ଗଞ୍ଜେଇ ମୁକ୍ତ ହେବ ଓଡ଼ିଶା । ରାଜ୍ୟରୁ ଗଞ୍ଜେଇ ଚାଷ ମୂଳପୋଛ ଲକ୍ଷ୍ୟରେ ଗଢ଼ା ହୋଇଛି ଯୁଗ୍ମ ଟାସ୍କଫୋର୍ସ । ଅବକାରୀ ଓ ପୋଲିସ ବିଭାଗ ସାଙ୍ଗେ ହାତ ମିଳାଇଛନ୍ତି ଆଉ ୨ ବିଭାଗ । ୨୦୨୬ ସୁଦ୍ଧା ବେଆଇନ ନିଶା କାରବାର ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ଟାର୍ଗେଟ୍ ପୂରଣ କରିବାକୁ ୯ ଜିଲ୍ଲାରେ ଚାଲିଛି ଅଭିଯାନ । ଡିଜିପି କହିଛନ୍ତି ମାସକ ଭିତରେ ୨ ହଜାର ୩୭୫ ଏକର ଜମିରେ ଗଂଜେଇ ଚାଷ ଧ୍ୱଂସ ହୋଇଥିବାବେଳେ ୮୦ ବେପାରୀ ବନ୍ଧା ହେଲେଣି ।
ନୀଳ ଜହର ଚାଷକୁ ସମୂଳେ ଧ୍ୱଂସ ପାଇଁ ଓଡ଼ିଶା ପୋଲିସ କରିଛି ପଣ । ନଜର ଆଢୁଆଳରେ ମାଓ ଗଡ଼ରୁ ନିଶା ବୃକ୍ଷର କେମିତି ହେବ ମୂଳୋତ୍ପାଟନ ? ଏଥିପାଇଁ ସବୁ ଜିଲ୍ଲାର ପୋଲିସ୍ ଏସପି ମାନଙ୍କୁ ଟାସ୍କ ଦେଇଛନ୍ତି ଡିଜିପି । ଆଉ ସେ ନିର୍ଦ୍ଦେଶ ପାଇବା ମାତ୍ରେ ଡ୍ରୋନ୍ ଓ ସାଟେଲାଇଟ୍ ସାହାଯ୍ୟ ନେଇ ଶହ ଶହ ଏକର ଜମିରୁ ସଫା ଚାଲିଛି ଗଂଜେଇ ।
ବଡ଼ କଥା ହେଲା ଏଥର ଖାଲି ଅବକାରୀ ବିଭାଗ ଏ କାମରେ ଲାଗିନି, ବରଂ ତାକୁ ସହଯୋଗ କରୁଛନ୍ତି ପୋଲିସ୍, ରାଜସ୍ୱ ଓ ଜଙ୍ଗଲ ବିଭାଗ । ଏ ସମସ୍ତ ବିଭାଗମାନଙ୍କୁ ନେଇ ଏକ ଯୁଗ୍ମ ଟାସ୍କ ଫୋର୍ସ ବି ଗଠନ ହୋଇଛି । ଯାହାର ଫଳ ସ୍ୱରୂପ ଗଲା ମାସକ ଭିତରେ ୨ ହଜାର ୩୭୫ ଏକର ଜମିରେ ସମ୍ପୂର୍ଣ୍ଣ ଧ୍ୱଂସ କରାଗଲାଣି ଗଂଜେଇ ଚାଷ । ପ୍ରାୟ ୨୮ ଲକ୍ଷ ନୀଳ ନିଶା ବୃକ୍ଷ ଉପୁଡ଼ାଇ ସେଥିରେ ନିଆଁ ଲଗାଇଛି ଏ ଟାସ୍କ ଫୋର୍ସ । ଏପରି କିଛି ଚିତ୍ର କନ୍ଧମାଳ, ରାୟଗଡ଼ା, ବୌଦ୍ଧ ଓ ଦିଗପହଣ୍ଡିରୁ ଆସିଛି ।
Also Read
ଅଧିକ ପଢନ୍ତୁ: ଜୀବନଶୈଳୀ-ଖାଦ୍ୟ ନିଯନ୍ତ୍ରଣ, ଫୋର୍ଥ ଷ୍ଟେଜରେ କ୍ୟାନସର ମାତ୍ !
