ପର୍ଯ୍ୟଟନସ୍ଥଳୀରେ ହିଂସାକୁ ବରଦାସ୍ତ କରାଯିବ ନାହିଁ। ସୁରକ୍ଷା ବଳୟରେ ରହିବ ଲଭର୍ସ ପଏଣ୍ଟ, ପ୍ରେମୀ ଯୁଗଳଙ୍କୁ ଦିଆଯିବ ସୁରକ୍ଷା। ଗୋପାଳପୁର ଲଜ୍ଜା ପରେ ରାଜ୍ୟ ସରକାର ଏଭଳି କିଛି ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ରାଜ୍ୟର ଯେତିକି ବି ପର୍ଯ୍ୟଟନସ୍ଥଳୀ ଏବଂ ଲଭର୍ସ ପଏଣ୍ଟ ଅଛି, ସବୁଠି ସୁରକ୍ଷା ଯୋଗାଇଦିଆଯିବ। ଏଥିପାଇଁ ଦୁଇ ଦୁଇ ଥର ବୈଠକ ବସିସାରିଛି। ତେବେ କେମିତି ଏବଂ କାହା ହାତରେ ରହିବ ସୁରକ୍ଷା ବ୍ୟବସ୍ଥା ? ପ୍ରେମୀ ଯୁଗଳଙ୍କୁ କେମିତି ଦିଆଯିବ ସୁରକ୍ଷା ? ସେନେଇ ନାନା ପ୍ରଶ୍ନ, ନାନା ଚର୍ଚ୍ଚା।
ପ୍ରେମୀ ଯୁଗଳଙ୍କୁ ବଳ ଦେଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଲଭର୍ସ ପଏଣ୍ଟ ଯାଉଥିବା ପ୍ରେମପକ୍ଷୀଙ୍କ ପାଇଁ ଶୁଣାଇଲେ ଅଭୟବର। ଅର୍ଥାତ ପ୍ରେମୀ ଯୁଗଳଙ୍କ ଆଉ ପାଖ ମାଡ଼ିବେନି ଦୁର୍ବୃତ୍ତ। ପ୍ରେମ ପାଇଁ ଆଉ ଅସାମାଜିକ ସାଜିବେନି ପ୍ରତିବନ୍ଧକ। କାରଣ ଲଭର୍ସ ପଏଣ୍ଟ ରହିବ ସୁରକ୍ଷା ବଳୟରେ। ପ୍ରଭାତୀ ଆଜି ସ୍ପଷ୍ଟ କରି କହିଛନ୍ତି, ରାଜ୍ୟର ପର୍ଯ୍ୟଟନସ୍ଥଳୀ ଏବଂ ଲଭର୍ସ ପଏଣ୍ଟଗୁଡ଼ିକରେ ଯେଭଳି ସୁରକ୍ଷା ବ୍ୟବସ୍ଥା କରାଯିବ, ତା’ ଉପରେ ଗୁରୁତ୍ବ ଦିଆଯିବା ସହ ଦୁଇ ଦୁଇ ଥର ବୈଠକ ବି ବସିଲାଣି। ଖୁବଶୀଘ୍ର ଏ ସଂପର୍କରେ ନିଷ୍ପତ୍ତି ନିଆଯିବ। ତା’ସହ ଗୋପାଳପୁର କାଣ୍ଡ ସଂପର୍କରେ ମନ୍ତବ୍ୟ ଦେଇ ଆଇନ ତା’ କାମ କରୁଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।
Also Read
ସେଦିନ ଥିଲା ଜୁନ୍ ୧୫ ତାରିଖ ସଂଧ୍ୟା। ପୁରୁଷ ବନ୍ଧୁଙ୍କ ସହ ଗଞ୍ଜାମ ଗୋପାଳପୁର ପର୍ଯ୍ୟଟନ ସ୍ଥଳୀ ବୁଲୁଥିବାବେଳେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ ଯୁବତୀ ଜଣକ। ପୁରୁଷ ବନ୍ଧୁଙ୍କୁ ମାଡ଼ ମାରିବା ସହ ଗଣଦୁଷ୍କର୍ମ କଲେ ୬ରୁ ଅଧିକ ଯୁବକ। ଏହାପୂର୍ବରୁ ଚଳିତ ମାସ ୮ ତାରିଖରେ ମଧ୍ୟ ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ କନ୍ଧମାଳ ପୁତୁଡ଼ି ଜଳପ୍ରପାତରେ ଘଟିଥିଲା ଅଘଟଣ। କେରଳ କୁନ୍ନୁରରୁ ଆସିଥିବା ପର୍ଯ୍ୟଟକଙ୍କୁ ମାଡ଼ ମାରି ଲୁଟ୍ପାଟ୍ କରିଥିଲେ ଦୁର୍ବୃତ୍ତ। ଅବଶ୍ୟ ଉଭୟ ଘଟଣାରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି। କିନ୍ତୁ ମୁଣ୍ଡେଇବାକୁ ପଡ଼ିଛି ଅପବାଦ। ଏସବୁ ନାନା ଅଘଟଣ ପରେ ପର୍ଯ୍ୟଟନ ସ୍ଥଳୀ ଏବଂ ଲଭର୍ସ ପଏଣ୍ଟରେ ରାଜ୍ୟ ସରକାର ସୁରକ୍ଷା କଥା ଚିନ୍ତା କରିଛନ୍ତି।
ତେବେ ପ୍ରାୟତଃ ଭାଲେଣ୍ଟାଇନବେଳେ କେଉଁଠି ପ୍ରେମୀ ଯୁଗଳଙ୍କୁ ଲାଠିମାଡ଼ ହୁଏ ତ ଆଉ କେଉଁଠୁ ତଡ଼ା ଖାଇବାକୁ ହୁଏ। କିଏ ପୁଣି ଛି ଛାକର କରନ୍ତି ତ ଆଉ କାହାକୁ ଜୋରଜବରଦସ୍ତି ବିବାହ କରାଇଦିଅନ୍ତି। ଏକଥା ବି ସତ ଯେ, ଲଭର୍ସ ପଏଣ୍ଟଗୁଡ଼ିକରେ ବେଳେବେଳେ ଅସଞ୍ଜତ ଅବସ୍ଥାରେ ଦେଖିବାକୁ ମିଳେ ତଥାକଥିତ ପ୍ରେମୀ ଯୁଗଳଙ୍କୁ। ଏଭଳି ନାନା ପରିସ୍ଥିତି ଭିତରେ ପର୍ଯ୍ୟଟନସ୍ଥଳୀ କିମ୍ବା ଲଭର୍ସ ପଏଣ୍ଟଗୁଡ଼ିକରେ କେମିତି ରହିବ ସୁରକ୍ଷା ବ୍ୟବସ୍ଥା ? କାହା ହାତରେ ରହିବ ସୁରକ୍ଷା ଦାୟିତ୍ବ ? ପୋଲିସ, ଘରୋଇ ସୁରକ୍ଷାକର୍ମୀ ନା ସିସିଟିଭି ? ସୁରକ୍ଷା ବଳୟ ଚିହ୍ନିତ ଲଭର୍ସ ପଏଣ୍ଟରେ ପ୍ରେମୀ ଯୁଗଳଙ୍କ ଆଚରଣ କେମିତି ରହିବ, ତା’ଉପରେ ବି କିଛି କଟକଣା ଜାରି କରିବେ କି ସରକାର ? ସେନେଇ ନାନା ପ୍ରଶ୍ନ ଉଠିଛି...
ରାଜ୍ୟରେ ଅଛି ପ୍ରାୟ ୩୦ଟି ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ। ତଥାକଥିତ ଲଭର୍ସ ପଏଣ୍ଟ ବି ଅସଂଖ୍ୟ। ତେଣୁ କେଉଁ ଲଭର୍ସ ପଏଣ୍ଟରେ ଓ କିଭଳି ସରକାର ସୁରକ୍ଷା ଦେବାକୁ ଚିନ୍ତା କରୁଛନ୍ତି, ଚୁଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା।