/odishatv-khabar/media/post_attachments/uploadimage/library/16_9/16_9_0/IMAGE_1740883685.jpg)
egg rate hike
ବଢିଲା ଅଙ୍ଗନବାଡ଼ି ଅଣ୍ଡା ଦାମ୍ । ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ୍ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି । ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ ୨ ଟଙ୍କା ବଢାଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ସରକାର ବର୍ଷକୁ ଅତିରିକ୍ତ ୧୭୫ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଅଧିକ ପଢ଼ନ୍ତୁ: ମୟୁରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ; ପ୍ରଥମ ଦିନରେ ଘୋଷଣା ହେଲା ଏହି ସବୁ ପ୍ରକଳ୍ପ
ବଜାରରେ ଅଣ୍ଡା ଦର ବୃଦ୍ଧି ପାଇଁ ଅଙ୍ଗନବାଡ଼ି କର୍ମୀ ପିଲାଙ୍କୁ ପୁଷ୍ଟିସାର ଖାଦ୍ୟ ଅଣ୍ଡା ଦେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ।ବଜାରରେ ଅଣ୍ଡା ଗୋଟାକୁ ୮ ଟଙ୍କା ଥିବାବେଳେ ସରକାର ଦେଉଥିଲେ ୫ଟଙ୍କା । ଏହି କାରଣରୁ ଅଙ୍ଗନବାଡ଼ି ପିଲାଙ୍କୁ ମାସକୁ ୨୦ଟି ବଦଳରେ ମାତ୍ର ୧୫ଟି ଅଣ୍ଡା ମିଳୁଥିଲା । ଗର୍ଭବତୀ ଓ ପ୍ରସୂତୀଙ୍କୁ ମାସିକ ୧୨ଟି ଅଣ୍ଡା ଦେବା କଥା । କିନ୍ତୁ ଅଙ୍ଗନବାଡ଼ି ଦିଦି କେଉଁଠି ୮ଟି ତ’ ଆଉ କେଉଁଠି ୯ଟି ଦେଉଥିବା ଅଭିଯୋଗ ହୋଇଥିଲା ।
ଏନେଇ ଅଙ୍ଗନବାଡି କର୍ମୀଙ୍କ କହିବା କଥା ଥିଲା, ଅଣ୍ଡା ଦାମ୍ ୫ରୁ ୮ ଟଙ୍କା ଛୁଇଁଥିଲେ ବି ୨୦୧୮ ପରଠୁ ଆଉ ପିଲାଙ୍କ ପାଇଁ ଡାଏଟ୍ ଚାର୍ଟରେ ସରକାର ସଂଶୋଧନ କରିନାହାନ୍ତି । ସରକାର ଦେଉଥିବା ଅର୍ଥରେ ଆବଶ୍ୟକ ଅଣ୍ଡା ଦେବା ଆଉ ସମ୍ଭବ ହେଉନି । କେବେକେବେ ନିଜ ହାତରୁ ବି ଟଙ୍କା ଦେବାକୁ ପଡୁଛି । ତେଣୁ ଅଣ୍ଡାର ମୂଲ୍ୟ ବୃଦ୍ଧି ଲାଗି ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏହି ସମସ୍ୟାକୁ ସ୍ବୀକାର କରିଥିଲେ । ଶେଷରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ମୂଲ୍ୟ ବୃଦ୍ଧି ହୋଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ସପ୍ଲିମେଣ୍ଟାରୀ ନ୍ୟୁଟ୍ରିସନ୍ ପ୍ରୋଗ୍ରାମ୍-SNPରେ ଅଙ୍ଗନବାଡ଼ି ପିଲା, ଗର୍ଭବତୀ ଓ ପ୍ରସୂତୀ ଏବଂ କିଶୋରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଉଛନ୍ତି ସରକାର । କିନ୍ତୁ ବଜାରରେ ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ଭିତରେ କେମିତି ପୁଷ୍ଟିକର ଖାଦ୍ୟ ଯୋଗାଇବେ, ଅଙ୍ଗନବାଡି କର୍ମୀଙ୍କୁ ଚିନ୍ତା ଘାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)