Advertisment

Navy Day Celebration: କମ୍ପିବ ବ୍ଲୁ ଫ୍ଲାଗ୍ ବିଚ୍; ବିଶ୍ୱ ଦେଖିବ ଭାରତୀୟ ନୌସେନାର ବୀରତ୍ୱ ଓ ପରାକ୍ରମ

ଆଜି ବିଶ୍ବ ଦେଖିବ ଭାରତୀୟ ନୌସେନାର ବୀରତ୍ବ ଓ ପରାକ୍ରମ। ଆକର୍ଷଣୀୟ ପରେଡରେ କମ୍ପିବ ବ୍ଲୁ ଫ୍ଲାଗ୍ ବିଚ୍। ଜଳ, ସ୍ଥଳ ଓ ଆକାଶ ପଥରେ ଜଲୱା ଦେଖାଇବେ ନୌସେନାର ଯବାନ।

author-image
Sonali Ojha
ଅଦ୍ୟତନ ହୋଇଛି
Navy Day

Navy Day

ନୌସେନା ଦିବସରେ ଦୁଲୁକିବ ପୁରୀ। ଯୁଦ୍ଧ ମୈଦାନର ବେଳାଭୂମି ସୃଷ୍ଟି କରିବ ପୁରୀର ବିସ୍ତୀର୍ଣ୍ଣ। ଭାରତୀୟ ନୌବାହିନୀ ଆଜି ନୌସେନା ଦିବସ ପାଳନ କରିବାକୁ ଯାଉଥିବା ଏହି ଅବସରରେ ଆଜି ବିଶ୍ବ ଦେଖିବ ଭାରତୀୟ ନୌସେନାର ବୀରତ୍ବ ଓ ପରାକ୍ରମ। ଆକର୍ଷଣୀୟ ପରେଡରେ କମ୍ପିବ ବ୍ଲୁ ଫ୍ଲାଗ୍ ବିଚ୍। ଜଳ, ସ୍ଥଳ ଓ ଆକାଶ ପଥରେ ଜଲୱା ଦେଖାଇବେ ନୌସେନାର ଯବାନ। ଏହି କାର୍ଯ୍ୟକ୍ରମରେ ୧୫ଟି ଯୁଦ୍ଧ ଜାହାଜ, ଓ ୪୦ ଏୟାରକ୍ରାଫ୍ଟ୍ ସାମିଲ ହୋଇ ଯୁଦ୍ଧକୌଶଳ ଦେଖାଇବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ହେବେ।

Advertisment

ଚଳିତ ବର୍ଷର ଥିମ୍ ରହିଛି “Strength and Power through Innovation and Indigenisation,”। ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ରହିଛି। ଆପଣ ଜାଣିଛନ୍ତି କି, ୧୯୭୨ ମସିହା ପୂର୍ବରୁ ଡିସେମ୍ବର ୧୫ରେ ପାଳନ ହେଉଥିଲା ନୌସେନା ଦିବସ। କିନ୍ତୁ ୧୯୭୧ ମସିହାରେ ଏଭଳି ଏକ ଐତିହାସିକ ଘଟଣା ଘଟିଲା, ଯେଉଁଥିପାଇଁ ୧୯୭୨ ମସିହାର ଏକ ନୌସେନା ଅଧିକାରୀ ସମ୍ମିଳନୀରେ ନିଷ୍ପତ୍ତି ନିଆଗଲା ଯେ, ପ୍ରତିବର୍ଷ ଡିସେମ୍ବର ୪ରେ ପାଳନ ହେବ ନେଭି ଡେ । ତେବେ ସେହି ଘଟଣା କଣ, କାହିଁକି ଡିସେମ୍ବର ୪ରେ ପାଳନ କରାଯାଉଛି ନୌସେନା ଦିବସ ଆସନ୍ତୁ ଜାଣିବା।

