Advertisment

Baikuntha Dham: ବୁଲିଲା ବୁଲଡୋଜର୍, ଭାଙ୍ଗିଲା ତଥାକଥିତ କୁନୀ କଳ୍କୀଙ୍କ ବୈକୁଣ୍ଠ ଆଶ୍ରମ

ବିଡିଏର ବୁଲଡୋଜର ମାଡ଼ରେ ଧରାଶାୟୀ ତଥାକଥିତ ବୈକୁଣ୍ଠ ଧାମ ଆଶ୍ରମ । ଭୁଶୁଡ଼ିଲା ଭକ୍ତ-ଭକ୍ତି ଓ ଭଗବାନ ନାଁରେ ସରକାରୀ ଜମି ଉପରେ ବେଆଇନ ଭାବେ ମୁଣ୍ଡ ଟେକିଥିବା ସାମ୍ରାଜ୍ୟ । ଭାଙ୍ଗିଲା ତୋରଣ, ଭୁଶୁଡ଼ିଲା ସଂଲଗ୍ନ କାନ୍ଥବାଡ଼।

author-image
Santosh Kumar Sahoo
undefined

ଭାଙ୍ଗିଲା ‘ବୈକୁଣ୍ଠ ଆଶ୍ରମ’

ବିଶ୍ବାସ ଆଉ ଗୁରୁଶିଷ୍ୟ ପରମ୍ପରା ନାଁରେ ସରକାରୀ ଜମି ଉପରେ ଛିଡ଼ା ହୋଇଥିବା ଖଣ୍ଡଗିରିର ବୈକୁଣ୍ଠ ଆଶ୍ରମ ମିଶିଲା ମାଟିରେ । ତଥାକଥିତ କୁନି କଲ୍କୀର ବେଆଇନ ସାମ୍ରାଜ୍ୟକୁ ଭାଙ୍ଗି ଗୁଣ୍ଡ କରିଦେଇଛି ବିଡିଏ । ଏବେ ନା ଭକ୍ତ-ଭକ୍ତି ଆଉ ଭଗବାନ ନାଁରେ ଚାଲିବ ଭାଣ୍ଡାମୀ, ନା ହେବ ଅବତାର ନାଁରେ ଅନ୍ଧବିଶ୍ବାସର ଖେଳ। ଜବରଦଖଲ ଉଚ୍ଛେଦ ଅଙ୍କୁଶକୁ ହାଇକୋର୍ଟଙ୍କ ପ୍ରତ୍ୟାହାର ପରେ ଧରାଶାୟୀ ହୋଇଛି ଆଶ୍ରମ। ଏବେ ପାଚେରୀ ବୁଲାଇ ଆଶ୍ରମ ଜମିକୁ ନିଜ ଦଖଲରେ ରଖିବାକୁ ଯୋଜନା କରିଛି ବିଡିଏ ।

Advertisment

ବିଡିଏର ବୁଲଡୋଜର ମାଡ଼ରେ ଧରାଶାୟୀ ତଥାକଥିତ ବୈକୁଣ୍ଠ ଧାମ ଆଶ୍ରମ । ଭୁଶୁଡ଼ିଲା ଭକ୍ତ-ଭକ୍ତି ଓ ଭଗବାନ ନାଁରେ ସରକାରୀ ଜମି ଉପରେ ବେଆଇନ ଭାବେ ମୁଣ୍ଡ ଟେକିଥିବା ସାମ୍ରାଜ୍ୟ । ଭାଙ୍ଗିଲା ତୋରଣ, ଭୁଶୁଡ଼ିଲା ସଂଲଗ୍ନ କାନ୍ଥବାଡ଼। ଛିନଛତ୍ର ଆଶ୍ରମ ପରିସର । ପୂର୍ବରୁ ଡାକବାଜି ଯନ୍ତ୍ରରେ ଘୋଷଣା କରି ସତର୍କ କରାଇଥିବା ବିଡିଏ ଆଜି ମଧ୍ୟାହ୍ନ ୧୨ଟାରେ ପହଞ୍ଚି ଆଶ୍ରମରେ କରିଥିଲା ଉଚ୍ଛେଦ । ତାହାରି ଭିତରେ ବୁହା ଚାଲିଥିଲା ଆଶ୍ରମର ବାବା ପଣ୍ଡିତ କାଶୀନାଥ ମିଶ୍ର ଏବଂ ତଥାକଥିତ କୁନୀ କଲ୍କୀର ଆସ୍ଥାନ, ଯାନବାହନ, ଆସବାବପତ୍ର । ଠିକ୍ ଏତିକି ବେଳକୁ ଆଶ୍ରମ ସମର୍ଥକ ପହଞ୍ଚି ଆରମ୍ଭ କରିଦେଇଥିଲେ ହାଇଡ୍ରାମା । କିଏ ସାଷ୍ଟାଙ୍ଗ ପ୍ରଣିପାତ ହୋଇ ଲୁହ ଛଳ ଛଳ ତ ଆଉ କିଏ କହୁଥିଲେ ନିନ୍ଦା ଅପବାଦକାରୀ ଦିନେ ଆସି ଏଇଠି କାନ୍ଦିବେ ମୁଣ୍ଡ ଗଡ଼ାଇ । ତାହାରି ଭିତରୁ ସାମ୍ନାକୁ ଆସିଥିଲା ହାରମୋନିୟମ୍, ଧନୁତୀର ଭଳି ଗୋଟିଏ ପରେ ଗୋଟିଏ ସାମଗ୍ରୀ ।

