Advertisment

Death of Patients: ୨୪ ଘଣ୍ଟା ଭିତରେ କେମିତି ହେଲା ୬ ରୋଗୀଙ୍କ ମୃତ୍ୟୁ ?

ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ଅଭିଯୋଗ । ଜଣେ ନର୍ସ ଆସିଥିଲେ... ଇଞ୍ଜେକ୍ସନ୍ ଫୋଡ଼ିଲେ... କେଉଁ ରୋଗୀ ଗୋଡ଼ହାତ ଛାଟିପିଟି ହେଲେ ତ କିଏ ବେହୋସ୍ ହୋଇଗଲେ... ଆଉ ୧୦-୧୫ ମିନିଟ୍ ଭିତରେ ସବୁ ଦିନ ଲାଗି ଆଖି ବୁଜିଦେଲେ । ଚିକିତ୍ସା ଅବହେଳା ଅଭିଯୋଗକୁ ନେଇ ପୁଣି ବିବାଦରେ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ ।

author-image
Namita Biswal
ଅଦ୍ୟତନ ହୋଇଛି
undefined

Death of Patients

ଅଳ୍ପ କିଛି ଘଣ୍ଟା ଭିତରେ ଛଅ ଛଅ ଜଣ ରୋଗୀଙ୍କ ମୃତ୍ୟୁ ପରେ, ଚିକିତ୍ସା ଅବହେଳା ଅଭିଯୋଗକୁ ନେଇ ପୁଣି ବିବାଦରେ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ । ଭୁଲ ଇଞ୍ଜେକ୍ସନ ଯୋଗୁଁ ସର୍ଜରୀ ଆଇସିୟୁ ଓ ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ସଂପର୍କୀୟ । ଏହାକୁ ନେଇ ମେଡିକାଲ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ଭୁଲ୍ ଇଞ୍ଜେକ୍ସନ ଦିଆଯିବା ଅଭିଯୋଗକୁ ଡିନ୍ ଖଣ୍ଡନ କରିଛନ୍ତି । ଏପଟେ ତଦନ୍ତ ପାଇଁ SCB ଓ MKCGରୁ କୋରାପୁଟକୁ ଯାଇଛି ୨ଟି ଡାକ୍ତରୀ ଟିମ୍ ।

Advertisment

ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ଅଭିଯୋଗ । ଜଣେ ନର୍ସ ଆସିଥିଲେ... ଇଞ୍ଜେକ୍ସନ୍ ଫୋଡ଼ିଲେ... କେଉଁ ରୋଗୀ ଗୋଡ଼ହାତ ଛାଟିପିଟି ହେଲେ ତ କିଏ ବେହୋସ୍ ହୋଇଗଲେ... ଆଉ ୧୦-୧୫ ମିନିଟ୍ ଭିତରେ ସବୁ ଦିନ ଲାଗି ଆଖି ବୁଜିଦେଲେ । ରୋଗୀ ମୃତ୍ୟୁକୁ ନେଇ ଏଭଳି ସାଂଘାତିକ ଅଭିଯୋଗ ଆସିବା ପରେ, ପୁଣି ସନ୍ଦେହ ଘେରରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲର ଚିକିତ୍ସା ବ୍ୟବସ୍ଥା ।

ଅଧିକ ପଢ଼ନ୍ତୁ: ରାଜସ୍ୱ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, 'ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ'