୧୯୭୧ ଡିସେମ୍ବର ୩ରେ ଆରମ୍ଭ ହୋଇଥିଲା ଭାରତ-ପାକିସ୍ତାନ ଯୁଦ୍ଧ। ପ୍ରଥମ ଦିନରେ ଭାରତର ବିଭିନ୍ନ ବାୟୁସେନା ଘାଟି ଉପରେ ଅତର୍କିତ ଆକ୍ରମଣ କଲା ପାକିସ୍ତାନ। ଆଉ ଠିକ୍ ଏହାର ପରଦିନ ପାକିସ୍ତାନକୁ କଡ଼ା ଜବାବ ଦେଇଥିଲା ଭାରତୀୟ ନୌସେନା। ଡିସେମ୍ବର ୪ ରାତିରେ ହୋଇଥିଲା ଐତିହାସିକ ଅପରେସନ୍ ଟ୍ରାଇଡେଣ୍ଟ। ତତ୍କାଳୀନ ନୌସେନା ମୁଖ୍ୟ ଆଡମିରାଲ୍ ଏସ୍.ଏମ୍. ନନ୍ଦାଙ୍କ ନିର୍ଦ୍ଦେଶ କ୍ରମେ ଆକ୍ରମଣର ନେତୃତ୍ବ ନେଇଥିଲେ ଟ୍ବେଣ୍ଟି-ଫିଫ୍ଥ (25th) ମିସାଇଲ୍ ଭେସେଲ୍ ସ୍କ୍ବାଡ୍ରନ୍ କମାଣ୍ଡର୍ ବବ୍ରୁ ଭାନ୍ ଯାଦବ।

Advertisment

ସେତେବେଳେ ପାକିସ୍ତାନ ବାୟୁସେନା ପାଖରେ ରାତିରେ ଲଢ଼େଇ ପାଇଁ ଟେକନୋଲୋଜି ନଥାଏ। ତେଣୁ ସଞ୍ଜ ନଇଁବା ପରେ ଓ ସିନ୍ଦୁରା ଫିଟିବା ଆଗରୁ ଅଚାନକ ହମଲା ପାଇଁ ହେଲା ପ୍ଲାନିଂ। ପ୍ରଥମ ଥର ପାଇଁ ଜାହାଜରୁ ଫାୟାର୍ ହେବାକୁ ଥିଲା ଭାରତର ଆଣ୍ଟି-ସିପ୍ ମିଜାଇଲ୍।ଏପଟେ ଭାରତ ପାଖରେ ବି ଥାଏ ଗୋଟିଏ ଚାଲେଞ୍ଜ। ଭାରତୀୟ ମିଜାଇଲ୍ ବୋଟ୍ ଅଧିକ ଦୂରତା ଅତିକ୍ରମ କରିପାରୁନଥିବାରୁ, ଅତି ଚତୁରତାର ସହ ସେଗୁଡ଼ିକୁ ଅନ୍ୟ ଜାହାଜରେ କିଛି ବାଟ ଟୋଇଂ କରି ଟାଣିନିଆଗଲା ।

ସେଠାରୁ ସେମାନେ ଆରୋ ହେଡ୍ ଫର୍ମେସନରେ ମାଡ଼ିଚାଲିଲେ ପାକିସ୍ତାନ ଆଡ଼କୁ। ଟାର୍ଗେଟ୍ ଥିଲା କରାଚୀ ବନ୍ଦର। ରାତିର ଅନ୍ଧାରରେ ପାକ୍ ସେନା ରାଡାରରୁ ବର୍ତ୍ତି ପ୍ରଥମ ଆଟାକ୍ କଲା ଆଇଏନ୍ଏସ୍ ନିର୍ଘାତ୍। ୨ଟି ଷ୍ଟିକ୍ସ ମିଜାଇଲ୍ ମାଡ଼ରେ ପାକିସ୍ତାନୀ ଯୁଦ୍ଧ ଜାହାଜ ପିଏନ୍ଏସ୍ ଖାଇବରର କାମ୍ ତମାମ୍। ଏହାପରେ ପରାକ୍ରମ ଦେଖାଇଲେ ଆଇଏନ୍ଏସ୍ ନିପାତ ଓ ଆଇଏନ୍ଏସ୍ ବୀର୍। ଧ୍ବଂସ ହୋଇଗଲା ପିଏନ୍ଏସ୍ ଶାହଜାହାନ ଓ ମୁହାଫିଜ୍ ସହିତ କାର୍ଗୋ ଭେସେଲ୍ 'ଭେନସ୍ ଚାଲେଞ୍ଜର୍'।

