/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747751715.jpg)
Chit Fund Scam Odisha
କ୍ଷତିଗ୍ରସ୍ତ ଚିଟଫଣ୍ଡ ଜମାକାରୀଙ୍କୁ କେବେ ମିଳିବ ଟଙ୍କା ? ଆଉ କେତେଦିନ ପରେ ସେମାନେ ଫେରି ପାଇବେ ନିଜ କଷ୍ଟ ଉପାର୍ଜିତ ଧନ ? ରାଜ୍ୟରେ ହୋଇଥିବା ଚିଟଫଣ୍ଡ ମହାଦୁର୍ନୀତିକୁ ୟା ଭିତରେ ଗୋଟିଏ ଦଶନ୍ଧି ବିତି ଯାଇଥିଲେ ବି ଏଯାଏଁ ନ୍ୟାୟ ପାଇ ନାହାନ୍ତି, ଲକ୍ଷ ଲକ୍ଷ ଜମାକାରୀ। ୟା ଭିତରେ ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ପୁଣି ତେଜିଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି। ତେବେ ବିଜେପି ରାଜ୍ୟ ସଭାପତି କହିଛନ୍ତି, ଜମାକାରୀଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ଚାଲିଛି, ଏହାପରେ ନୀତିଗତ ନିଷ୍ପତ୍ତି ନିଆଯିବ।
ରାଜ୍ୟର ଲକ୍ଷ ଲକ୍ଷ ଚିଟ୍ଫଣ୍ଡ୍ ଜମାକାରୀଙ୍କୁ ଆଉ ମିଳିବନି କି ସେମାନଙ୍କ ଟଙ୍କା ? କଣ ନ୍ୟାୟ ପାଇବେନି କି ଓଡ଼ିଶାର ସବୁଠୁ ବଡ଼ ଆର୍ଥିକ ଠକେଇର କ୍ଷତିଗ୍ରସ୍ତ ? ବହୁ ଚର୍ଚ୍ଚିତ ଚିଟଫଣ୍ଡ୍ ମହାଘୋଟାଲାକୁ ୟା ଭିତରେ ବିତିଗଲାଣି ଦଶନ୍ଧିରୁ ଅଧିକ ସମୟ। କିନ୍ତୁ ଏଯାଏଁ ଟଙ୍କା ଫେରି ପାଇବା ଆଶା ଛାଡ଼ି ନାହାନ୍ତି ଲକ୍ଷ ଲକ୍ଷ ଜମାକାରୀ। ପ୍ରାୟ ୨୫ ହଜାର କୋଟିରୁ ଅଧିକ ଚିଟଫଣ୍ଡ ଦୁର୍ନୀତିରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ଲାଗି ୨୦୧୩ରୁ ଆରମ୍ଭ ହେଲାଣି ଉଦ୍ୟମ। ତତ୍କାଳୀନ ବିଜେଡି ସରକାର ୨୦୧୩ରେ ଚିଟଫଣ୍ଡ ତଦନ୍ତ କମିଶନ ଗଠନ କରି ଠକେଇର ଶିକାର ଲୋକଙ୍କୁ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ୟା ଭିତରେ କେବଳ ଅତି କ୍ଷୁଦ୍ର ଜମାକାରୀଙ୍କୁ ବାଦ୍ ଦେଲେ ଅନ୍ୟମାନେ ନିରାଶ। ଟଙ୍କା କେବେ ମିଳିବ, ସେନେଇ ସେମାନେ ସରକାରଙ୍କ ପଦକ୍ଷେପକୁ ବର୍ଷ ବର୍ଷ ଧରି ଅନାଇ ବସିଥିଲେ ବି ଖାତାକୁ ଟଙ୍କାଟିଏ ବି ଫେରୁନି। ୟା ଭିତରେ ବିଜେପି ସରକାର ନିର୍ବାଚନୀ ଇସ୍ତାହାର ପ୍ରତିଶ୍ରୁତି ଦେବାକୁ ବର୍ଷେ ପୂରଣ ହେବାକୁ ଯାଉଥିବାରୁ ଅତି କମରେ ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ କରନ୍ତୁ ବୋଲି ଦାବି କରିଛି ମିଳିତ ଜମାକାରୀ ମଞ୍ଚ।
ଅଧିକ ପଢନ୍ତୁ: ବିଜେପିରେ ମିଶିଯିବ କି ବିଜେଡି, କାହିଁକି ଏ ମେଳି ?
ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ କ୍ଷତିଗ୍ରସ୍ତ ଜମାକାରୀ ଓ ଜମାକାରୀ ମିଳିତ ମଞ୍ଚ ବାରମ୍ବାର ଦାବି ଓ ଆହ୍ବାନ ଭିତରେ ଆଜି ବଡ଼ ବୟାନ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। କହିଛନ୍ତି, ରାଜ୍ୟବାସୀଙ୍କୁ ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ବିଜେପି ଯେଉଁ ସଂକଳ୍ପ ପତ୍ର ଦେଇଥିଲା, ତାହା ନିଶ୍ଚୟ ପାଳନ କରାଯିବ। ଚିଟ୍ ଫଣ୍ଡ କାଗଜପତ୍ର ସଂଗ୍ରହ ଚାଲିଛି। ପ୍ରକ୍ରିୟା ସରିଲେ ନୀତିଗତ ନିଷ୍ପତ୍ତି ନିଆଯିବ । ବିଜେପି କ୍ଷମତାକୁ ଆସିବା ଭିତରେ ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟାଳୟରୁ ବିଜେଡି କାଗଜପତ୍ର ଟ୍ରକ୍ରେ ବୋହି ନେଇଥିବା ଅଭିଯୋଗ କରିଛନ୍ତି ମନମୋହନ। ସେପଟେ ବିଜେଡି କହିଛି, କାଗଜପତ୍ର ବାହାର କରିବା ସରକାରଙ୍କ ଦାୟିତ୍ବ। କ୍ଷମତାକୁ ଆସିବା ପରେ କାନ୍ଧରୁ ଜୁଆଳି ନଖସାଇ, ଦାୟିତ୍ବ ବହନ କରନ୍ତୁ ସରକାର।
ରାଜ୍ୟରେ ପ୍ରାୟ ୪୫୦ଟି ଚିଟଫଣ୍ଡ କମ୍ପାନୀରେ ପାଖାପାଖି ୭୦ ଲକ୍ଷ ଲୋକ ଟଙ୍କା ଜମା ରଖିଥିଲେ। ୨୦୧୩ରେ ଜଷ୍ଟିସ ଏମ୍ ଏମ୍ ଦାସଙ୍କ କମିଶନ ବସିବା ପରେ ୮ ଲକ୍ଷ ୮୬ ହଜାର ଜମାକାରୀଙ୍କ ଆବେଦନ ସତ୍ୟପାଠ ମାଧ୍ୟମରେ କମିଶନଙ୍କ ହସ୍ତଗତ ହୋଇଥିଲା। ସେ ଭିତରୁ ୪ ଲକ୍ଷ ୯୭ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଥିଲା। ୟା ଭିତରେ କେବଳ ୧୦ ହଜାରରୁ କମ୍ ଟଙ୍କା ଜମା ରଖିଥିବା ୨ ଲକ୍ଷ ୩୮ ହଜାର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇ ପାରିଛି। ହେଲେ ଅବଶିଷ୍ଟ ଜମାକାରୀ କେବେ ଚିହ୍ନଟ ହେବେ ଏବଂ ସେମାନଙ୍କୁ ସରକାର କେବେ ଟଙ୍କା ଫେରାଇବେ, ତାହା ଆଜି ବି ବଡ଼ ପ୍ରଶ୍ନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)