/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738667375.jpg)
Minister In Angry Mood
ଲୋକଙ୍କ କଥା ଶୁଣୁଥିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଅଭିଯୋଗ ପ୍ରକୋଷ୍ଠରେ ଲୋକମାନେ ଜଣକ ପରେ ଜଣେ ଆସୁଥିଲେ ଓ ସେମାନଙ୍କ ଦୁଃଖ କହୁଥିଲେ । ମନ୍ତ୍ରୀ ଶୁଣୁଥିଲେ ଓ ପୁଣି ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଥିଲେ । କିନ୍ତୁ ହଠାତ୍ ରାଗିଗଲେ ମନ୍ତ୍ରୀ । ଚଢା ଗଳାରେ କହିଲେ, ଡାକ ତାଙ୍କୁ ଆଜି ସସପେଣ୍ଡ କରିବି । ସବୁବେଳେ ଧୀରସ୍ଥିର ଭାବେ କଥାବାର୍ତ୍ତା କରୁଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଆଦି ଗରମ୍ ମିଜାଜରେ ଦେଖିବାକୁ ମିଳିଛି । ଘଟଣାର ପୃଷ୍ଠଭୂମି ଥିଲା ଏହିପରି ।
ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ପରିସରରେ ଜନ ଅଭିଯୋଗ ଶୁଣାଣୀ ଚାଲିଥିଲା । ଜଣେ ମହିଳା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଘର ଅସମ୍ପୂର୍ଣ୍ଣ ଥିବା ମନ୍ତ୍ରୀଙ୍କୁ କହିଥିଲେ । କେବଳ ସେତିକି ନୁହେଁ, ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯନ୍ତ୍ରୀ ଏବଂ ସରପଞ୍ଚ ଜାଣିଶୁଣି ତାଙ୍କୁ ହଇରାଣ ହରକତ କରୁଥିବା ସେ କହିଥିଲେ । ଏପରିକି ସେ ପୂର୍ବରୁ ଥରେ ମନ୍ତ୍ରୀଙ୍କୁ ଭେଟି ଅଭିଯୋଗ କରିଥିବାର କହିଥିଲେ । ଏ ଭଳି ଅଭିଯୋଗ ଶୁଣିବା ମାତ୍ରେ ରାଗି ଯାଇଥିଲେ ମନ୍ତ୍ରୀ । ଜଣେ ଗରିବ ଲୋକ ସମସ୍ୟାର ସମାଧାନ ପାଇଁ ଅଭିଯୋଗ ପ୍ରକୋଷ୍ଠକୁ କାହିଁକି ବାରମ୍ୱାର ଆସୁଛନ୍ତି ବୋଲି ପ୍ରଶ୍ନ କରିଥିଲେ । କାହିଁକି ତାଙ୍କ କାମ ଠିକରେ ହେଉନାହିଁ । ୭ ଦିନ ମଧ୍ୟରେ କାହିଁକି ଆକ୍ସନ ଟେକେନ୍ ରିପୋର୍ଟ ଦିଆଯାଉନି ବୋଲି ରାଗିଯାଇ କହିଥିଲେ । ଦ୍ବିତୀୟ ଥର ଜଣେ କାହିଁକି ଆସିବେ ? ଥରକରେ କାହିଁକି ତାଙ୍କ କାମ ହେଉନାହିଁ ? ତୁରନ୍ତ ସେ ଯନ୍ତ୍ରୀଙ୍କୁ ଡାକ । ଆଜି ସସପେଣ୍ଡ କରିବି ? ଲୋକଙ୍କ ଅଭାବ ଅସୁବିଧା ଦୂର କରିବା ପାଇଁ ସମସ୍ତେ ଠିକରେ କାମ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି ଅଭିଯୋଗ ଶୁଣାଣୀ ବେଳେ ମୟୂରଭଞ୍ଜ ଏଡିଏମ୍, ବ୍ଲକ୍ ବିଡ଼ିଓ, ଅନେକ ସରକାରୀ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଅଧିକ ପଢ଼ନ୍ତୁ: ମୋହନ ସରକାରର ଲୋକପ୍ରିୟତା ଭିତରେ ଅଗ୍ନିପରୀକ୍ଷା ଦେଉଛି ନବୀନ ଲିଗାସୀ
ପୂର୍ବରୁ ମଧ୍ୟ ମହିଳା ଜଣକ ମନ୍ତ୍ରୀଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ତାଙ୍କ ସମସ୍ୟା ଜଣାଇଥିଲେ । କେହି ବି ଦ୍ୱିତୀୟ ଥର ମୋ ପାଖକୁ ଅଭିଯୋଗ କରିବାକୁ ଆସିବେ ନାହିଁ । ଥରକରେ ହିଁ ଲୋକଙ୍କ କାମ କର ବୋଲି କହିଥିଲେ ମନ୍ତ୍ରୀ । କାହିଁକି ଆଜି ଯାଏଁ ଏ ମହିଳାଙ୍କର ସମସ୍ୟାର ସମାଧାନ ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ । ମନ୍ତ୍ରୀଙ୍କ ରାଗିବା ଦେଖି କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥିଲା ଅଭିଯୋଗ ପ୍ରକୋଷ୍ଠ । ସରକାରୀ ଅଧିକାରୀମାନେ କହିଥିଲେ ଯେ, ଆଗକୁ ଆଉ ଏମିତି ହେବନି ।
ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ମନ୍ତ୍ରୀମାନେ ଜିଲ୍ଲା ଗସ୍ତ କରି ଲୋକଙ୍କ ଅଭିଯୋଗ ସିଧାସଳଖ ଶୁଣୁଛନ୍ତି । ପଦକ୍ଷେପ ନେବାକୁ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)