• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରାଜ୍ୟର ବିଭିନ୍ନ ସହରରେ ବେଆଇନ୍ ଭାବେ ଗଢି ଉଠିଛି ଶତାଧିକ ଆପାର୍ଟମେଣ୍ଟ । ସେଭିତରୁ କେବଳ ରାଜଧାନୀର ଛାତି ଉପରେ ଆଇନ ଉଲ୍ଲଂଘନ କରି ତିଆରି ହୋଇଥିବା ଆପାର୍ଟମେଣ୍ଟ ଓ କୋଠାବାଡ଼ି ବିରୋଧରେ ୬୮୯ଟି ମାମଲା ରୁଜୁ ହୋଇଛି । ଗତକାଲି ଏଭଳି ଆଖି ଖୋସିଦେଲା ଭଳି ତଥ୍ୟ ବିଧାନସଭାରେ ରଖିଥିଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ।

ତେବେ ସ୍ମାର୍ଟ ସିଟିରେ ବେଆଇନ ଆପାର୍ଟମେଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମ୍‌ସି ମେୟର ସୁଲୋଚନା ଦାସ । ସେ କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ଯାହା ରହିବ ବିଏମ୍‌ସି ତାକୁ ମାନିବ । ଆପାର୍ଟମେଣ୍ଟକୁ ଭାଙ୍ଗିଲେ ସେହି ଅନୁଯାୟୀ କ୍ଷତିପୂରଣ ଦେବାକୁ ପଡ଼ିବ। ବିଏମ୍‌ସି ପାଖରେ କ୍ଷତିପୂରଣ ଦେବାକୁ ପଇସା ନାହିଁ। ସରକାର ଯଦି କ୍ଷତିପୂରଣ ଦେବେ, ଆମକୁ ଅନୁମତି ଦେଲେ ଭାଙ୍ଗିଦେବୁ ବୋଲି ସୁଲୋଚନା ଦାସ କହିଛନ୍ତି।

ଅଧିକ ପଢନ୍ତୁ : କବଳିତ କରିଛି ମେଞ୍ଚା ମେଞ୍ଚା ଦଳ...କେନାଲ ଭଳି ଦିଶୁଛି ସାଳନ୍ଦୀ ନଦୀ

ସେ ଆହୁରି କହିଛନ୍ତି ଯେ, ଅନେକ ଜାଗାରେ ବିଲଡର ଜାଗା ବିକି ପଳେଇଛନ୍ତି । ବିଏମସିର ତା ଉପରେ କଣ୍ଟ୍ରୋଲ ନାହିଁ । ଆପାର୍ଟମେଣ୍ଟ ନିର୍ମାଣ ବେଳେ ତାହା ପଂଚାୟତରେ ଥିଲା । ଆଉ ଏବେ ସେଗୁଡ଼ିକ ବିଏମସି ନିୟନ୍ତ୍ରଣକୁ ଆସିଛି । ବେଆଇନ ନିର୍ମାଣ ହେବା ଫଳରେ ପ୍ରାକୃତିକ ଜଳାଶୟଗୁଡିକ ଜବରଦଖଲ ହୋଇରହିଛି । ଯାହା ଫଳରେ ଡ୍ରେନେଜ୍‌ ଅବ୍ୟବସ୍ଥା ଦେଖା ଦେଇଛି । ବିଧିବଦ୍ଧ ଭାବରେ ସରକାରଙ୍କ ଚିଠି ଆସିଲେ ଆମେ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବୁ ବୋଲି ସେ କହିଛନ୍ତି ।

ସେପଟେ ବେଆଇନ ଆପାର୍ଟମେଣ୍ଟ ନିର୍ମାଣକୁ ନେଇ ରିୟଲ ଇଷ୍ଟେଟ୍ କର୍ମୀ କହିଛନ୍ତି ରାଜ୍ୟରେ ହଜାର ହଜାର ବେଆଇନ୍ କୋଠାବାଡ଼ି ନିର୍ମାଣ ହୋଇଛି । ଯେଉଁମାନେ କଷ୍ଟ ଅର୍ଜିତ ଟଙ୍କାରେ ଫ୍ଲାଟ କିଣିଛନ୍ତି ସେଗୁଡିକ ମଧ୍ୟରୁ ଅଧିକାଂଶ ବିଲଡିଂର ଫାୟାର ସେଫଟି ସାର୍ଟିଫିକେଟ୍, ଅକୁପେନସି ସାର୍ଟିଫିକେଟ୍, ପ୍ଲାନ୍ ଆପ୍ରୋଭାଲ୍ ସାର୍ଟିଫିକେଟ୍ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ସାର୍ଟିଫିକେଟ୍ ନାହିଁ ।

ଅପରପକ୍ଷେ କ୍ରେଡାଇ କହିଛି ବହୁ ବର୍ଷ ପୂର୍ବରୁ ଆପାର୍ଟମେଣ୍ଟଗୁଡିକ ତିଆରି ହୋଇ ତାହା ଲୋକଙ୍କୁ ହସ୍ତାନ୍ତର ହୋଇଛି । ସରକାର ଏବେ ନୂଆ ନିୟମ ଆଣିଛନ୍ତି । ତେଣୁ ପୁରୁଣା ଆପାର୍ଟମେଣ୍ଟଗୁଡ଼ିକୁ ନୂଆ ନିୟମରୁ ବାଦ ଦେବାକୁ ଦାବି କରିଛି ରିୟଲ ଇଷ୍ଟେଟ୍ ସଂଘ । ନୂଆ ଆପାର୍ଟମେଣ୍ଟ ଅଧିନିୟମ ସତ୍ତ୍ୱେ ରାଜ୍ୟରେ ପ୍ରତିଦିନ ଛତୁ ଫୁଟିଲା ପରି ଗଢିଉଠୁଛି ବେଆଇନ୍ କୋଠାବାଡ଼ି । ଏହା ଉପରେ କିପରି ରୋକ୍ ଲାଗିପାରିବ ତାହା ଏବେ ବଡ଼ ପ୍ରଶ୍ନ ।

ଅଧିକ ପଢନ୍ତୁ : ନା ଥିଲା ରେଜିଷ୍ଟ୍ରେସନ୍, ନା ଲାଇସେନ୍ସ, ନା ଇନସୁରାନ୍ସ; ଜବତ ହେଲା ସ୍କୁଲ ବସ୍

OTV is now on Whatsapp

Join and get latest news update delivered to you via whatsapp

Join Now