Advertisment

ଗତରାତିରେ କୋରାପୁଟ ମେଡିକାଲ କଲେଜରେ ମାତ୍ର କେଇ ଘଣ୍ଟା ଭିତରେ ୬ ଜଣ ରୋଗୀଙ୍କ ଅଚାନକ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । କିଏ ଦୁର୍ଘଟଣାର ଶିକାର ହୋଇଥିଲେ, କାହାକୁ ଛୁରାମାଡ଼ ହୋଇଥିଲା, ଆଉ କିଏ କ୍ୟାନ୍ସର ଆକ୍ରାନ୍ତ ଥିଲେ । ସର୍ଜରୀ ଆଇସିୟୁରେ ୪ ଜଣ ଓ ସର୍ଜରୀ ୱାର୍ଡରେ ୨ ଜଣଙ୍କୁ ଭର୍ତ୍ତି କରାଯାଇଥିଲା । କେଉଁ ରୋଗୀଙ୍କର ଅସ୍ତ୍ରୋପଚାର ବି ସରିଥିଲା, ତ କିଏ କଥା ହେଉଥିଲେ ଓ ଖାଇବାକୁ ବି ମାଗୁଥିଲେ । ଗୁରୁତର ହୋଇ ମେଡିକାଲ ଆସିଥିଲେ ବି, ଚିକିତ୍ସା ପରେ ସ୍ବାସ୍ଥ୍ୟାବସ୍ଥା ଆପାତତଃ ସ୍ଥିର ଥିବାରୁ ସେମାନେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶାବାଦୀ ଥିଲେ ସଂପର୍କୀୟ । ହେଲେ ରାତି ଡ୍ୟୁଟିରେ ଥିବା ନର୍ସ ଇଞ୍ଜେକ୍ସନ ଦେବା ପରେ ରାତି ୧୧ଟାରୁ ସାଢ଼େ ୧୧ଟା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଭୋର୍ ୩ଟାରେ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ରାତିରେ ହସ୍ପିଟାଲ ପରିସରରେ ଉତ୍ତେଜନା ଦେଖାଦେବାରୁ ଟାଉନ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା ।

ରୋଗୀ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମେଡିକାଲ୍ କଲେଜ୍ ଡିନ୍ । କହିଛନ୍ତି- ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଭୁଲ୍ ଇଞ୍ଜେକ୍ସନ୍ ଦିଆଯାଇନାହିଁ । ଅଭିଜ୍ଞ ଷ୍ଟାଫ୍ ଥିଲେ ଏବଂ ପ୍ରୋଟୋକଲ୍ ଅନୁସାରେ ସବୁକିଛି ହୋଇଛି । ତେବେ ଏହି ଘଟଣାକୁ ନେଇ ତଦନ୍ତ କମିଟି ଗଠନ କରାଯିବ ବୋଲି ଜିଲ୍ଲାପାଳ କହିଥିବା ବେଳେ, ସରଜମିନ୍ ଛାନଭିନ୍ ପାଇଁ କଟକ SCB ଓ ବ୍ରହ୍ମପୁର MKCGରୁ ଦୁଇଟି ଡାକ୍ତରୀ ଟିମ୍ କୋରାପୁଟ ଯାଇଥିବା DMET ସୂଚନା ଦେଇଛନ୍ତି ।

କେବଳ ଏଇ ଘଟଣା ନୁହେଁ, ପୂର୍ବରୁ ୱାର୍ଡ ଭିତରେ ମୂଷା ଉପଦ୍ରବ, ଏପରିକି ରୋଗୀଙ୍କ ବେଡରେ ମୂଷା ଚାଲୁଥିବା ଘଟଣାକୁ ନେଇ ଚର୍ଚ୍ଚିତ ହୋଇଥିଲା କୋରାପୁଟ୍ ମେଡିକାଲ୍ କଲେଜ । ଏଥିସହ ଡାକ୍ତର ଅଭାବ ଓ ଚିକିତ୍ସା ଅବହେଳାକୁ ନେଇ ବି ବିଭିନ୍ନ ସମୟରେ ଅଭିଯୋଗ ହୋଇଛି। 

ତେବେ ଏହି ବିଶ୍ବାସ ଓ ଭରସାକୁ ଅତୁଟ ରଖିବା ପାଇଁ ମେଡିକାଲ କର୍ତ୍ତୃପକ୍ଷ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗକୁ କେଉଁ ପଦକ୍ଷେପ ନିଆଯାଉଛି, ତା ଉପରେ ନଜର ।

ଅଧିକ ପଢ଼ନ୍ତୁ: ଅଣ୍ଡା ତରକାରୀ ପାଇଁ... ଚୁଲିଫୁଙ୍କାରେ ସ୍ତ୍ରୀର ଜୀବନ ଗଲା

Koraput Medical Negligence Wrong Injection Death
Advertisment
Advertisment