/odishatv-khabar/media/post_attachments/uploadimage/library/16_9/16_9_0/IMAGE_1738926975.jpg)
ଜଙ୍ଗଲ ଲୁଟ୍
ବେଧଡକ ଭାବେ ଚାଲିଛି ଗଛ କଟା l ରୋକ ଲଗାଇ ପାରୁନି ବନ ବିଭାଗ l ବାହାରକୁ ଦେଖାଯାଉଛି ଘଞ୍ଚ ଜଙ୍ଗଲ କିନ୍ତୁ ଭିତରେ ବିଭିନ୍ନ ସ୍ଥାନରେ ଗଛର କେବଳ ମୂଳରୁ ଫୁଟେ ଦୁଇ ଫୁଟ ଛାଡି ମୂଲ୍ୟବାନ ଗଛ କାଟି ନେଉଛନ୍ତି କାଠ ମାଫିଆ l କିଏ କାଟୁଛି କୁଆଡେ ଯାଉଛି କାହା ପାଖରେ ଖବର ନାହିଁ l ସେପଟେ ବନ ବିଭାଗ ଖବର ପାଇବା ପରେ ତୁରନ୍ତ ପଦକ୍ଷେପ ନେବ ବୋଲି କହିଛନ୍ତି ଯାଜପୁର ରୋଡ଼ ବନଖଣ୍ଡ ଅଧିକାରୀ।
ଯାଜପୁର ରୋଡ ବନଖଣ୍ଡ ଅଧୀନରେ ରହିଛି ରଗଡି ଗ୍ରାମ୍ୟ ଜଙ୍ଗଲ । ବହୁବର୍ଷ ପୂର୍ବେ ସ୍ଥାନୀୟ ଅଂଚଳର ଗ୍ରାମବାସୀମାନେ ଘର ପିଚ୍ଛା ମୁଠି ଚାଉଳ ଆଦାୟ କରି ଏହି ଜଙ୍ଗଲକୁ ନିଜ ହାତରେ ତିଆରି କରିଥିଲେ । କାଳକ୍ରମେ ଏହି ଜଙ୍ଗଲ ବନ ବିଭାଗ ଅଧିନକୁ ଚାଲିଗଲା। ଏହାର ରକ୍ଷଣାବେକ୍ଷଣ ନିମନ୍ତେ ବନ ବିଭାଗ ପକ୍ଷରୁ ରଗଡି ଛକରେ ନିର୍ମାଣ ହେଲା ବିଟ ହାଉସ୍ । ହେଲେ ଏହା ଉଦଘାଟନ ପରେ ଆଉ କେବେ ଖୋଲାଯାଇନି କି ଏଠାକୁ କେହି ଦେଖିବାକୁ ଆସିନଥିବା କହିଛନ୍ତି ଗ୍ରାମବାସୀ । ଏବେ ଏହି ବିଟ ହାଉସରେ ଘାସ ମାଡିଯିବା ସହ ଏହା ଭୂତକୋଠି ପାଳଟି ଗଲାଣି। ଦିନ ଦ୍ୱିପ୍ରହରରେ ଜଙ୍ଗଲରୁ ବେଧଡକ ଚାଲିଛି ଗଛକଟା। ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି।
ସ୍ଥାନୀୟ ଲୋକମାନେ କହୁଛନ୍ତି, ବେଆଇନ ଭାବରେ କାଠ ମାଫିଆମାନେ ନିକଟରେ ଥିବା ଜଙ୍ଗଲ କାଟି ସଫା କରିଦେଉଛନ୍ତି l ବନବିଭାଗ କାଠ ମାଫିଆମାନଙ୍କୁ ସୁରକ୍ଷା ଯୋଗାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ l ବ୍ୟାସନଗର ତଥା କୋରେଇ ଅଞ୍ଚଳର ଅନେକ ଜଙ୍ଗଲ ଏବେ କାଠ ମାଫିଆ ମାନଙ୍କ ପାଇଁ ଉଜୁଡିବାକୁ ବସିଲାଣି l କାହିଁକି ବେଆଇନ କାଠ କଟା ଉପରେ ରୋକ ଲଗାଇ ପାରୁନି ବନ ବିଭାଗ ତାହା ଏବେ ବଡ଼ ପ୍ରଶ୍ନ l ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରି ମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଗ୍ରାମବାସୀ l
ଅଧିକ ପଢ଼ନ୍ତୁ: ବାବୁଙ୍କ ଘରେ ଟଙ୍କାର ଭଣ୍ଡାର; PD ବାବୁଙ୍କ ସହ ୪ ସହଯୋଗୀଙ୍କୁ ବାନ୍ଧିଲା ଭିଜିଲାନ୍ସ
ପରିବେଶ ସୁରକ୍ଷା ପାଇଁ ଗୋଟିଏ ପଟେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜଙ୍ଗଲ ସୃଷ୍ଟି କରୁଛନ୍ତି l ଅନ୍ୟପଟେ କାଠ ମାଫିଆମାନେ ନିର୍ଭୟରେ ଜଙ୍ଗଲରୁ ଗଛ କାଟି ଲୁଟ କରୁଛନ୍ତି l ଜଙ୍ଗଲ ନଷ୍ଟ ପାଇଁ ଅନେକ ସମୟରେ ବନ୍ୟଜନ୍ତୁ ଜନବସତି ମୁହାଁ ହେଉଛନ୍ତି l କିନ୍ତୁ ଏହା ଉପରେ ରୋକ୍ ଲଗାଇ ପାରୁନି ବନ ବିଭାଗ। l ବନବିଭାଗର କିଛି ଅସାଧୁ କର୍ମଚାରୀ ଓ କାଠ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଜଙ୍ଗଲ ନଷ୍ଟ ହେଉଥିବା ଅଭିଯୋଗ ହେଉଛି l
ଅନ୍ୟପଟେ NREGSରେ ଲାଗିଥିବା ଗଛ ଗୁଡିକର ମଧ୍ୟ ଅବସ୍ଥା ଅତି ଦୟନୀୟ। ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଗଛ ଲଗା ଯାଇଥିଲା । ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ବଞ୍ଚିଛି ମାତ୍ର ୮ ରୁ ୧୦ଟି ଗଛ । ଏ ବିଷୟରେ ବିଭାଗୀୟ ଅଧିକାରୀ କହିଛନ୍ତି, ଆମେ ଏବେ ଖବର ପାଇଲୁ, ଯଥାଶୀଘ୍ର ରଗଡି ବିଟ୍ ହାଉସରେ ବନ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ । ଜଙ୍ଗଲକଟାର ତଦନ୍ତ କରାଯାଇ ମାଫିଆଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଯାଜପୁର ରୋଡ୍ ରେଞ୍ଜର୍ ଧର୍ମେନ୍ଦ୍ର ପ୍ରଧାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)