• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

HDFC, ICICI ଓ AXIS ବ୍ୟାଙ୍କ୍ ସହ ସରକାରୀ ଆର୍ଥିକ କାରବାର ବନ୍ଦ କଲେ ମୋହନ ସରକାର । ଏସବୁ ବ୍ୟାଙ୍କରେ ଥିବା ଆକାଉଣ୍ଟ ବନ୍ଦ ଲାଗି ସବୁ ବିଭାଗକୁ ନିର୍ଦ୍ଦେଶ । ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀରେ ବିଫଳ ହୋଇଥିବାରୁ ଅର୍ଥ ବିଭାଗ ଏଭଳି କଠୋର ନିଷ୍ପତ୍ତି ନେଇଛି । ରାଜ୍ୟ ସ୍ବାର୍ଥ ଦୃଷ୍ଟିରୁ ଏହା ସରକାରଙ୍କ ଉଚିତ୍ ପଦକ୍ଷେପ, ତେବେ ସାଧାରଣ ଲୋକଙ୍କ ଟଙ୍କା ଏସବୁ ବ୍ୟାଙ୍କରେ ସଂପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି ଅର୍ଥନୀତି ବିଶେଷଜ୍ଞ । ଅନ୍ୟପକ୍ଷରେ ଏହି ନିଷ୍ପତ୍ତି ରାଜ୍ୟରେ ଏସବୁ ବ୍ୟାଙ୍କର ବ୍ୟବସାୟକୁ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବ୍ୟାଙ୍କର । 
ବ୍ୟାଙ୍କଗୁଡ଼ିକୁ ମୋହନ ସରକାରଙ୍କ କଠୋର ସନ୍ଦେଶ । ରାଜ୍ୟ ସରକାରଙ୍କ ସହ ବ୍ୟବସାୟ କରିବାକୁ ହେଲେ, ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀକୁ ଗୁରୁତ୍ବ ଦିଅ । ସାଧାରଣ ବ୍ୟାଙ୍କିଙ୍ଗ୍ ମାନଦଣ୍ଡ ବଜାୟ ରଖ। ରାଜ୍ୟ ସରକାର ଓ ନିର୍ଦ୍ଦେଶାଳୟ, ନିଗମ, ସରକାରୀ ଉଦ୍ୟୋଗ, ବିଶ୍ବବିଦ୍ୟାଳୟ ଭଳି ବିଭିନ୍ନ ସରକାରୀ ସଂସ୍ଥା ସହ ବ୍ୟବସାୟ ପରିଚାଳନା ପାଇଁ ତାଲିକାଭୁକ୍ତ ବ୍ୟାଙ୍କ ତାଲିକାରୁ HDFC, ICICI ଓ AXIS ବ୍ୟାଙ୍କ ଭଳି ୩ ବଡ଼ ଘରୋଇ ବ୍ୟାଙ୍କକୁ ବାଦ୍ ଦେଇ ଏଭଳି କଠୋର ବାର୍ତ୍ତା ଦେଇଛି ଅର୍ଥ ବିଭାଗ । 

ଗତକାଲି ଅର୍ଥ ସଚିବ ସବୁ ବିଭାଗକୁ ଚିଠି ଲେଖି ଏହି ୩ ବ୍ୟାଙ୍କରେ ବିଭିନ୍ନ ବିଭାଗ, ନିର୍ଦ୍ଦେଶାଳୟ, ବିଭାଗୀୟ ମୁଖ୍ୟ ଦପ୍ତର, ପ୍ରତିଷ୍ଠାନ, ନିଗମ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଦିର ଥିବା ସମସ୍ତ ସଞ୍ଚୟ ଜମାଖାତା, ଚାଲୁ ଖାତା ଓ ଅନ୍ୟ ଆକାଉଣ୍ଟକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏସବୁ ବ୍ୟାଙ୍କରେ ଥିବା ଜମାରାଶିକୁ ଅନ୍ୟ ଏମପ୍ୟାନେଲଡ୍ ବ୍ୟାଙ୍କକୁ ସ୍ଥାନାନ୍ତର ପାଇଁ କୁହାଯାଇଛି । ତେବେ ଏହି ତିନି ବ୍ୟାଙ୍କରେ ସରକାରୀ ଅନୁଷ୍ଠାନର ଫିକ୍ସଡ୍ ଡିପୋଜିଟ୍ ଓ ଅନ୍ୟ ମିଆଦୀ ଜମା ରହିଥିଲେ, ଆଗୁଆ ଉଠାଣ ଦ୍ବାରା ସୁଧ ପ୍ରାପ୍ତିରେ କ୍ଷତି ହେବାକୁ ଥିବାରୁ ମାଚ୍ୟୁରିଟି ପରେ ଏହି ଅର୍ଥକୁ ଅନ୍ୟ ଏମପ୍ୟାନେଲଡ୍ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । 