ଅଧିକ ପଢନ୍ତୁ: President Droupadi Murmu: ନୌସେନା ଦିବସରେ ସାମିଲ୍ ହେବେ ରାଷ୍ଟ୍ରପତି; ପୁରୀରେ ଲାଗୁହେଲା ଟ୍ରାଫିକ୍ କଟକଣା

ଏହାପରେ ଆଇଏନ୍ଏସ୍ ନିପାତ ଛାରଖାର କରିଦେଲା କରାଚୀ ପୋର୍ଟର ବିଶାଳ ତୈଳ ଡିପୋକୁ। କୁହାଯାଏ, ୬୦ କିଲୋମିଟର ଦୂରରୁ ଦିଶିଥିଲା ଏହି ହୁତୁହୁତୁ ଦାବାନଳ। ନିଆଁ ଲିଭାଇବାକୁ ଲାଗିଥିଲା ୪ ଦିନ ସମୟ। ଏହି ଆକ୍ରମଣରେ କେବଳ କରାଚୀ ପୋର୍ଟ ଧ୍ବଂସ ହୋଇନଥିଲା, ବରଂ ପାକ୍ ନୌସାନର ଅଣ୍ଟା ଭାଙ୍ଗିଯାଇଥିଲା କୌଣସି ଜବାବୀ ହମଲା ପାଇଁ। ଏପଟେ ସୁରକ୍ଷିତ ଫେରିଆସିଥିଲେ ଭାରତୀୟ ନୌବୀର।

ପ୍ରଥମରୁ ଏଭଳି ଭୟଙ୍କର କ୍ଷୟକ୍ଷତିର ସାମ୍ନା କରିଥିବା ପାକିସ୍ତାନ, ମାତ୍ର ୧୩ ଦିନର ଯୁଦ୍ଧ ପରେ ଭାରତ ଆଗରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇଥିଲା । ୧୯୭୧ ଡିସେମ୍ବର ୪ର ସେହି ଅପରେସନ୍ ଟ୍ରାଇଡେଣ୍ଟ୍ ସଫଳତାର ସ୍ମୃତିରେ, ପ୍ରତିବର୍ଷ ସେହିଦିନ ପାଳନ ହୋଇଆସୁଛି ଭାରତୀୟ ନୌସେନା ଦିବସ । ସୂଚନା ଯୋଗ୍ୟ ଯେ, ବାଣିଜ୍ୟିକ ଜାହାଜର ସୁରକ୍ଷା ପାଇଁ ୧୬୧୨ ମସିହାରେ ରୟାଲ୍ ଇଣ୍ଡିଆନ୍ ନେଭି ଗଠନ କରିଥିଲା ଇଷ୍ଟ୍ ଇଣ୍ଡିଆ କଂପାନୀ। ସ୍ବାଧୀନତା ପରେ ୧୯୫୦ ମସିହାରେ ଭାରତୀୟ ନୌସେନାର ପୁନର୍ଗଠନ ହେଲା । ଏବଂ ୧୯୭୨ ମସିହା ଯାଏଁ ଡିସେମ୍ବର ୧୫ରେ ପାଳନ ହେଉଥିଲା ନେଭି ଡେ।

Puri Navy President Droupadi Murmu
Advertisment
Advertisment