/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733843144.jpg)
Mission Shakti
ମିଶନ ଶକ୍ତି ମହିଳାଙ୍କ ବକେୟା ଦରମା ପ୍ରସଙ୍ଗରେ ଲଗାତାର ଦ୍ୱିତୀୟ ଦିନ ପାଇଁ ବିଧାନସଭାରେ ହଙ୍ଗାମା । ଗୋଟିଏ ପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାର ମିଶନ ଶକ୍ତି ମହିଳାଙ୍କ ଦରମା ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଥିବା ବେଳେ ଅନ୍ୟପଟେ ଧାରଣା ସ୍ଥଳକୁ ଆସି ବିଜେଡି ନେତା ନିଆଁରେ ଘିଅ ପକାଇବା ପରେ ସରଗରମ ହୋଇଛି ରାଜନୀତି । ଜବାବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ମହିଳାମାନେ କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ । ଏସବୁ ଭିତରେ ଗତ ମାର୍ଚ୍ଚରେ ତତ୍କାଳୀନ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଲେଖିଥିବା ଚିଠିକୁ ନେଇ ଉଠିଛି ନାନା ପ୍ରଶ୍ନ ।
୯ ମାସର ବକେୟା ଦରମାକୁ ନେଇ ଗାନ୍ଧି ମାର୍ଗରେ ଗର୍ଜୁଛନ୍ତି ମିଶନ ଶକ୍ତି ମହିଳା । ରାଜ୍ୟ ସରକାରଙ୍କୁ ଘେରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ୬ଟି ସଙ୍ଘକୁ ନେଇ ଗଠନ ହୋଇଥିବା ଅଲ୍ ଓଡ଼ିଶା GPLF ବା ଗ୍ରାମ ପଂଚାୟତ ଲେଭେଲ୍ ଫେଡେରସନ୍ । ପ୍ରଶ୍ନ ଉଠୁଛି, ସୁଭଦ୍ରା ଯୋଜନାର ବିଜେପି ସରକାରକୁ ମିଳିଥିବା ବଡ଼ ସଫଳତାକୁ ଫସର ଫଟାଇବାକୁ ଷଡ଼ଯନ୍ତ୍ର କରୁଛି କି ବିଜେଡି?
ନିଜ ଦୋଷକୁ ଲୁଚାଇବାକୁ ଯାଇ ମା ମାନଙ୍କୁ ନେଇ ରାଜନୀତି କରୁଛି କି ଦଳ? ଏସବୁ ପ୍ରଶ୍ନ, ଏକ ଚିଠି ସାମନାକୁ ଆସିବା ପରେ ଉଠୁଛି । ସେତେବେଳର ମିଶନ ଶକ୍ତି ସଚିବ ସୁଜାତା କର୍ତ୍ତିକେୟନ ସବୁ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ପରିଷଦଙ୍କୁ ଲେଖିଥିଲେ ଏହି ଚିଠି । ଯେଉଁଥିରେ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ବର୍ଦ୍ଧିତ ଇନସେଣ୍ଟିଭ୍ ଦେବାକୁ କୁହାଯାଇଛି ।
ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ଧନୀ ଭିକାରୀ, ସମ୍ପତ୍ତି ଜାଣିଲେ ହୋଇଯିବେ ତାଜୁବ୍ !
୨୦୨୩ ଅକ୍ଟୋବରରୁ ୨୦୨୪ ଫେବ୍ରୁଆରୀ ପର୍ଯ୍ୟନ୍ତ ୫ ମାସର ବର୍ଦ୍ଧିତ ଇନସେଣ୍ଟିଭକୁ ଏରିଅର ହିସାବରେ ୫୯ ହଜାର ୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ଦେବାକୁ ସବୁ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ କୁହାଯାଇଥିଲା । ପ୍ରଶ୍ନ, ସୁଜାତା କାହିଁକି ଠିକ୍ ନିର୍ବାଚନ ପୂର୍ବରୁ ମାର୍ଚ୍ଚ ୧୧ ତାରିଖରେ ଏହି ଚିଠି ଲେଖିଲେ? ଏକା ସାଙ୍ଗରେ ବର୍ଦ୍ଧିତ ଇନସେଣ୍ଟିଭ ଦେଇ ସେମାନଙ୍କୁ କି କାମରେ ଲଗାଇବାକୁ ଚାହିଁଥିଲେ ବିଜେଡି ସରକାର?
ଭୋଟ୍ ସମୟରେ ଏହି ମହିଳାମାନଙ୍କୁ ବ୍ୟବହାର ଉଦ୍ଦେଶ୍ୟରେ ଏଭଳି ଚିନ୍ତା କରିଥିଲେ କି? ତେଣେ ଏଭଳି ଚିଠି ନେଇ କିଛି ଜାଣିନଥିବା କହିଛନ୍ତି GPLF ସଭାନେତ୍ରୀ । କେବଳ ବକେୟା ଦରମା ସେମାନଙ୍କର ମୂଳ ଦାବି ବୋଲି କହିଛନ୍ତି । ଏଣେ ଲୋୟର ପିଏମଜିରେ ତାତି ଯେତିକି, ବିଧାନସଭାରେ ଗରମ ସେତିକି । ଆଜି ପ୍ରଶ୍ନକାଳ ଆରମ୍ଭରୁ ଉଭୟ ବିଜେଡି ଓ କଂଗ୍ରେସ ବକେୟା ଦରମା ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ ।
ମୋସନ ଜରିଆରେ ଆଲୋଚନା କରିବାକୁ ଦାବି କରିଥିଲେ । ଫଳରେ ଧୋଇ ଯାଇଥିଲା ପ୍ରଶ୍ନ କାଳ । ଶୂନ୍ୟକାଳରେ ବି ସମାନ ପ୍ରସଙ୍ଗ ଉଠାଇ ଥିଲେ ବିଜେଡ଼ି ଓ କଂଗ୍ରେସ । ମୁହାଁମୁହିଁ ହୋଇଥିଲେ ଶାସକ ଓ ବିରୋଧୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ବିଜେପି ସରକାର ମିଶନ ଶକ୍ତି ମହିଳାଙ୍କ ଦରମା ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛି । ଏହା ନିନ୍ଦନୀୟ ।
କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ ଦାୟୀ କରିଥିବା ବେଳେ ବିଜେପି କହିଛି ବିଜେଡି ଅଯଥା ରାଜନୀତି କରୁଛି । ତାଙ୍କ ସମୟର ତ୍ରୁଟି ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସେପଟେ ମହିଳାମାନେ କାହା କଥାରେ ପଡି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏନେଇ ବିଧାନ ସଭାରେ ଚର୍ଚ୍ଚା ହୋଇଥିବା ବେଳେ ଆଜି ସଭା ସ୍ଥଳକୁ ଯାଇ ମିଶନ ଶକ୍ତି ମହିଳାଙ୍କୁ ବଳ ଦେଇଥିଲା ବିଜେଡି । ଆରୋପ ପ୍ରତ୍ୟାରୋପ ରାଜିନୀତି ଭିତରେ ଏହି ୬୦ ହଜାର ମହିଳାଙ୍କ ଭାଗ୍ୟକୁ ନେଇ ସରକାର କି ନିଷ୍ପତି ନେଉଛନ୍ତି ତା ଉପରେ ନଜର ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)