କ୍ୟାନସର ଭଳି ମାରାତ୍ମକ ରୋଗକୁ ଅତି ସରଳ ଏବଂ ଆୟୁର୍ବେଦ ଉପଚାର ଦ୍ୱାରା ନିରାକରଣ କରାଯାଇ ପାରିବ । ଏହା ଆପଣଙ୍କୁ ଟିକେ ଅଡୁଆ ଲାଗୁଥାଇପାରେ । ହେଲେ କ୍ୟାନସରକୁ ଅତି ପାଖରୁ ଭଲ ହେବାରେ ଦେଖିଥିବା ପୂର୍ବତନ କ୍ରିକେଟର ନବଜୋତ୍ ସିଂ ସିଦ୍ଧୁ ଏଭଳି ଦାବି କରିଛନ୍ତି । କେମିତି ଡାଏଟ୍ କଣ୍ଟ୍ରୋଲ କରି ଏବଂ ଆୟୁର୍ବେଦ ଉପଚାର ଦ୍ୱାରା ତାଙ୍କ ପତ୍ନୀ କ୍ୟାନସରର ଚତୁର୍ଥ ଷ୍ଟେଜରୁ ଫେରିଛନ୍ତି, ସେନେଇ ଦୁଇ ଦୁଇ ଥର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ସିଦ୍ଧୁ । ତେବେ ସିଦ୍ଧୁଙ୍କ ବୟାନକୁ ନେଇ ଆରମ୍ଭ ହୋଇଯାଇଛି ବିତର୍କ ।
ସତରେ କଣ ଏଭଳି ସମ୍ଭବ? ଫୋର୍ଥ ଷ୍ଟେଜରେ କ୍ୟାନସରକୁ କଣ ଏତେ ସହଜରେ ମାତ୍ ଦେଇହେବ? ତାହା ପୁଣି ଜୀବନଶୈଳୀ ଏବଂ ଖାଦ୍ୟକୁ ନିଯନ୍ତ୍ରଣ କରି । ପତ୍ନୀଙ୍କ କ୍ଷେତ୍ରରେ ଘଟିଥିବା ଚମତ୍କାରକୁ ଅଙ୍ଗେ ନିଭାଇଥିବା ପ୍ରେସମିଟରେ ସ୍ପଷ୍ଟ କରିସାରିଛନ୍ତି ପୂର୍ବତନ କ୍ରିକେଟର ନବଜୋତ୍ ସିଂ ସିଦ୍ଧୁ । ତାଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପାରେ । ହେଲେ କ୍ୟାନସର ଭଳି ରୋଗକୁ କେମିତି ଘରୋଇ ଏବଂ ଆୟୁର୍ବେଦ ଉପଚାରରେ ସମ୍ପୂର୍ଣ୍ଣ ନିରାକରଣ କରିହେବ ସେନେଇ ସିଦ୍ଧୁ ରଖିଥିବା ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
Also Read
ଅଧିକ ପଢନ୍ତୁ: ବିଲ-ବାଡିରେ ଏହି ଘାସ ଦେଖିଲେ ନେଇଆସନ୍ତୁ; ମଧୁମେହ-ଆଜ୍ମା ପାଇଁ ଭାରି ଉପକାରୀ
ଦୀର୍ଘଦିନ ଧରି ବ୍ରେଷ୍ଟ କ୍ୟାନସରରେ ପୀଡିତ ଥିଲେ ନବଜୋତ୍ କୌର । ଚତୁର୍ଥ ଷ୍ଟେଜରେ ଥିବା ବେଳେ ଡାକ୍ତର କହିଥିଲେ, ବଂଚିବାର ଆଶା ମାତ୍ର ୩ ପ୍ରତିଶତ । କେମୋ ଥେରାପି ସହ ଅପରେସନ୍ ବି ହେଲା । ତା ଭିତରେ ଚାଲିଥିଲା ସୁଷମ ତଥା ନିୟନ୍ତ୍ରିତ ଖାଦ୍ୟ ପ୍ରଣାଳୀ । ସକାଳୁ ଖାଲି ପେଟରେ ଉଷୁମ ଲେମ୍ଭୁ ପାଣିରେ କଞ୍ଚା ହଳଦୀ ଓ ଗୋଟିଏ ପାଖୁଡା ରସୁଣ । ଅଧଘଣ୍ଟା ପରେ ୧୦ରୁ ୧୨ଟି ନିମ୍ବ ପତ୍ର ଓ ତୁଳସୀ ପତ୍ର ସହ ଅଦା, ଡାଲଚିନି ଓ ଗୋଲମରିଚ ।
ଶ୍ୱେତସାର ଯୁକ୍ତ ଖାଦ୍ୟ, ଚିନି, କ୍ଷୀର, ରିଫାଇନ୍ ତେଲ ବନ୍ଦ କରିବା ସହ ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ଡିନର କରୁଥିଲେ । ଖାଇବାରେ ଲମ୍ବା ବ୍ୟବଧାନ କର୍କଟ କୋଷକୁ ମାରିବାର କ୍ଷମତା ରଖୁଥିବାରୁ ୧୪ ଘଣ୍ଟା ଖାଲି ପେଟରେ ରହୁଥିଲେ । ଆଜି ପୁଣି ପ୍ରେସମିଟ କରି କ୍ୟାନସରକୁ ହରାଇବାର ଡାଏଟ୍ ପ୍ଲାନ୍ କହିଛନ୍ତି ସିଦ୍ଧୁ ଏବଂ ତାଙ୍କ ପତ୍ନୀ । କ୍ୟାନସର ସହ ଲଢ଼ିବାରେ ସିଦ୍ଧୁ ପତି-ପତ୍ନୀଙ୍କ ଡାଏଟ୍ ପ୍ଲାନକୁ ନେଇ ଯେତିକି ବିତର୍କ ସେତିକି ବିବାଦ ବି ଆରମ୍ଭ ହୋଇଛି ।
ଆୟୁର୍ବେଦ ବିଶେଷଜ୍ଞ ସିଦ୍ଧୁଙ୍କ ବୟାନକୁ ସମର୍ଥନ କରି ଆୟୁର୍ବେଦିକ୍ ଶାସ୍ତ୍ରରେ ନିରୋଗ ଦିନଚର୍ଯ୍ୟା, ରାତି ଚର୍ଯ୍ୟା ଏବଂ ଋତୁଚର୍ଯ୍ୟାକୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି । ସେପଟେ ଏଲୋପାଥିକ ଡାକ୍ତର କହିଛନ୍ତି, କେବଳ ଖାଦ୍ୟ ନିୟନ୍ତ୍ରଣରେ କର୍କଟ ଭଳି ରୋଗକୁ ଭଲ କରିହେବନି, ଏଥିପାଇଁ ଜଟିଳ ଚିକିତ୍ସା ଜରୁରୀ ।