ୍କ ଶ୍ରୀମୁଖ ଶିଙ୍ଗାର ପାଇଁ ପ୍ରଜ୍ଜ୍ୱଳିତ ଦୀପରୁ ସଂଗୃହୀତ କଳା ବ୍ୟବହାର ହୋଇଥାଏ । ପ୍ରତ୍ୟେକ ସାମଗ୍ରୀ ରୁପା ଷଡ଼େଇରେ ରଖି ଗୋଳାଯିବା ପରେ ଶ୍ରୀବିଗ୍ରହମାନଙ୍କ ବନକଲାଗି କରାଯାଏ ।