ଅଧିକ ପଢ଼ନ୍ତୁ: ‘ଫେବ୍ରୁଆରୀ ପହିଲାରୁ ଆରମ୍ଭ ହୋଇପାରେ ଧାଡ଼ି ଦର୍ଶନ, ହୁଣ୍ଡି ସ୍ଥାନାନ୍ତର ପାଇଁ ହେଉଛି ବିଳମ୍ବ’

Advertisment

ଧାର୍ମିକ ଓ ଆଧ୍ୟାତ୍ମିକ ଚେତନା ନାଁରେ ଜବରଦଖଲ ସରକାରୀ ଜମି ଉପରେ ଦୀର୍ଘଦିନ ଧରି ମୁଖ୍ୟ ତତ୍ତ୍ବାବଧାରକ ତଥା ସୁଧର୍ମା ସଭାର ସଭାପତି ପାଣ୍ଡବ ପରିଡ଼ାଙ୍କ ନେତୃତ୍ବରେ ଚାଲିଥିଲା ସାମ୍ରାଜ୍ୟ । ପଣ୍ଡିତ କାଶୀନାଥ ମିଶ୍ରଙ୍କୁ ଗୁରୁ ଏବଂ ତାଙ୍କ ନାବାଳକ ପୁଅକୁ କଲ୍କୀ ଅବତାର ଦର୍ଶାଇ ନାନା କେଳେଙ୍କାରୀ ଚଳାଇଥିବା ଅଭିଯୋଗ ଉଠିଥିଲା। ତଥାକଥିତ କଲ୍କୀ ବାବା ପଟିଆ ଅଞ୍ଚଳରେ କେବେ କାଫେରେ ଝିଅ ମାନଙ୍କ ସହ ବସାଉଠା ତ ଆଉ କେବେ ଟଙ୍କା ଉଡ଼ାଉଥିବାର ଅଭିଯୋଗ ବି ହେଉଥିଲା । ତା’ପରଠୁ ବିବାଦୀୟ ହୋଇଥିଲା ଆଶ୍ରମ। ତେଣେ ସରକାରୀ ଜମି ଜବରଦଖଲର ପ୍ରମାଣ ପାଇଥିଲା GA ଏବଂ ବିଡିଏ । ତେବେ ଆଶ୍ରମର ନିର୍ମାଣ ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଗତ ନଭେମ୍ବର ୨୧ରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ। ସମ୍ପୃକ୍ତ ଜମି ଉପରେ ବୈକୁଣ୍ଠ ଧାମ ଟ୍ରଷ୍ଟ ପକ୍ଷରୁ ଯୋଗ ଶିକ୍ଷା ଦିଆଯାଉଛି ଏବଂ ସେହି ଜମିକୁ ଟ୍ରଷ୍ଟକୁ ହସ୍ତାନ୍ତର କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ GA ବିଭାଗକୁ ସୁପାରିଶ କରାଯାଇଛି ବୋଲି ଆବେଦନକାରୀ ହାଇକୋର୍ଟରେ ଦର୍ଶାଇଥିଲେ ।

କିନ୍ତୁ ଆଶ୍ରମ ପକ୍ଷରୁ ଦାଖଲ ଅନୁମତି ପତ୍ର ନକଲି ବୋଲି ଜଣାପଡ଼ିବା ପରେ ଏବଂ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପରେ କୋର୍ଟ ନିଜ ଅନ୍ତରୀଣ ନିର୍ଦ୍ଦେଶକୁ ହଟାଇ ଦେଇଥିଲେ। ଏହାସହ ସରକାରଙ୍କ ସତ୍ୟପାଠ ଆଧାରରେ ଜବାବ ଦାଖଲ କରିବାକୁ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାହାର ଶୁଣାଣି ଆସନ୍ତା ଫେବୃଆରୀ ୩ରେ ହେବ। କିନ୍ତୁ କୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ଉଠିଥିବାରୁ ଆଜିଠୁ ଆଶ୍ରମକୁ ଭାଙ୍ଗିଛି ପ୍ରଶାସନ। କାଲି ବି ଭଙ୍ଗା ହେବ।

ଆଶ୍ରମ ଏବେ ମାଟିରେ ଲୋଟୁଥିବାବେଳେ କୁଆଡ଼େ ଗଲେ ମୁଖ୍ୟ ତତ୍ତ୍ବାବଧାରକ ତଥା ସୁଧର୍ମା ସଭାର ସଭାପତି ପାଣ୍ଡବ ପରିଡ଼ା ଏବଂ ପଣ୍ଡିତ କାଶୀନାଥ ମିଶ୍ର ? କେଉଁଠି ଅଛନ୍ତି ତଥାକଥିତ ନାବାଳକ କଲ୍କୀ ଅବତାରୀ ? ଏଭଳି ନାନା ପ୍ରଶ୍ନ ଭିତରେ ପଣ୍ଡିତ କାଶୀନାଥ କିମ୍ବା ପାଣ୍ଡବ ପରିଡ଼ାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

ଅଧିକ ପଢ଼ନ୍ତୁ: ଆଦିବାସୀ ସାର୍ଟିଫିକେଟ୍‌ରେ ଚାକିରି; ୮ ଜଣଙ୍କ ନାଁରେ ଏତଲା

Bhubaneswar BDA
Advertisment
Advertisment