• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆସିଲା ଆୟୁଷ୍ମାନ ଭାରତ । ରାଜ୍ୟରେ ଆୟୁଷ୍ମାନ ଭାରତକୁ ମିଳିଲା କ୍ୟାବିନେଟ ମଞ୍ଜୁରି । ଆଜି ଗୃହରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ୭ ବିଭାଗର ୧୦ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା । ତା’ସହ ‘ଆୟୁଷ୍ମାନ ଭାରତ’ ଉପରେ ବି ମୋହର ବାଜିଛି । ଫଳରେ ରାଜ୍ୟରେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ଲାଗୁ ହେବ ।

ଅଧିକ ପଢ଼ନ୍ତୁ: ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ

ଉଭୟ ସ୍ବାସ୍ଥ୍ୟ କଲ୍ୟାଣକାରୀ ଯୋଜନା ଦ୍ବାରା ରାଜ୍ୟରେ ୩ କୋଟି ୪୬ ଲକ୍ଷ ଲୋକ ଉପକୃତ ହେବେ ବୋଲି ଆଜି ଗୃହରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି, ଏହି ଯୋଜନା ଦ୍ବାରା ପରିବାର ପିଛା ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କୁ ଅତିରିକ୍ତ ୫ ଲକ୍ଷର କ୍ୟାସଲେସ୍ ଚିକିତ୍ସା ସୁବିଧା ମିଳିବ । ଦେଶର ୨୯ ହଜାର ଘରୋଇ ଓ ସରକାରୀ ହସ୍ପିଟାଲରେ ଏହି ଯୋଜନାରେ ଚିକିତ୍ସା ସୁବିଧା ମିଳିପାରିବ । ଓଡ଼ିଶାର ଅଧିକ ୬ ଲକ୍ଷ ନୂଆ ହିତାଧିକାରୀ ଏଥିରେ ସାମିଲ ହେବାର ଆଶା କରାଯାଉଛି ।

ସେହିପରି ୭୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଲାଗୁ କରାଯିବ । ତେବେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତ୍ତମାନ ଭଳି ଜାରି ରହିବ । ଆସନ୍ତା ଏପ୍ରିଲ ପହିଲାରୁ ଏହି ଯୋଜନା ଲାଗୁ ହେବା ପାଇଁ ପୂର୍ବରୁ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର ।

ସେହିପରି ରାଜ୍ୟ କ୍ୟାବିନେଟ୍‌ରେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ- ‘ଓଡ଼ିଶା ରାଜ୍ୟ ସଡ଼କ ନୀତି ୨୦୨୫’ର ପ୍ରସ୍ତାବକୁ ମିଳିଛି ଅନୁମୋଦନ । ଯାହାକି ଜନସାଧାରଣ ଓ ବିଭିନ୍ନ ଦ୍ରବ୍ୟର ସୁରକ୍ଷିତ, ସ୍ଥାୟୀ ଓ ଦକ୍ଷ ପରିବହନ ପାଇଁ ବ୍ୟବସ୍ଥାକୁ ସୁନିଶ୍ଚିତ କରିବ । ଏଥିସହ ମୃତ ସରକାରୀ କର୍ମଚାରୀଙ୍କ ପରିବାରକୁ ଚାକିରି ନେଇ ନିୟମରେ ବି ଆସିଛି ସଂଶୋଧନ । ୨୦୨୦ ମସିହାରେ ଏ ସମ୍ପର୍କିତ ନିୟମ ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଲାଗୁହେବ ଏବଂ ଥଇଥାନ ସହାୟତା ଯୋଜନାରେ ୧୯୯୦ ନିୟମ ଅନୁଯାୟୀ ନିଯୁକ୍ତି ପ୍ରଦାନ କରାଯିବ।

ଏଥିସହ “ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ ବିଲ୍-2025” କୁ ବି କ୍ୟାବିନେଟରେ ମିଳିଛି ଅନୁମୋଦନ । ରାଜ୍ୟରେ ୭୫ ହଜାର କିଲୋମିଟର ରାସ୍ତାକୁ ବିଶ୍ୱ ସ୍ତରୀୟ ରାସ୍ତା ନେଟୱାର୍କ ଭାବେ ବିକଶିତ କରିବାର ଲକ୍ଷ୍ୟ ରଖି ଏଥିପାଇଁ "ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ" ନାମରେ ଏକ ସ୍ୱୟଂଶାସିତ ସଂସ୍ଥା ଗଠନ କରିବାକୁ ବ୍ୟବସ୍ଥା ହୋଇଛି ।

ଏହାଛଡ଼ା ଗ୍ରାମୀଣ ଓଡ଼ିଶାର ତ୍ୱରିତ ଅଭିବୃଦ୍ଧି ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମିର ବିକାଶ କରିବାକୁ "ବିକଶିତ ଗାଁ ବିକଶିତ ଓଡିଶା" ଯୋଜନା ଆରମ୍ଭ ହେବ । ତାଛଡ଼ା ଯଦି କୌଣସି ବ୍ୟକ୍ତିଙ୍କର ବା ତାଙ୍କ ପରିବାର ସଦସ୍ୟଙ୍କର ରାଜ୍ୟର କୌଣସି ସ୍ଥାନରେ ଘରବାରି ଜମି ନଥିବ, ସେ ବ୍ୟକ୍ତିଙ୍କୁ “ଘରବାରିହୀନ ବ୍ୟକ୍ତି” ଭାବରେ ପରିଗଣିତ କରାଯିବାକୁ ସ୍ଥିର ହୋଇଛି ।

ଅଧିକ ପଢ଼ନ୍ତୁ: କଡ଼ ଲେଉଟାଉଛି ରାଜନୀତି, ଭକ୍ତଙ୍କ ଚକାଭଉଁରୀରେ ଘୂରୁଛି ବିଜେଡି !