ଅଧିକ ପଢନ୍ତୁ: କାହିଁକି ଭାରତର ୬ଟି ରାଜ୍ୟକୁ ନଯିବାକୁ ମହିଳା ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା

ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ରାଜ୍ୟ ସ୍ବାର୍ଥ ଦୃଷ୍ଟିରୁ ଏହା ଏକ ଉଚିତ୍ ପଦକ୍ଷେପ । ତେବେ ଏସବୁ ବ୍ୟାଙ୍କରେ ଥିବା ସାଧାରଣ ଲୋକଙ୍କ ଜମା ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ । ବ୍ୟାଙ୍କିଙ୍ଗ୍ ବିଶେଷଜ୍ଞଙ୍କ କହିବା କଥା ସରକାରଙ୍କ ବ୍ୟାଙ୍କିଙ୍ଗ୍ କାରବାରରେ ଏସବୁ ବଡ଼ ଘରୋଇ ବ୍ୟାଙ୍କ ପ୍ରାୟ ୩୦-୪୦ ପ୍ରତିଶତ ଅଂଶୀଦାର ଥିବାରୁ ରାଜ୍ୟରେ ସେମାନଙ୍କ ବ୍ୟବସାୟ ନିଶ୍ଚିତ ପ୍ରଭାବିତ ହେବ।

ଏବେ ପ୍ରଶ୍ନ ଉଠୁଛି, ସରକାର କେଉଁ ଆଧାରରେ ବ୍ୟାଙ୍କଗୁଡ଼ିକୁ ଏମପ୍ୟାନେଲ କରିଥାନ୍ତି ? କେଉଁ ସରକାରୀ ଅର୍ଥ ଏସବୁ ବ୍ୟାଙ୍କରେ ଜମା ହୁଏ ? ପୂର୍ବତନ ସ୍ବତନ୍ତ୍ର ଅର୍ଥ ସଚିବ କହିଛନ୍ତି, ସରକାରୀ ଯୋଜନା କାର୍ଯ୍ୟକାରୀ କରିବା ତଥା ଅନ୍ୟ କେତେକ ମାନଦଣ୍ଡ ଆଧାରରେ ବ୍ୟାଙ୍କଗୁଡ଼ିକର ଏମପ୍ୟାନେଲ୍ ହୋଇଥାଏ । ସେହିପରି ବିଭିନ୍ନ ବିଭାଗ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ନିଗମ ଓ ଅନ୍ୟ ସରକାରୀ ସଂସ୍ଥାର ଅର୍ଥ ରଖିବାକୁ ନିର୍ଦ୍ଦିଷ୍ଟ ମାନଦଣ୍ଡ ଆଧାରରେ ସେମାନଙ୍କ ଅର୍ଥକୁ ଟେଣ୍ଡର ଜରିଆରେ ଅଧିକ ସୁଧ ଦେଉଥିବା ଏମ୍ପ୍ୟାନେଲଡ୍ ବ୍ୟାଙ୍କରେ ରଖିଥାନ୍ତି । ରାଜ୍ୟର ବିଭିନ୍ନ ଯୋଜନା ଓ କେନ୍ଦ୍ରୀୟ ଯୋଜନା ଅର୍ଥକୁ ମଧ୍ୟ ଏସବୁ ବ୍ୟାଙ୍କରେ ରଖାଯାଇଥାଏ । 

୩ ବଡ଼ ଘରୋଇ ବ୍ୟାଙ୍କ ସହ ରାଜ୍ୟ ସରକାରଙ୍କ ବ୍ୟାବସାୟିକ ସମ୍ପର୍କ ବିଚ୍ଛିନ୍ନ ନିଷ୍ପତ୍ତିରୁ ଅନ୍ୟ ବ୍ୟାଙ୍କଗୁଡ଼ିକ କ’ଣ ଶିକ୍ଷାଲାଭ କରୁଛନ୍ତି ? ଆଗାମୀ ଦିନରେ ଲୋକାଭିମୁଖୀ ସରକାରୀ ଯୋଜନାକୁ ବ୍ୟାଙ୍କଗୁଡ଼ିକ କେତେ ତ୍ବରିତ କାର୍ଯ୍ୟକାରୀ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା