ଦେଶୀ ମାଟିରେ ଫଳିବ ବିଦେଶୀ ଫଳ । କେବେ ନାଁ ଶୁଣି ନାହାନ୍ତି କି କେବେ ଫଳ କେମିତି ଦେଖି ନାହାନ୍ତି । ତଥାପି ଷ୍ଟ୍ରବେରୀ ଫଳାଇବାକୁ ଅଣ୍ଟା ଭିଡ଼ିଛନ୍ତି କୋରାପୁଟ କାଉଗୁଡ଼ା ବାସିନ୍ଦା। ୨୫ ଏକର ଜମିରେ ଉଦ୍ୟାନ ବିଭାଗର ଉଦ୍ୟମରେ ଚାଷ ହୋଇଛି । ୩ ମାସ ପରେ ଉତ୍ପାଦନ ହେବ। ଲାଭ ମିଳିଲେ ଷ୍ଟ୍ରବେରୀ ଛଡ଼ା ଅନ୍ୟ କିଛି କରବୁନି କହିଲେ ଚାଷୀ ।
ଷ୍ଟ୍ରବେରୀ କେବେ ଦେଖିନାହାନ୍ତି କି କେବେ ଶୁଣି ନାହାନ୍ତି । ହେଲେ ଉତ୍ପାଦନ ପାଇଁ ଆଗଭର ଚାଷୀ । କୋରାପୁଟ କାଉଗୁଡ଼ାରେ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ପାରମ୍ପରି ପନିପରିବା ଚାଷ ଛାଡ଼ି ଏବେ ଜମିରେ ଲଗାଇଛନ୍ତି ଷ୍ଟ୍ରେବେରୀ ଚାରା । ସୁନା ଫଳିବ, ଭଲ ଦି ପଇସା ରୋଜଗାର ହେବ । ଉଦ୍ୟାନ ବିଭାଗ ଏନେଇ ଚାଷୀଙ୍କୁ ବୁଝାଇବା ପରେ ଏବେ ନିଜ ଜମିରେ ଦାମୀ ଷ୍ଟ୍ରବେରୀ ଫଳାଇବାକୁ ରାତିଦିନ ଏକ କରିଦେଇଛନ୍ତି ଚାଷୀ । ୩ ମାସରେ ଫଳ ଧରିବା ପରେ କିଲୋ ପିଛା ୨ ଶହରୁ ୩ ଶହ ଟଙ୍କା ରୋଜଗାର ହେବ ବୋଲି ଚାଷୀ ଆଶା ରଖିଛି ।
ଅଧିକ ପଢନ୍ତୁ: ଶୀତୁଆ ସକାଳରେ ହସୁଛି ପାହାଡ଼; ମନରୋମ ଦୃଶ୍ୟକୁ ଉପଭୋଗ କରୁଛନ୍ତି ପ୍ରକୃତି ପ୍ରେମୀ
ଷ୍ଟ୍ରେବେରୀ ଚାଷ ପାଇଁ କୋରାପୁଟିଆ ଚାଷୀ ମନ ବଳାଉଥିବାରୁ ସହାୟତା ପାଇଁ ଆଗେଇ ଆସିଛି ଜିଲ୍ଲା ଉଦ୍ୟାନ ବିଭାଗ । କୋଟିଆ ଅଞ୍ଚଳରେ ଷ୍ଟ୍ରବେରୀ ଚାଷର ସଫଳତା ପରେ ଏବେ ଜିଲ୍ଲାର ଅନ୍ୟ ଅଞ୍ଚଳରେ ଚାଷୀଙ୍କୁ ଷ୍ଟ୍ରବେରୀ ଚାଷ ପାଇଁ ଉତ୍ସାହିତ କରାଯାଉଛି । କାଉଗୁଡାରେ ୨୫ ଏକର ଜମିରେ ଆରମ୍ଭ ହୋଇଛି ଷ୍ଟ୍ରବେରୀ ଚାଷ । ଏଥିରେ ସ୍ୱାବଲମ୍ବୀ ହେବେ ୩୦ରୁ ଅଧିକ ଆଦିବାସୀ ପରିବାର। କୋରାପୁଟ ଜିଲ୍ଲାର ଜଳବାୟୁ ଓ ମୃତ୍ତିକା ଷ୍ଟ୍ରବେରୀ ଚାଷ ପାଇଁ ବେଶ ଅନୁକୂଳ । ଚାଷୀ ଏକର ପିଛା ୩ରୁ ୪ଲକ୍ଷ ଟଙ୍କା ଲାଭ ପାଇବେ ବୋଲି ଉଦ୍ୟାନ ବିଭାଗ କହିଛି । ଏହାଛଡ଼ା ଉତ୍ପାଦନ ବିକ୍ରି ପାଇଁ ବ୍ୟବସ୍ଥା କରିବ ବୋଲି କହିଛି ବିଭାଗ ।