Advertisment

Jaga Mission: ଥିଲାବାଲାଙ୍କୁ ଜାଗା ମିଶନରେ ମିଳିଛି ପଟ୍ଟା; ବିଏମ୍‌ସିରେ ଖୋଲୁଛି ଗୁମର

ଭୁବନେଶ୍ୱର ମହାନଗର ନିଗମ(BMC) କର୍ତ୍ତୃପକ୍ଷ ପୂର୍ବରୁ ଜାଗା ମିଶନରେ ପଟ୍ଟା ଯୋଗାଇଥିବା ଲୋକଙ୍କୁ ଆବାସ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛି। କିନ୍ତୁ ଜାଗା ମିଶନରେ ଚୟନ ହୋଇଥିବା କିଛି ଅଯୋଗ୍ୟ ହିତାଧିକାରୀ ଏବେ ହାତେଇବାକୁ ବସିଛନ୍ତି ଆବାସ ଯୋଜନାରେ ଘର।

author-image
Manoranjan Sial
Jaga Mission

Jaga Mission

ବିଜେଡି ସରକାର ଅମଳରେ ଆଗରୁ ଜାଗା ମିଶନରେ ଚଞ୍ଚକତା କରି ପଶିଥିଲେ ଅଯୋଗ୍ୟ ହିତାଧିକାରୀ। ଆଉ ଏବେ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ପାଇଁ କେନ୍ଦ୍ର ସରକାର ଆଣୁଥିବା ପ୍ରଧାନମନ୍ତ୍ରୀ ଆବାସରେ ମଧ୍ୟ ସାମିଲ ହେବାକୁ ଚଞ୍ଚକତା କରୁଛନ୍ତି କିଛି ଅଯୋଗ୍ୟ ହିତାଧିକାରୀ। ରାଜ୍ୟର ଅନ୍ୟ ସହର ଛାଡ଼ନ୍ତୁ, ଖୋଦ ରାଜଧାନୀ ଭୁବନେଶ୍ୱରରେ ସାମ୍ନାକୁ ଆସିଛି ଏଭଳି କେଳେଙ୍କାରୀ। ଯାହାକୁ ନେଇ ବିଏମସିର ୪୯ ନମ୍ବର ୱାର୍ଡ ଫୁଲେଶ୍ୱରୀ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତେଜିଛି ଅସନ୍ତୋଷ।

Advertisment

ରାଜ୍ୟରେ ୧୯ଟି ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ସର୍ଭେ ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ କେଳଙ୍କାରୀ ଅଭିଯୋଗ! ଭୁବନେଶ୍ୱର ମହାନଗର ନିଗମ(BMC) କର୍ତ୍ତୃପକ୍ଷ ପୂର୍ବରୁ ଜାଗା ମିଶନରେ ପଟ୍ଟା ଯୋଗାଇଥିବା ଲୋକଙ୍କୁ ଆବାସ ଯୋଜନାରେ ସାମିଲ ପାଇଁ ନିଷ୍ପତ୍ତି ନେଇଛି। କିନ୍ତୁ ଜାଗା ମିଶନରେ ଚୟନ ହୋଇଥିବା କିଛି ଅଯୋଗ୍ୟ ହିତାଧିକାରୀ ଏବେ ହାତେଇବାକୁ ବସିଛନ୍ତି ଆବାସ ଯୋଜନାରେ ଘର।

