ଐତିହାସିକ ଦିନ, ଐତିହାସିକ ଘଟଣା । ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଖୁସି ଖବର । କ୍ରିକେଟ ଜଗତରେ ପୁଣି ଭାରତର ଦବଦବା । କ୍ରିକେଟର ସର୍ବୋଚ୍ଚ ସଂସ୍ଥାରେ ପୁଣି ଚମକିଲେ ଭାରତୀୟ । କ୍ରିକେଟ ଜଗତରେ ସବୁଠୁ ବଡ଼ ପଦରେ ଜୟ ଶାହ । ବିସିସିଆଇର ପୂର୍ବତନ ସମ୍ପାଦକ ଜୟ ଶାହ ଆଜି ବିଧିବଦ୍ଧ ଭାବେ କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ଆଜି ଠାରୁ ଆରମ୍ଭ ହୋଇଛି। ଶାହ ମାତ୍ର ୩୫ ବର୍ଷ ବୟସରେ ଆଇସିସି ଅଧ୍ୟକ୍ଷ ହେବାର ରେକର୍ଡ କରିଛନ୍ତି।
୨୦୨୦ରୁ ଆଇସିସି ଅଧ୍ୟକ୍ଷ ଭାବେ କାମ କରୁଥିବା ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହୋଇଥିଲା। ଏହାପରେ ଜୟ ଶାହ ଆଜି ଏହି ପଦ ଅଳଙ୍କୃତ କରିଛନ୍ତି। ଶାହ ସବୁଠାରୁ କନିଷ୍ଠ ବ୍ୟକ୍ତି ଭାବେ କ୍ରିକେଟର ସବୁଠାରୁ ବଡ଼ ସଂସ୍ଥାର ମୁଖ୍ୟ ହୋଇଛନ୍ତି।
Also Read
ଅଧିକ ପଢ଼ନ୍ତୁ: କିଏ ଏହି ବୈଭବ ସୂର୍ଯ୍ୟବଂଶୀ, ଯାହାଙ୍କୁ ୧.୧ କୋଟିରେ କିଣିଲା ରାଜସ୍ଥାନ
ଏହା ବାଦ ଶାହ ପଞ୍ଚମ ଭାରତୀୟ ଭାବେ ଏହି ପଦ ଅଳଙ୍କୃତ କରିଛନ୍ତି। ପୂର୍ବରୁ ୪ ଜଣ ଭାରତୀୟ ମଧ୍ୟ ଆଇସିସିର ସର୍ବୋଚ୍ଚ ପଦରେ ରହିସାରିଛନ୍ତି । ବିଶିଷ୍ଟ ଶିଳ୍ପପତି ଜଗମୋହନ ଡାଲମିୟା ୧୯୯୭ରୁ ୨୦୦୦ ଓ ବରିଷ୍ଠ ରାଜନେତା ଶରଦ ପାୱାର ୨୦୧୦ରୁ ୨୦୧୨ ପର୍ଯ୍ୟନ୍ତ ଆଇସିସିର ସଭାପତି ରହିଥିଲେ । ଏନ ଶ୍ରୀନିବାସନ ୨୦୧୪ ରୁ ୨୦୧୫ ଓ ଶଶାଙ୍କ ମନୋହର ୨୦୧୫ରୁ ୨୦୨୦ ଚେୟାରମ୍ୟାନ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ୩୫ ବର୍ଷୀୟ ପୂର୍ବତନ ବିସିସିଆଇ ସମ୍ପାଦକ ଜୟ ଶାହ ଆଇସିସି ଇତିହାସର ସର୍ବକନିଷ୍ଠ ଚେୟାରମ୍ୟାନ ହୋଇଛନ୍ତି ।
ଆଇସିସି ଅଧ୍ୟକ୍ଷ ପ୍ରତ୍ୟେକ ଦୁଇ ବର୍ଷ ଲେଖାଏ ତିନି ଟର୍ମ ପାଇଁ କାର୍ଯ୍ୟଭାର ସମ୍ଭାଳନ୍ତି। ନ୍ୟୁଜିଲାଣ୍ଡର ଗ୍ରେଗ ବାର୍କଲେ ୨୦୨୦ରେ ଆଇସିସିର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଥିଲେ। ୨୦୨୨ରେ ମଧ୍ୟ ପୁନର୍ବାର ତାଙ୍କୁ ଦାୟିତ୍ୱ ମିଳିଥିଲା। ଆଜି ଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଜୟ ଶାହ କହିଛନ୍ତି ଯେ, ୨୦୨୮ ଲସ ଆଞ୍ଜେଲ୍ସ ଅଲିମ୍ପିକ୍ସରେ କେମିତି କ୍ରିକେଟ ସାମିଲ ହୋଇପାରିବ, ତା’ ଉପରେ ସେ ଫୋକସ କରିବେ। ସେହିପରି ମହିଳା କ୍ରିକେଟ କେମିତି ଅଧିକ ଲୋକାଦୃତ ହେବ, ସେଥିପାଇଁ ମଧ୍ୟ କାମ କରିବେ ବୋଲି ଜୟ ଶାହ କହିଛନ୍ତି।
ଜୟ ଶାହ ହେଉଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ । କ୍ରିକେଟର ପ୍ରଶାସନିକ ବ୍ୟବସ୍ଥାରେ ଜୟ ଶାହଙ୍କ ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ୨୦୦୯ରେ ଗୁଜରାଟ କ୍ରିକେଟ ଆସୋସିଏସନର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟରୁ ସେ ଯାତ୍ରା ଆରମ୍ଭ କରିଥିଲେ। ଅହମଦାବାଦରେ ଥିବା ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନିର୍ମାଣରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।୨୦୧୯ରେ ଜୟ ଶାହ ବିସିସିଆଇର ସମ୍ପାଦକ ପଦ ସମ୍ଭାଳିବରେ ସର୍ବକନିଷ୍ଠ ସଦସ୍ୟ ହୋଇଥିଲେ। ସେ ଏସିଆନ କ୍ରିକେଟ କାଉନସିଲର ଅଧ୍ୟକ୍ଷ ଅଛନ୍ତି । ଆଇସିସିର ଅର୍ଥ ଓ ବ୍ୟବସାୟିକ ବ୍ୟାପାର କମିଟର ଅଧ୍ୟକ୍ଷ ଭାବେ ତାଙ୍କର ଅଭିଜ୍ଞତା ମଧ୍ୟ ରହିଛି ।