• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସବୁ ସୀମା ସରହଦ ଟପିଲେ ଦୁର୍ବୃତ୍ତ । ପୂର୍ବରୁ ଚଳନ୍ତା ଟ୍ରେନକୁ ଢେଲା ଫୋପାଡୁ ଥିବା ବେଳେ ଏବେ ସିଧା ଗୁଳି ମାଡ଼ । ନୂଆଦିଲ୍ଲୀରୁ ପୁରୀ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସକୁ ଭଦ୍ରକ ନିକଟରେ କରାଯାଇଛି ଟାର୍ଗେଟ୍ । ଗୁଳି ମାଡ଼ରେ ଭାଙ୍ଗି ଯାଇଛି ଗାର୍ଡ ବଗିର କାଚ । ତେବେ ସୌଭାଗ୍ୟବଶତଃ ଗୁଳି କାହାରିକୁ ବାଜିନି । ସାଇଣ୍ଟିଫିକ୍ ଟିମ୍ ବଗିରୁ ପ୍ରମାଣ ଖୋଜୁଥିବା ବେଳେ ଗୁଳିମାଡ଼ ହୋଇଥିବା ସ୍ଥାନରେ ଚାଲିଛି ଜୋରଦାର ଖୋଳତାଡ଼ ।

ଟ୍ରେନ୍ ଷଡ଼ଯନ୍ତ୍ରର ଟପିଲା ସବୁ ସୀମା । ଚଳନ୍ତା ଟ୍ରେନ୍ ଉପରକୁ ଦୁର୍ବୃତ୍ତଙ୍କ ଗୁଳିମାଡ଼ । ଏଥର ଦୁର୍ବୃତ୍ତଙ୍କ ଟାର୍ଗେଟରେ ଥିଲା ଦିଲ୍ଲୀରୁ ପୁରୀ ଆସୁଥିବା ନନ୍ଦନକାନନ ଏକ୍ସପ୍ରେସ । ସମୟ ସକାଳ ୯ଟା ୧୩ ମିନିଟ । ଟ୍ରେନ ଭଦ୍ରକ ଷ୍ଟେସନ ପାର ହୋଇ ସିଗନାଲ୍ ଗେଟ କ୍ରସ କରୁଥିବା ବେଳେ ହଠାତ ଶୁଭିଥିଲା ଗୁଳିମାଡ଼ର ଶବ୍ଦ । ଟ୍ରେନରେ ଥିବା କର୍ମଚାରୀ କଣ ହୋଇଛି ଦେଖିବା ବେଳକୁ ଜଣେ ଦୁର୍ବୃତ୍ତ ପିସ୍ତଲରୁ ଆଉ ଏକ ରାଉଣ୍ଡ ଗୁଳିମାଡ଼ କରିଥିଲା ।

ଏଥିରେ ଟ୍ରେନର ବାମ ପଟ ପଛପାଖରେ ଥିବା ଗାର୍ଡ ବଗିର କାଚ ଭଙ୍ଗି ଯାଇଛି । ପ୍ରତ୍ୟକ୍ଷଦର୍ଶୀ ରେଳ କର୍ମଚାରୀ କହିଛନ୍ତି ଗୁଳି ମାଡ଼ ବେଳେ ଓ ଦୁର୍ବୃତ୍ତ ହାତରେ ଥିବା ପିସ୍ତଲରୁ ଧୂଆଁ ବାହାରୁ ଥିବା ମୁଁ ଦେଖିଛି । ଖବର ମିଳିବା ମାତ୍ରେ ରେଲୱେ ପୋଲିସକୁ ଖବର ଦେଇଥିଲେ ଭଦ୍ରକ ଷ୍ଟେସନ ମାଷ୍ଟର । ଗୁଳିମାଡ଼ ଘଟଣା ପରେ ରେଳ ଧାରଣାରେ ଚାଲିଛି ତନାଘନା ।

ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଧାରଣାକୁ ତନ୍ନତନ୍ନ କରି ଯାଂଚ କରୁଛି ସ୍ଥାନୀୟ ପୋଲିସ ଓ ଜିଆରପି । ସେପଟେ ଟ୍ରେନ ପୁରୀରେ ପହଞ୍ଚିବା ପରେ ଫୋରେନ୍ସିକ ଟିମ୍ ସହାୟତାରେ ଜୋରଦାର ହୋଇଛି ଖୋଳତାଡ଼ । ଟ୍ରେନର ଭଙ୍ଗା କାଚରୁ ନମୁନା ସଂଗ୍ରହ କରିଛି ଫୋରେନସିକ ଟିମ୍ । କିଏ ଓ କାହିଁକି କଲା ଗୁଳିମାଡ଼ ତାହା ଏଯାଏଁ ସ୍ପଷ୍ଟ ହୋଇନି ।

୨୦୨୩ ବାଲେଶ୍ୱର ବାହାନଗା ଟ୍ରାଜେଡି ପଛରେ ତଦନ୍ତକାରୀ ସଂସ୍ଥା ଷଡ଼ଯନ୍ତ୍ରର ଗନ୍ଧ ବାରିଥିବା ବେଳେ ଏବେ ଚଳନ୍ତା ଟ୍ରେନକୁ ଗୁଳି ବଢାଇଛି ଚିନ୍ତା । ବାରମ୍ବାର ଟ୍ରେନକୁ କାହିଁକି କରାଯାଉଛି ଟାର୍ଗେଟ ? ଗୁଳି ଯଦି କୌଣସି ଯାତ୍ରୀଙ୍କୁ ବାଜି ଥାନ୍ତା, କିଏ ହୋଇଥାନ୍ତା ଦାୟୀ ? କାହିଁକି ନନ୍ଦନକାନନ ଏକ୍ସପ୍ରେସକୁ ଗୁଳିମାଡ଼ କଲା ଦୁର୍ବୃତ୍ତ? ଟାର୍ଗେଟରେ ଯାତ୍ରୀ ଥିଲେ ନା ରେଳ କର୍ମଚାରୀ ? ଗୁଳି ମାଡ଼ ପଛରେ ଅଛି କି ବଡ଼ ଷଡ଼ଯନ୍ତ୍ର ? ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଖୋଦ ପ୍ରଶ୍ନ ଉଠାଇଛନ୍ତି ଏହି ଟ୍ରେନରେ ଆସିଥିବା ଯାତ୍ରୀ । ଗୁଳିମାଡ଼ ଘଟଣାକୁ ରେଳ ବିଭାଗ ଅତି ଗୁରୁତର ସହ ନେଇ ଚଳାଇଛି ତନାଘନା ।

OTV is now on Whatsapp

Join and get latest news update delivered to you via whatsapp

Join Now