• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜେଲରୁ MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା । ଡିଗ୍ରୀ କରିବା ପରେ ମାଷ୍ଟର ଡିଗ୍ରୀ ହାସଲ ପାଇଁ ଚାଲିଛି ଉଦ୍ୟମ । ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭରସିଟିରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ MA କରିବାକୁ ପାଠ ପଢୁଛନ୍ତି ବ୍ରହ୍ମପୁର ଜେଲରେ ଆଜୀବନ ସଜା କାଟୁଥିବା ସବ୍ୟସାଚୀ । ଏଥିପାଇଁ ତାଙ୍କୁ ଜେଲ୍ ପକ୍ଷରୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି । ଦୁଇ ଦଶନ୍ଧି ଧରି ପୋଲିସ ଓ ପ୍ରଶାସନର ନିଦ ହଜାଇ ଦେଇଥିବା ଏହି ଟପ୍ ମାଓନେତାଙ୍କ ଏବେ ପାଠରେ ବେଶ୍ ଆଗ୍ରହ ।

ଜେଲ୍ ଭିତରେ ଅଧିକ ସମୟ କାଟୁଛନ୍ତି ପାଠପଢାରେ । ୨୦୨୨ରେ ହ୍ୟୁମାନିଟିରେ ଇଗନୋରୁ ଡିଗ୍ରୀ ହାସଲ କରିଥିବା ସବ୍ୟସାଚୀ ପଣ୍ଡା ଏବେ MA କରିବେ । ଓଡ଼ିଶା ଷ୍ଟେଟ୍ ଓପନ ୟୁନିଭରସିଟିରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ କରିବେ ମାଷ୍ଟର ଡିଗ୍ରୀ । ସବ୍ୟସାଚୀଙ୍କ ସହ ମୋଟ ୪ ଜଣ କଏଦୀ ଏବଂ ଦୁଇ ଜଣ ବିଚାରାଧୀନ ବନ୍ଦୀ ପରୀକ୍ଷା ଦେବେ ।

ଏଥିପାଇଁ ସମସ୍ତଙ୍କୁ ଜେଲ୍ ପକ୍ଷରୁ ଷ୍ଟଡି ମାଟେରିଆଲ ଯୋଗାଇ ଦିଆଯାଉଛି । ଜେଲ୍ ଶିକ୍ଷକ ବି ପଢିବାରେ ସହଯୋଗ କରୁଛନ୍ତି । ନୟାଗଡ଼ ରଣପୁରର ତିନି ତିନିଥରର ସିପିଏମ୍ ବିଧାୟକ ରମେଶ ପଣ୍ଡାଙ୍କ ପୁଅ ତଥା କୁଖ୍ୟାତ ମାଓବାଦୀ ହେଉଛନ୍ତି ସବ୍ୟସାଚୀ ପଣ୍ଡା । ସେ ପୁରୀ ସାମନ୍ତ ଚନ୍ଦ୍ରଶେଖର ସରକାରୀ କଲେଜରୁ ପୂର୍ବରୁ ଗଣିତରେ ଡିଗ୍ରୀ ହାସଲ କରିଛନ୍ତି । ଏବେ ଜେଲରେ ଥାଇ ମନ ବଳାଇଛନ୍ତି ଉଚ୍ଚଶିକ୍ଷା କରିବାକୁ ।

ଅଧିକ ପଢନ୍ତୁ: ଭକ୍ତି ନାମରେ ଭାଣ୍ତାମୀ, ବାବାଙ୍କ ଗୁଣଗାନ ପାଇଁ ଲେଖାଯାଉଥିଲା ବହି

ସବ୍ୟସାଚୀ ପଣ୍ଡା ଓରଫ ଶରତ ଓରଫ ସୁନୀଲ । ଓଡ଼ିଶା ମାଓବାଦୀ ପାର୍ଟିର ମୁଖ୍ୟ, କୁଖ୍ୟାତ ମାଓବାଦୀ । ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିବା ସବ୍ୟସାଚୀଙ୍କ ମୁଣ୍ଡରେ ଥିଲା ୫ ଲକ୍ଷ ଟଙ୍କାର ପୁରସ୍କାର । ୧୮ ଜୁଲାଇ ୨୦୧୪ । ବ୍ରହ୍ମପୁର ବଡ଼ବଜାର ଅଂଚଳରୁ ଗିରଫ ହୋଇଥିଲେ ସବ୍ୟସାଚୀ । ସେବେଠାରୁ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ସଜା କାଟୁଛନ୍ତି ।

ସବ୍ୟସାଚୀଙ୍କ ନାଁରେ ୧୩୦ରୁ ଅଧିକ ମାଓ ହିଂସା ସହ ଜଡିତ ମାମଲା ରହିଛି । ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା ଏବଂ ନୟାଗଡ଼ ଜିଲ୍ଲାରେ ରହିଛି ଏକାଧିକ ଜଘନ୍ୟ ମାମଲା । ତେବେ ସବୁଠାରୁ ଅଧିକ ଚର୍ଚ୍ଚିତ ରହିଛି ନୟାଗଡ଼ରେ ନକ୍ସଲ ଆକ୍ରମଣ ଏବଂ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ । ୨୦୦୮ରେ ନୟାଗଡ଼ ସହରରେ ଥିବା ଜିଲ୍ଲା ଅସ୍ତ୍ରାଗାର ଏବଂ ପୋଲିସ୍ ଟ୍ରେନିଂ ସ୍କୁଲ୍ ଉପରେ ଆକ୍ରମଣ କରି ସାରା ରାଜ୍ୟକୁ ଦୋହଲାଇ ଦେଇଥିଲେ ସବ୍ୟସାଚୀ ।

ପରେ କନ୍ଧମାଳରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଓ ପରବର୍ତ୍ତୀ ହିଂସାରେ ମଧ୍ୟ ରହିଥିଲା ସଂପୃକ୍ତି । ଏପରିକି ୨୦୧୨ରେ ଇଟାଲୀ ପର୍ଯ୍ୟଟକ ଅପହରଣ ମାମଲାରେ ସାମ୍ନାକୁ ଆସିଥିଲା ସବ୍ୟସାଚୀଙ୍କ ବଡ଼ ଭୂମିକା । ଏବେ ପ୍ରାୟ ୧୦ ବର୍ଷ ହେଲା ସେ ଜେଲରେ ସଜା କାଟୁଛନ୍ତି । ଏଭଳି ସ୍ଥିତିରେ ସବ୍ୟସାଚୀଙ୍କ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନ ଅନ୍ୟ କଏଦୀଙ୍କ ପାଇଁ ପ୍ରେରଣା ହେବ ବୋଲି ଆଶା କରାଯାଉଛି ।

ଅଧିକ ପଢନ୍ତୁ: କାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା, ପ୍ରଶାସନ ପ୍ରସ୍ତୁତ

OTV is now on Whatsapp

Join and get latest news update delivered to you via whatsapp

Join Now