/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749136904.jpg)
Power Village Lives in Darkness
ଆଜି ଆମେ ଏମିତି ଏକ ଗ୍ରାମାଞ୍ଚଳର ଚିତ୍ର ଦେଖାଉଛୁ, ଯିଏ ସାରା ଦୁନିଆକୁ ଆଲୁଅ ଯୋଗାଉଛି, କିନ୍ତୁ ନିଜେ ପଡ଼ିଛି ଅନ୍ଧାରରେ । ହଜାର ହଜାର ହେକ୍ଟର ଜମିକୁ ଜଳ ଯୋଗାଇ ଚାଷୀ ମୁହଁରେ ହସ ଫୁଟାଉଛି ଯେଉଁ ଇଲାକା, ସେହି ଇଲାକା କାନ୍ଦୁଛି ଅନବରତ । ସେହି ଅଞ୍ଚଳ ହେଉଛି, ବିକାଶର ମାନଚିତ୍ରରେ ଖୋଜାପଡ଼ିଥିବା କଳାହାଣ୍ଡି ଜିଲ୍ଲାର ମୁଖିଗୁଡ଼ା-ମହୁଲପାଟଣା । ହେଲେ କେମିତି ଓ କାହିଁକି, ଦେଖନ୍ତୁ ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପକୁ ନିଜ ଛାତିରେ ଜାବୁଡ଼ି ଧରି ବତୀଘର ସାଜିଥିବା ଏକ ଗାଁର କାହାଣୀ ।
ଆଜି ବି ଗାଁ ଲୋକ ଖୋଜୁଛନ୍ତି ବିକାଶ । ମାଗୁଛନ୍ତି ନ୍ୟାୟ । ଆଜି ବି ଏହି ରାସ୍ତାର ଛାତିକୁ ଦଳି ମକଚି ନିଇତି ଦଉଡ଼ିଛୁ ହାଇୱା, ବାଜିରେ ଲାଗୁଛି ସାଧାରଣ ମଣିଷଙ୍କ ଜୀବନ । ହେଲେ କହିବେ ତ କାହାକୁ, ଶୁଣିବ ତ କିଏ ! ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି ସେହି ଇଲାକାର ମଣିଷ, ଯେଉଁ ଇଲାକା ଯୋଗାଏ ଆଲୁଅ...ଜମିକୁ ଦିଏ ଜଳ ଆଉ ଚାଷୀଙ୍କୁ ଯୋଗାଏ ବଳ । କଳାହାଣ୍ଡି ଜିଲ୍ଲା ମୁଖିଗୁଡ଼ା-ମହୁଲପାଟଣା । ସବୁ ଦେଇ ଆଜି ସର୍ବସ୍ବ ହରାଇଛି ଏହି ଡଙ୍ଗର ପାହାଡ଼ ଘାଟି ଇଲାକା ।
ଅଧିକ ପଢ଼ନ୍ତୁ: ୨୪ ଘଣ୍ଟା ଭିତରେ କେମିତି ହେଲା ୬ ରୋଗୀଙ୍କ ମୃତ୍ୟୁ ?
