ପୁଣି ପଶ୍ଚିମବଙ୍ଗ ପ୍ରଶାସନର ଦାଦାଗିରି । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ ଅଧୀନ କସବା କମର୍ଦ୍ଦା ଗ୍ରାମ ପଞ୍ଚାୟତର ଶଗଡ଼ା ସାହିରେ ପଶି ଓଡ଼ିଶା ରାସ୍ତାକୁ ଭାଙ୍ଗି ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରୁଛି । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ , ଅତିରିକ୍ତ ତହସିଲଦାର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ଏଭଳି ପରିସ୍ଥିତିରେ ଓଡ଼ିଶା ସୀମା ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଓଡ଼ିଶାର ବାଡ଼ ଡେଉଁଛି ପଡ଼ୋଶୀ ପଶ୍ଚିମବଙ୍ଗ । ସୀମା ଲଙ୍ଘି ରାସ୍ତା ଭାଙ୍ଗୁଛି । ନିଜେ ନୂଆ ରାସ୍ତା ନିର୍ମାଣ କରୁଛି । ହରକତ ଦୋହରାଉଛି, ବିରୋଧ ବଢୁଛି । ଦିନକୁ ଦିନ ଉଦ୍ଧତ ହେଲାଣି ପଶ୍ଚିମବଙ୍ଗ ପ୍ରଶାସନ । ଦାଦାଗିରି ଦେଖାଇ ଓଡ଼ିଶାର ସୀମା ଡେଇଁ ଭିତରକୁ ପଶୁଛି । ଓଡ଼ିଶା ସରକାର ନିର୍ମାଣ କରିଥିବା ଢଳେଇ ରାସ୍ତାକୁ ଭାଙ୍ଗି ବଙ୍ଗ ସରକାର ନିର୍ମାଣ କରୁଛି ନୂଆ ରାସ୍ତା । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ କସବା କମର୍ଦ୍ଦା ପଞ୍ଚାୟତର ସୀମାନ୍ତ ଗାଁ ଶଗଡ଼ା ସାହିରେ ଏମିତି ହରକତ କରୁଛି ପଶ୍ଚିମବଙ୍ଗ ପ୍ରଶାସନ । ଜାତୀୟ ସଡ଼କ ପଥର ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ୫୦୦ ମିଟର ଯାଏଁ ଜବରଦସ୍ତ ଧସେଇ ପଶିଆସି ରାସ୍ତା କାମ କରୁଛି ପଶ୍ଚିମବଙ୍ଗ । ୮ ମାସ ପୂର୍ବେ ଓଡ଼ିଶା ସରକାରୀ ଅନୁଦାନରେ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଢଳେଇ ରାସ୍ତା ନିର୍ମାଣ ହୋଇଥିଲା । ଯାହାକୁ ଦିନ ଦ୍ୱିପ୍ରହରରେ ଜେସିବି ଲଗାଇ ଭାଙ୍ଗି ଜବରଦସ୍ତ ରାସ୍ତା ନିର୍ମାଣ କରୁଛି । ଏଭଳି ପରିସ୍ଥିତିରେ ଓଡ଼ିଶା ସୀମା ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
Also Read
ଅଧିକ ପଢ଼ନ୍ତୁ: କଡ଼ ଲେଉଟାଉଛି ରାଜନୀତି, ଭକ୍ତଙ୍କ ଚକାଭଉଁରୀରେ ଘୂରୁଛି ବିଜେଡି !
ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକଙ୍କ ଜୋରଦାର ବିରୋଧ ପରେ ଘଟଣା ସ୍ଥଳରେ ଅତିରିକ୍ତ ତହସିଲଦାର ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛନ୍ତି । ସୀମାରେ ମାପ ଏବଂ ସ୍ଥାୟୀ ସମାଧାନ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ରାଜସ୍ୱ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ପଶ୍ଚିମବଙ୍ଗ ପ୍ରଶାସନ ସହିତ ଏକ ଆଲୋଚନା କରାଯାଇ ଡିମାରକେସନ କରାଯାଇ ସ୍ଥାୟୀ ସମାଧାନ କରାଯିବ ବୋଲି ପ୍ରଶାସନ ଆଶ୍ବାସନା ଦେଇଛି ।
ସେପଟେ ବିବାଦର ସ୍ଥାୟୀ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।