ଜାହାଜରେ ବସି ମଜା କରିବେ ପର୍ଯ୍ୟଟକ । ଆସିବେ ପର୍ଯ୍ୟଟକ, ଲାଭାନ୍ୱିତ ହେବ ଓଡ଼ିଶା । କୋରାପୁଟରେ ମିଳିବ ଗୋଆର ଅନୁଭବ । ଉପାନ୍ତ ଅଞ୍ଚଳର ହେବ ବ୍ୟାପକ ପରିବର୍ତ୍ତନ । ଏଥିପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ନେଇଛି ବଡ ନିଷ୍ପତ୍ତି ।
କୋରାପୁଟ କୋଲାବ ଡ୍ୟାମରେ ଚାଲିବ କ୍ରୁଜ । ଏଥି ପାଇଁ ପ୍ରାରମ୍ଭିକ ସର୍ଭେ ସରିବା ସହ ଆରମ୍ଭ ହୋଇଛି ପ୍ରସ୍ତୁତି । ଏହା ସହ ଆଖପାଖ ଅଞ୍ଚଳରେ ମଧ୍ୟ ଯାତ୍ରୀଙ୍କ ସୁବିଧା ପାଇଁ ଭିତ୍ତିଭୂମି ବିକାଶ ଲାଗି ୧୦ କୋଟି ପଠାଇଛି ବିଭାଗ । ଜେଟି ନିର୍ମାଣ ସରିବା ପରେ ଆରମ୍ଭ ହେବ କ୍ରୁଜ ସେବା ।
କାରାଭାନ ଟୁରିଜିମ ବିକାଶକୁ ଗୁରୁତ୍ୱ ଦେଇ ପର୍ଯ୍ୟଟନ ବିଭାଗ ଏହି ପଦକ୍ଷେପ ନେଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯାହାକୁ ନେଇ ବେଶ୍ ଖୁସି ଦକ୍ଷିଣ ଓଡିଶା ଲୋକେ । ତେବେ ଜେଟି ନିର୍ମାଣ ପରେ କେତେ କ୍ଷମତା ବିଶିଷ୍ଟ କ୍ରୁଜ ଅଣାଯିବ ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଏହା ସହ ମାଲକାନଗିରି ସତିଗୁଡା ଏବଂ ପଣ୍ଡିଗ୍ରାମ କୋଲାବ ଅଞ୍ଚଳରେ କଫି ବେସ୍ଡ଼ ଟୁରିଜିମ ବିକାଶ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ପ୍ରାକୃତିକ ଉତ୍ସ ଝରଣା ଗୁଡିକର ବିକାଶ ପାଇଁ ୩୫ କୋଟି ବ୍ୟୟବରାଦ କରିଛନ୍ତି ସରକାର । ଏହି ଟଙ୍କା ଖର୍ଚ୍ଚ , ଟେଣ୍ଡର ଠାରୁ ଆରମ୍ଭ କରି କାମ ଶେଷ ଯାଏଁ ତଦାରଖ ପାଇଁ ଏକ ସ୍ବତନ୍ତ୍ର ମନିଟରିଂ ସେଲ୍ ମଧ୍ୟ ଖୋଲିଛି ପର୍ଯ୍ୟଟନ ବିଭାଗ । ବିଶେଷ କରି ଏହି ସବୁ ପାହାଡିଆ ଅଞ୍ଚଳରେ ନୂଆ ନୂଆ ପର୍ଯ୍ୟଟନ ସାଇଡ୍ ଗୁଡିକର ବିକାଶ ପାଇଁ ଓଡିଶାରେ ଥିବା ନିବେଶକ ମାନଙ୍କୁ ଉତ୍ସାହିତ କରୁଛନ୍ତି ରାଜ୍ୟ ସରକାର । ପ୍ରାଇଭେଟ୍ ବିଜିନେସ ମଡେଲରେ ସେସବୁ ଲୋକେସନ ଗୁଡିକୁ ବିକଶିତ କରାଯିବ ।
ପର୍ଯ୍ୟଟନ ବିଭାଗରେ ୫ ହଜାର ୧୫୩ କୋଟି ଟଙ୍କାର ନିବେଶ ଆସିଛି । ଏହା ଦ୍ବାରା ଓଡିଶା ପର୍ଯ୍ୟଟନରେ ବଡ ପରିବର୍ତ୍ତନ ଆସିପାରେ ବୋଲି ଆଶା ରଖିଛନ୍ତି ନୂଆ ସରକାର । ତେବେ କୋରାପୁଟରେ କ୍ରୁଜ ଚାଲିଲେ, ସମଗ୍ର ଦକ୍ଷିଣ ଓଡିଶା ପାଇଁ ଏହା ଅପାର ସମ୍ଭାବନା ସୃଷ୍ଟି କରିବ ବୋଲି କୁହାଯାଉଛି ।