ସ୍ବାଧିନତାର ସାତ ଦଶନ୍ଧି ପରେ ବି ଏହି ଆବୁଡ଼ା ଖାବୁଡ଼ା ରାସ୍ତା ପାଲଟିଛି ନୀରିହ ମଣିଷଙ୍କ ଲାଇଫଲାଇନ୍ । ଖାଲ ଉପରେ ରାସ୍ତା ନା ରାସ୍ତା ଉପରେ ଖାଲ, ବାରି ହେଉନି । କେଉଁଠି ଖାଲ ପାଲଟିଛି ଗୋରୁ ମଇଁଷିଙ୍କ ଜଳକ୍ରୀଡ଼ା ସ୍ଥଳୀ ତ, ଆଉ କେଉଁଠି ଗାଡ଼ି ପେଲି ପେଲି ଦଶା ଭୋଗୁଛନ୍ତି ସାଧାରଣ ଜନତା ।
ମୁଖିଗୁଡ଼ାରେ ଯେବଠୁ ଇନ୍ଦ୍ରାବତୀ ପ୍ରକଳ୍ପ ହେଲାଣି, ସେହିଦିନଠୁ ତିଆରି ହୋଇଛି ଏହି ରାସ୍ତା । ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ତଥା OHPC-ମୁଖିଗୁଡ଼ା ଅଧିନରେ ଥିଲା ଏହି ରାସ୍ତା । ୮ ବର୍ଷ ତଳେ ପ୍ରାୟ ୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏହି ରାସ୍ତାକୁ ମରାମତି କରିଥିଲା OHPC । ୨୦୨୦-୨୦୨୧ରେ OHPC ଜଳସେଚନ ବିଭାଗକୁ ଏହି ରାସ୍ତାକୁ ହସ୍ତାନ୍ତର କରିଥିଲା ।ଏହି ଘାଟି ରାସ୍ତା ଦେଇ ନିଇତି ଶହ ଶହ ଭାରିଯାନ ଚଳାଚଳ କରୁଛି । ଅନେକ ସ୍ଥାନରେ ଭାଙ୍ଗିରୁଜି ଗଲାଣି ସାଇଡୱାଲ୍ । ବ୍ଲକ ଅଫିସକୁ ହେଉ ଅବା ସଦର ମହକୁମା । ଏଇ ବିପଦସଙ୍କୁଳ ରାସ୍ତା ପାଲଟିଛି ଅଞ୍ଚଳବାସୀଙ୍କ ଲାଇଫଲାଇନ୍ । ଏହାର ମରାମତି ପାଇଁ ବ୍ଲକ କର୍ତ୍ତୃପକ୍ଷଙ୍କଠାରୁ ଜିଲ୍ଲାପାଳଙ୍କ ଯାଏଁ ଲୋକେ ଗୁହାରି କରିଛନ୍ତି । କିନ୍ତୁ ଆଖି ବୁଜିଦେଉଛନ୍ତି ସମସ୍ତେ ।
ଜଳସେଚନ ବ୍ୟବସ୍ଥାଠାରୁ ବିଦ୍ୟୁତ ଯୋଗାଣ ଯାଏଁ, ରାଜ୍ୟରେ ଇନ୍ଦ୍ରାବତୀ ପ୍ରକଳ୍ପର ରହିଛି ପ୍ରମୁଖ ଭୂମିକା । ଦୈନିକ ୬ଶହ ମେଗାୱାଟ୍ ବିଦ୍ୟୁତ ଉତ୍ପାଦନ କରୁଛି, ରାଜ୍ୟର ହଜାର ହଜାର ହେକ୍ଟର ଜମିକୁ ଜଳ ଯୋଗାଉଛି । ହେଲେ ପାରିପାର୍ଶ୍ବିକ ବିକାଶ ଆଜି ଆପଣଙ୍କ ସାମ୍ନାରେ । ଏଭଳି ଦୁର୍ଦ୍ଦଶା ସମ୍ପର୍କରେ ପଚାରିବାରୁ ଇନ୍ଦ୍ରାବତୀ କର୍ତ୍ତୃପକ୍ଷ କହିଛନ୍ତି, ରାସ୍ତା ମରାମତି ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।
ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପକୁ ନିଜ ଛାତିରେ ଜାବୁଡ଼ି ଧରିଥିବା ଏଭଳି ଅନେକ ଅଞ୍ଚଳ ରହିଛି, ସବୁଠି ଶୂନ୍ ହୋଇପଡ଼ିଛି ପାରିପାର୍ଶ୍ବିକ ବିକାଶ । ଯାହା ବିଚଳିତ କରୁଛି ସଭ୍ୟ ସମାଜକୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)