ମିଳିଥିବା ତଥ୍ୟ ଅନୁସାରେ ୨୦୨୩ ମସିହାରେ BMC ପକ୍ଷରୁ ଜାରି ହୋଇଥିଲା ୪୯ ନମ୍ବର ୱାର୍ଡ ଫୁଲେଶ୍ୱରୀ ବସ୍ତି ପାଇଁ ଜାଗା ମିଶନ ହିତାଧିକାରୀଙ୍କ ତାଲିକା। ଯେଉଁ ତାଲିକାର ୧ ନମ୍ବର ସ୍ଥାନରେ ରହିଛନ୍ତି ସବିତା ସାହୁ। ସହରାଞ୍ଚଳରେ ଜମି ନଥିବା ଲୋକଙ୍କୁ ହିଁ ଜାଗା ମିଶନରେ ସାମିଲ କରାଯିବାର ନିୟମ ଥିବା ବେଳେ ସବିତାଙ୍କ ନାଁରେ ପାତ୍ରପଡ଼ା ମୌଜାରେ ରହିଛି ୬୪୦ ଡେସିମିଲ ଜମି।

Advertisment

ଅଧିକ ପଢ଼ନ୍ତୁ: ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ସହର ଓ ଗାଁ ଭିତରେ ଦୂର ହେବ ପାର୍ଥକ୍ୟ

ଯାହା ପୁଣି ମୂଲ୍ୟବାନ ଘରବାରି ପ୍ଲଟ୍। ଏ ଜମିକୁ ସେ ୨୦୨୧ ଫେବ୍ରୁଆରୀ ୧୦ ତାରିଖରେ ୨୨ ଲକ୍ଷ ୪୦ ହଜାର ଟଙ୍କାରେ କିଣିଥିବା ରେକର୍ଡ କହୁଛି। ଏପରିସ୍ଥଳରେ ୨୦୨୩ ମସିହାରେ ଜାଗା ମିଶନ ହିତାଧିକାରୀ ତାଲିକାରେ ତାଙ୍କ ନାଁ କେମିତି ଆସିଲା, ତାକୁ ନେଇ ଉଠିଛି ପ୍ରଶ୍ନ। ତେବେ ଏନେଇ ସବିତା ସାହୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଫୁଲେଶ୍ୱରୀ ବସ୍ତିରେ ବର୍ଷ ବର୍ଷ ଧରି ରହି ନିଜକୁ ଯୋଗ୍ୟ ହିତାଧିକାରୀ ଦାବି କରୁଥିବା ବହୁ ବସ୍ତି ବାସିନ୍ଦାଙ୍କ ଅଭିଯୋଗ, ପୂର୍ବ ବିଜେଡି ସରକାର ଅମଳରେ ଜାଗା ମିଶନ ପାଇଁ ଯେଉଁ ସର୍ଭେ ହୋଇଥିଲା, ସେଥିରେ ପ୍ରୀୟାପ୍ରୀତି ତୋଷଣ ସାଙ୍ଗକୁ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ ହୋଇଥିଲା। ଏମିତିକି ଅନେକ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଯୋଗାଇ ଦେବା ନାଁରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିଲା। ଲୋକଙ୍କୁ ବିଏମସି ନାଁରେ ଛପା ରିସିଲେଟ୍‌ ଦେଇ ଟଙ୍କା ନେଇଥିଲେ ସ୍ଥାନୀୟ ନେତା।

ଅଧିକ ପଢ଼ନ୍ତୁ: ୭ରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ-ଇଂଲଣ୍ଡ ଟିମ୍‌, ୮ରେ ବାରବାଟୀରେ କରିବେ ଅଭ୍ୟାସ୍‌

ସେପଟେ ଏଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିବା ପରେ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର। ଅନ୍ୟପକ୍ଷରେ ଜାଗା ମିଶନ ନାଁରେ ଲୋକଙ୍କୁ ଠକେଇ କରାଯାଇଥିବା ଅଭିଯୋଗ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ପୂର୍ବ ସରକାର କରିଥିବା ଘୋଟାଲା ଜାଣିବାକୁ ଏବେ ଫାକ୍ଟ ଫାଇଣ୍ଡି ଟିମ୍ ତଥ୍ୟ ଯୋଗାଡ଼ କରୁଛି। ପ୍ରାମାଣ ମିଳିବା ପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।

Bhubaneswar BJD BMC
Advertisment
Advertisment