କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ପାଇଁ ଦାୟୀ ରହିବେ କି କିଟ୍ କର୍ତ୍ତୃପକ୍ଷ ? କାହିଁକି ନା ଆତ୍ମହତ୍ୟାର ୧୧ ମାସ ପୂର୍ବରୁ କର୍ତ୍ତୃପକ୍ଷଙ୍କ ନିକଟରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ନେପାଳୀ ଛାତ୍ରୀ । ତେଣୁ ନ୍ୟାୟ ପାଇବାରେ ବିଫଳ ଆଉ ବିଳମ୍ବ ହେବାରୁ ଜୀବନ ହାରିବାକୁ ନିଷ୍ପତ୍ତି ନେଇଛନ୍ତି କି ନେପାଳୀ ଛାତ୍ରୀ ? ବିରୋଧୀ ଏହାର ତଦନ୍ତ ଆଉ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଏହାକୁ ବି ତଦନ୍ତ ପରିସର ଭୁକ୍ତ କରାଯିବ ।
Also Read
ଅଧିକ ପଢ଼ନ୍ତୁ: ଆୟୁଷ୍ମାନ ଭାରତକୁ ମିଳିଲା କ୍ୟାବିନେଟ ମଞ୍ଜୁରି, ଉପକୃତ ହେବେ ୩ କୋଟି ୪୬ ଲକ୍ଷ ଲୋକ
ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ଯୌନ ଶୋଷଣ ନେଇ କିଟ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ମୃତ ନେପାଳୀ ଛାତ୍ରୀ । ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତରରୁ ସାମ୍ନାକୁ ଆସିଛି ଏମିତି ସାଙ୍ଘାତିକ ତଥ୍ୟ । ବିଧାୟକ ଦାଶରଥୀ ଗମାଙ୍ଗୋଙ୍କ ପ୍ରଶ୍ନରେ ଉତ୍ତର ରଖି ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୧୨, ୨୦୨୪ରେ ଛାତ୍ରୀ ଜଣଙ୍କ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ । ୟୁଜିସି ଗାଇଡ୍ ଲାଇନ ଅନୁଯାୟୀ କିଟ୍ ବିଶ୍ୱ ବିଦ୍ୟାଳୟ ଇଣ୍ଟରନାଲ କମିଟି ଗଠନ କରିଥିଲା । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ତଦନ୍ତ ସହ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ବିରୋଧୀ । ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ଏ ବିଷୟ ବି ଉଚ୍ଚସ୍ତରୀୟ କମିଟିର ତଦନ୍ତ ପରିସରଭୁକ୍ତ ଅଛି । ଏଥିସହ ଏହା ଭିତରେ ଫେରି ଆସିଥିବା ନେପାଳୀ ଛାତ୍ରୀଙ୍କର ମଧ୍ୟ ବୟାନ ରେକର୍ଡ ପରେ ରିପୋର୍ଟ ଦାଖଲ କରିବ ଉଚ୍ଚସ୍ତରୀୟ କମିଟି ।
ଏଠି ପ୍ରଶ୍ନ ଉଠୁଛି ୧୧ ମାସ ଧରି ଯୌନ ଶୋଷଣ ଭଳି ସାଂଘାତିକ ଅଭିଯୋଗ ଉପରେ କ’ଣ କରୁଥିଲେ କିଟ୍ କର୍ତ୍ତୃପକ୍ଷ ? ଅଭିଯୁକ୍ତ ଛାତ୍ର ଅଦ୍ବିକ ଶ୍ରୀବାସ୍ତବକୁ ପଚରାଉଚରା ହୋଇଥିଲା କି ? ପୀଡ଼ିତା ଛାତ୍ରୀଙ୍କୁ କୌଣସି ପ୍ରକାର ମନସ୍ତାତ୍ତ୍ବିକ କାଉନସେଲିଂ କରାଯାଇଥିଲା କି ? ୟୁଜିସି ଗାଇଡଲାଇନରେ ଗଠିତ ଇଣ୍ଟରନାଲ୍ କମିଟି ଏନେଇ କ’ଣ କରିଥିଲେ ? ଏ ବାବଦରେ ପୀଡିତାଙ୍କ ପରିବାରକୁ ଅବଗତ କରାଯାଇଥିଲା କି ?
ସବୁଠୁ ବଡ଼ କଥା ହେଉଛି, ଯେଉଁ ସମୟରେ ଛାତ୍ରୀ ଜଣଙ୍କ ତାଙ୍କ ସହ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ, ସେ ସମୟରେ ବିଜେଡି ସରକାରରେ ଥିଲା । ଆଉ ସରକାରୀ ଦଳର ସାଂସଦ ଥିଲେ କିଟ୍ ମୁଖିଆ ଅଚ୍ୟୁତ ସାମନ୍ତ ? ଏଇଥିପାଇଁ କଥାକୁ ଚପେଇ ଦେବାର ଉଦ୍ୟମ ହୋଇ ନଥିଲା ତ ? କର୍ତ୍ତୃପକ୍ଷ ନ୍ୟାୟ ଦେବାରୁ ବିଳମ୍ବ ହେବାରୁ କିମ୍ବା ଦେଇ ନପାରିବାରୁ ଜୀବନ ହାରିଲେ କି ନେପାଳୀ ଛାତ୍ରୀ ? ଯଦି ଏହା ସତ ତାହେଲେ ଏଥିପାଇଁ କିଟ କର୍ତ୍ତୃପକ୍ଷ ଦାୟୀ ରହିବେନି କାହିଁକି ?
ସେପଟେ ଅନ୍ୟ ଏକ ପ୍ରଶ୍ନର ଉତ୍ତରରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି କିଟ୍ ମାମଲାରେ ଏପର୍ଯ୍ୟନ୍ତ ୧୯ ଜଣଙ୍କ ସାକ୍ଷ ଗ୍ରହଣ କରିଛି ରାଜ୍ୟ ସରକାରଙ୍କ ଉଚ୍ଚ ସ୍ତରୀୟ କମିଟି। ଫେବ୍ରୁଆରୀ ୨୧ ତାରିଖରେ ୮ ଜଣ, ୨୭ ତାରିଖରେ ୬ ଜଣ ଓ ମାର୍ଚ୍ଚ ୬ରେ ୫ ଜଣଙ୍କ ସାକ୍ଷ୍ୟଗ୍ରହଣ କରାଯାଇଛି। ଆଉ ଏବେ ଉଚ୍ଚ ସ୍ଥରୀୟ କମିଟି କେବେ ଓ କ’ଣ ରିପୋର୍ଟ ଦେଉଛି ଦେଉଛି, ତା ଉପରେ ନଜର ।