ଦିଗପହଣ୍ଡିରେ ୧୦ ଏକର ଜମିରେ ପ୍ରାୟ କୋଟିଏ ଟଙ୍କାର ନିଶାଗଛ ନଷ୍ଟ କରାଯାଇଛି । ଯେହେତୁ ରାଜ୍ୟର ୯ ଜିଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ବୌଦ୍ଧ, ଗଞ୍ଜାମ, ନବରଙ୍ଗପୁର ଓ ମୟୁରଭଞ୍ଜରେ ବହୁଳ ପରିମାଣରେ ବେଆଇନ ଗଞ୍ଜେଇ ଚାଷ ଚାଲିଥିବା ପକ୍କା ରିପୋର୍ଟ ପାଇଥିଲା ଓଡ଼ିଶା ପୋଲିସ୍ । ତେଣୁ ନଭେମ୍ବର ୧ରୁ ଅଭିଯାନରେ ଲାଗିଛି ଯୁଗ୍ମ ଟାସ୍କ ଫୋର୍ସ । ସବୁଠି ଦଳବଳ ଧରି ଆକ୍ସନ ମୋଡରେ କର୍ମଚାରୀ ।
ଡିଜିପିଙ୍କ ତଥ୍ୟ ଅନୁସାରେ, ଏଇ ନଭେମ୍ବର ମାସରେ ରାଜ୍ୟର ବିଭିନ୍ନ ଥାନାରେ ୫୪ଟି NDPS ମାମଲାରେ ୫୩ ଶହ କେଜି ଗଞ୍ଜେଇ ଜବତ କରାଗଲାଣି । ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ୨୦ ଟି ଗାଡି ସହ ୧୫ ଲକ୍ଷ ନଗଦ ଟଙ୍କା ମଧ୍ୟ ସିଜ୍ କରିଛି ପୋଲିସ୍ ଓ ଅବକାରୀ ବିଭାଗ । ୮୦ ଜଣ ଗଂଜେଇ ବେପାରୀ ଗିରଫ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୯୫୯ ଏକ ଜମିରେ ନୀଳ ଜହର ଚାଷ ଧ୍ୱଂସ କରାଯାଇ ସାରିଲାଣି ।
ପୋଲିସ ମହାନିର୍ଦ୍ଦେଶକ କହିଛନ୍ତି- ଯେଉଁ ସବୁ ଅଞ୍ଚଳରେ ନକ୍ସଲଙ୍କ ଦବଦବା ରହିଥିଲା, ସେଠି ହିଁ ବହୁଳ ଗଂଜେଇ ଚାଷ ହେଉଛି । ତେବେ ଏସବୁ ଆଉ ଚାଲିବନି । ମାଓବାଦ ସହ ଗଂଜେଇ ଚାଷକୁ ବି ସମୂଳେ ଧ୍ୱଂସ କରାଯିବ । ସେପଟେ ୨୦୨୬ ସୁଦ୍ଧା ରାଜ୍ୟରେ ବେଆଇନ ନିଶା କାରବାର ସମ୍ପୂର୍ଣ୍ଣ ବନ୍ଦ ପାଇଁ ସରକାରଙ୍କର ରହିଛି ଟାର୍ଗେଟ୍ । ଏଥିପାଇଁ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆସିବ ଓ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ଏବଂ ଜରିମାନା ବ୍ୟବସ୍ଥା ରହିବ ବୋଲି ଗତ ୨୦ ତାରିଖ ଦିନ ଅବକାରୀ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି ।